ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ଜୋରଦାର୍ ଚାଲିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ନିଶ୍ଚିତ କରିଛି ଯେ, ଆମେରିକା ଏବଂ ଇରାନ ପ୍ରାୟ ସାତ ସପ୍ତାହ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ସେମାନଙ୍କର ଆଲୋଚନାକାରୀଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ କରିବା ପାଇଁ ଇସଲାମାବାଦ ମାଧ୍ୟମରେ ଆଲୋଚନା କରୁଛନ୍ତି। ଏପ୍ରିଲ ୮ ରେ ଘୋଷଣା ହୋଇଥିବା ଅସ୍ତ୍ରବିରତିର ମିଆଦ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ଏପର୍ଯ୍ୟନ୍ତ ପରବର୍ତ୍ତୀ ଆଲୋଚନା ପାଇଁ ତାରିଖ ସ୍ଥିର ହୋଇପାରିନାହିଁ।
ଅନ୍ୟପକ୍ଷରେ ୱାସିଂଟନ ଓ ତେହେରାନ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ପାକିସ୍ତାନର ଉଦ୍ୟମକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଏହାସହିତ ଇସଲାମାବାଦରେ ଯଦି ପରବର୍ତ୍ତୀ ଆଲୋଚନା ବୈଠକ ଓ ଶାନ୍ତି ଚୁକ୍ତି ହୁଏ ତେବେ ଟ୍ରମ୍ପ ନିଜେ ପାକିସ୍ତାନ ଗସ୍ତ କରିବେ ବୋଲି କହିଛନ୍ତି। ନେଭାଡା ଗସ୍ତ ପୂର୍ବରୁ ହ୍ବାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତାବେଳେ ଟ୍ରମ୍ପ କହିଥିଲେ, ଇରାନରେ ସ୍ଥିତି ସକରାତ୍ମକ ରହିଛି, ଯାହା ଯୁକ୍ତି ସ୍ବାକ୍ଷରିତ ହେବାର ସଙ୍କେତକୁ ଦର୍ଶାଉଛି। ଯଦି ଇସଲାମାବାଦରେ ଚୁକ୍ତି ସ୍ବାକ୍ଷର ହୁଏ, ତାହା ହେଲେ ମୁଁ ସେଠାକୁ ଯିବ, ସେମାନେ ମୁଁ ଯାଏ ବୋଲି ଚାହୁଛନ୍ତି ବୋଲି ସାମ୍ବାଦିକଙ୍କୁ କହିଛନ୍ତି।
ଟ୍ରମ୍ପ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବାରେ ପାକିସ୍ତାନର ଭୂମିକାକୁ ପ୍ରଶଂସା କରିଥିଲେ ଏବଂ ଇସଲାମାବାଦର ସମ୍ପୃକ୍ତିକୁ ଗଠନମୂଳକ ଭାବରେ ବର୍ଣ୍ଣନା କରିଥିଲେ। ତେବେ ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ଉଦ୍ୟମ କରୁଥିଲେ ମଧ୍ୟ ଦୁଇ ପକ୍ଷ କଥାବାର୍ତ୍ତା ହେବା ନେଇ କୌଣସି ତାରିଖ ସ୍ଥିର ହୋଇପାରିନାହିଁ। ଆଗାମୀ ଆଲୋଚନା କିପରି ହୋଇପାରେ ସେ ବିଷୟରେ ଉଲ୍ଲେଖ କରି ଇସଲାମାବାଦଠାରେ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ବେଳେ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ତାହିର୍ ଅନ୍ଦ୍ରାବି