Odisha High Court: ବନ୍ଦୀ ସ୍ଥାନାନ୍ତରଣ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ
ବନ୍ଦୀଙ୍କୁ ଗୋଟିଏ ଜେଲରୁ ଅନ୍ୟ ଏକ ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଆଇନରେ ଥିବା ବ୍ୟବସ୍ଥା ପାଳନ କରାଯାଉ ନଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି।

କଟକ: ବନ୍ଦୀଙ୍କୁ ଗୋଟିଏ ଜେଲରୁ ଅନ୍ୟ ଏକ ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଆଇନରେ ଥିବା ବ୍ୟବସ୍ଥା ପାଳନ କରାଯାଉ ନଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡି.ବରାଳଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଚାରି ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଜେଲ୍ କର୍ତ୍ତୃପକ୍ଷ ଆଇନଗତ ପ୍ରକ୍ରିୟା ଅନୁସରଣ ନକରି ମନମୁଖୀ ଭାବରେ ବନ୍ଦୀଙ୍କୁ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରୁଛନ୍ତି। ସୁପ୍ରିମକୋର୍ଟ ‘ମହାରାଷ୍ଟ୍ର ସରକାର ବନାମ ସହୀଦ ସୋହେଲ ସେଖ’ ମାମଲାରେ ଜେଲ୍ ସ୍ଥାନାନ୍ତରଣ ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ। ବନ୍ଦୀଙ୍କୁ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ଏହି ରାୟରେ ରହିଥିବା ନିର୍ଦ୍ଦେଶ ପାଳନ କରାଯିବା କଥା। କିନ୍ତୁ ଏପରି କରାଯାଉ ନାହିଁ। ଜଣେ ବନ୍ଦୀଙ୍କୁ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବା ସମ୍ପର୍କିତ ବିବାଦର ସମାଧାନ ହାଇକୋର୍ଟଙ୍କ ଦ୍ୱାରା ଏକ ନ୍ୟାୟିକ ନିଷ୍ପତ୍ତି ମାଧ୍ୟମରେ ହେବା ଆବଶ୍ୟକ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।
ସୌଜନ୍ୟ ସମ୍ବାଦ



