୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଏକ ମାସର ବ୍ୟବଧାନରେ ଦୁଇଟି ସିନେମା ମୁକ୍ତିଲାଭ କରିବା ଦର୍ଶାଏ ଯେ ସେହି କ୍ଷଣସ୍ଥାୟୀ ଯୁଦ୍ଧର ପରିଣାମ ଆମ ଜାତୀୟ ଚେତନାରେ କେତେ ଗୁରୁତ୍ବ ବହନ କରେ। ଶ୍ରୀରାମ ରାଘବନଙ୍କ ‘ଇକ୍କୀସ’ ସିନେମାରେ କେବଳ ଟ୍ୟାଙ୍କ୍ ଲଢ଼େଇର ଅବତାରଣା କରାଯାଇଥିବା ବେଳେ ଅନୁରାଗ ସିଂହଙ୍କ ‘ବର୍ଡର ୨’ ଏକାବେଳେ ଜଳ-ସ୍ଥଳ-ବାୟୁ ଲଢ଼େଇର ବ୍ୟାପକ ଯୁଦ୍ଧକୁ ଗୋଟିଏ କାହାଣୀରେ ଗୁନ୍ଥିବାର ଦୁଃସାହସ କରିଛି। ପୁଣି ଅବଧି ଓ ବିଶାଳତା ଦୃଷ୍ଟିରୁ ଏହା ‘ବର୍ଡର’କୁ ଅତିକ୍ରମ କରିବାକୁ ଚେଷ୍ଟା କରିଛି। ଟ୍ରେଲର୍ ଆସିବା ପରେ ସାମାଜିକ ଗଣମାଧ୍ୟମ ଚର୍ଚ୍ଚାରେ ବରୁଣ ଧଵନଙ୍କୁ ଯେଉଁଭଳି ବିଦ୍ରୂପ କରାଯାଇଥିଲା ତାହା ଏହି ଚଳଚ୍ଚିତ୍ର ନେଇ ଏକ ନକାରାତ୍ମକ ଚିତ୍ର ତୋଳିଥିଲା। ଚଳଚ୍ଚିତ୍ରଟି ଦେଖିବା ପରେ ସ୍ପଷ୍ଟ ହୋଇଗଲା ଯେ ଅଭିନୟ ନେଇ ଯେଉଁସବୁ ସନ୍ଦେହ ଥିଲା ସେଗୁଡ଼ିକ ଅମୂଳକ; ପରିବାର ସହ ଉପଭୋଗ କରିବା ପାଇଁ ଏଥିରେ ଯଥେଷ୍ଟ ଉପାଦାନ ଅଛି। ତେବେ ଦ୍ବିତୀୟାର୍ଦ୍ଧରେ ଯୁଦ୍ଧର ଦୃଶ୍ୟଗୁଡ଼ିକ ଅପେକ୍ଷା ଯୁଦ୍ଧ ପୂର୍ବବର୍ତ୍ତୀ ପ୍ରଥମାର୍ଦ୍ଧ ଅଧିକ ଉପଭୋଗ୍ୟ। ଜାହାଜ, ଉଡ଼ାଜାହାଜ ଓ ଟ୍ୟାଙ୍କ୍ ଯୁଦ୍ଧର ଲୋମଟାଙ୍କୁରା ଅଭିଜ୍ଞତା ଆଶା ରଖିଥିବା ଦର୍ଶକଙ୍କୁ ଏହାର ଦୁର୍ବଳ ‘ଭିଏଫ୍ଏକ୍ସ’ପ୍ରସୂତ ଦୃଶ୍ୟଗୁଡ଼ିକ ନିରାଶ କରିବା ସୁନିଶ୍ଚିତ।