କହିଛନ୍ତି, ବୈଠକକୁ କିଏ ଆସିବେ, ପ୍ରତିନିଧିମଣ୍ଡଳୀ କେତେ ବଡ଼ ହେବ, କିଏ ରହିବେ ଏବଂ କିଏ ଯିବେ ତାହା ସମସ୍ତ ପକ୍ଷ ମିଶି ନିଷ୍ପତ୍ତି ନେବେ। ମଧ୍ୟସ୍ଥି ଭାବରେ ଆଲୋଚନାକୁ ଗୋପନୀୟ ରଖିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଲୋଚନାକାରୀ ପକ୍ଷମାନଙ୍କ ଦ୍ୱାରା ଆମକୁ ଦିଆଯାଇଥିବା ଆଲୋଚନାର ବିବରଣୀ ଏବଂ ସୂଚନା ଆମ ପାଖରେ ରହିଛି। ତେବେ ଏପ୍ରିଲ ୧୨ ତାରିଖରେ ଇସଲାମାବାଦରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ବୈଠକ ନା ସଫଳ ଥିଲା ନା ବିଫଳ ହୋଇଥିଲା ବୋଲି ସେ କହିଛନ୍ତି। ପରମାଣୁ ପ୍ରସଙ୍ଗ ଆଲୋଚନାର ପ୍ରମୁଖ ବିଷୟ ମଧ୍ୟରେ ରହିଛି, କିନ୍ତୁ ଏ ସମ୍ପର୍କରେ ବିସ୍ତୃତ ଭାବରେ କହିବାକୁ ଅନ୍ଦ୍ରାବି ମନା କରିଦେଇଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗୁରୁବାର ଦୋହାରେ ପହଞ୍ଚିଥିଲେ। ବୁଧବାର ଦିନ ଜେଦାହରୁ ଆରମ୍ଭ ହୋଇଥିବା ଚାରି ଦିନିଆ ଆଞ୍ଚଳିକ ଗସ୍ତର ଏହା ଦ୍ୱିତୀୟ ରହଣି। ଅନ୍ୟପକ୍ଷରେ ପାକିସ୍ତାନ ପ୍ରତିରକ୍ଷା ବାହିନୀ ମୁଖ୍ୟ ଅସୀମ ମୁନିର ବୁଧବାର ଏକ ପ୍ରତିନିଧିମଣ୍ଡଳୀ ସହିତ ତେହେରାନରେ ପହଞ୍ଚିଥିଲେ।ଏହି ପ୍ରତିନିଧି ଦଳରେ ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭି ମଧ୍ୟ ସାମିଲ ଥିଲେ। ଗୁରୁବାର ଇରାନର ସଂସଦୀୟ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ମଧ୍ୟ ମୁନିରଙ୍କୁ ଭେଟିଥିଲେ। ପାକିସ୍ତାନରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ରେଜା ଆମରି ମୋଗାଦମ ଇସଲାମାବାଦରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ତେହେରାନ ୱାସିଂଟନ ସହିତ ଆଲୋଚନା ପାଇଁ ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ବିଚାର କରିବ ନାହିଁ। ଅନ୍ୟପକ୍ଷରେ ସରିଫ ଆଣ୍ଟାଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଣ୍ଟାଲିଆ ବୈଠକ ଏକ ବ୍ୟାପକ କୂଟନୈତିକ ପ୍ରୟାସର ଏକ ଅଂଶ। ଏଠାରେ ତୁର୍କୀ, ପାକିସ୍ତାନ, ସାଉଦି ଆରବ ଏବଂ ସମ୍ଭବତଃ ଇଜିପ୍ଟକୁ ନେଇ ଆଞ୍ଚଳିକ ସୁରକ୍ଷା ମଞ୍ଚ ଉପରେ ଆଲୋଚନା କରିବାକୁ ପାକିସ୍ତାନ ପ୍ରସ୍ତୁତ ହେଉଛି। ତୁର୍କୀ ମଧ୍ୟ ଆମେରିକା-ଇରାନ ଚୁକ୍ତି ଆଲୋଚନାକୁ ସମର୍ଥନ ଜଣାଇଛି।
ସୌଜନ୍ୟ ସମ୍ବାଦ

