V Teja martyr: ଦୀପାବଳିରେ ଘରକୁ ଆସିଥାନ୍ତେ ଓଡ଼ିଆ ଯବାନ, ଡିସେମ୍ବର ୧୦ରେ କରିଥାନ୍ତେ ବିବାହ
ଭାରତୀୟ ସେନାରେ କାର୍ଯ୍ୟରତ ଅବସ୍ଥାରେ ନାଗାଲାଣ୍ଡରେ ସହିଦ ହୋଇଥିବା ଭି ତେଜାଙ୍କୁ ତାଙ୍କ ବାସଭବନରେ ଆଜି ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏହି ସମୟରେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଉପସ୍ଥିତ...

ରାୟଗଡ଼ା (ଶିବ ପ୍ରସାଦ ଦୋରା): ଭାରତୀୟ ସେନାରେ କାର୍ଯ୍ୟରତ ଅବସ୍ଥାରେ ନାଗାଲାଣ୍ଡରେ ଗତ ସୋମବାର ଦିନ ସହିଦ ହୋଇଥିବା ଭି ତେଜାଙ୍କୁ ତାଙ୍କ ବାସଭବନରେ ଆଜି ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏହି ସମୟରେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଉପସ୍ଥିତ ଥିଲେ। ବାସଗୃହରେ ରାୟଗଡ଼ା ସହରର ଶହଶହ ଜନସାଧାରଣ ଉପସ୍ଥିତ ରହି ଶୋକ ପ୍ରକଟ କରିଥିଲେ। ବିଜେପି, କଂଗ୍ରେସ, ବିଜେଡି ନେତାମାନେ ବାସଭବନକୁ ଆସି ଶୋକ ପ୍ରକାଶ କରିଥିଲେ।
ଅଙ୍ଗଦାନ କଲେ ଯବାନ
ସୂଚନାଯୋଗ୍ୟ, ନାଗାଲIଣ୍ଡରେ ସହିତ ହୋଇଥିଲେ ରାୟଗଡ଼ାର ଯୁବକ ଭି ତେଜା। ସେ ଭାରତୀୟ ସେନାର ଆସାମ ରାଇଫଲସରେ ଯବାନ ରୂପେ କାର୍ଯ୍ୟରତ ଥିଲେ। ସେ ୨୦୨୨ରେ ଭାରତୀୟ ସେନାରେ ଯୋଗଦେଇଥିଲେ। ଦୁଇ ବର୍ଷ ତଳେ ତେଜା ନିଜର ଅଙ୍ଗଦାନ କରିବା ନେଇ ଘୋଷଣାପତ୍ର ସ୍ଵାକ୍ଷର କରିଥିଲେ। ସେହି ଅନୁଯାୟୀ ତାଙ୍କର ବିଭିନ୍ନ ଅଙ୍ଗ ସେଠାକାର ସ୍ଥାନୀୟ ଡାକ୍ତରଖାନାରେ କଢ଼ା ଯାଇ ସଂରକ୍ଷିତ କରି ରଖାଯାଇଥିବା ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି।
ଅମର ରହିଲେ ଯବାନ
ତେଜାଙ୍କ ମରଶରୀରକୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହାଇଦ୍ରାବାଦ ଦେଇ ବିଶାଖାପାଟଣା ଅଣାଯାଇଥିଲା। ସେଠାରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗତକାଲି ରାତି ୧୦.୩୦ ସମୟରେ ରାୟଗଡା ଅଣାଯାଇଥିଲା। ରାୟଗଡ଼ଶ ପହଂଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ କତୁରୁସ୍ଥିତ ବାସଭବନକୁ ଅଣାଯାଇଥିଲା। ପରିବାର ଲୋକ ସୂଚନା ପ୍ରଦାନ କରି କହିଛନ୍ତି, ଡିସେମ୍ବର ୧୦ତାରିଖ ଦିନ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତେଜା ଦୀପାବଳି ଦିନ ରାୟଗଡାରେ ପହଂଚିବା କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ନିୟତିର ନିର୍ଦେଶ ଅଲଗା ପ୍ରକାର ରହିଥିଲା ଏବଂ ନିଜ ପାଇଁ ସୁନେଲି ସ୍ବପ୍ନ ଦେଖିଥିବା ତେଜା ଦେଶ ପାଇଁ ସହିଦ ହୋଇଗଲେ। ନିଜେ ଅଙ୍ଗଦାନ କରିଥିବାରୁ ସେ ଅନ୍ୟ ଜଣଙ୍କ ଜୀବନରେ ନୁଆଁ ଜୀବନ ଦେଇ ଅମର ହୋଇଯାଇଛନ୍ତି।
ସୌଜନ୍ୟ ସମ୍ବାଦ



