Vegetable: ହାଣ୍ଡିଶାଳରେ ଦରଦାମ ତାତି: ତେଲ, ଗ୍ୟାସ୍‌ ପରେ ପରିବା ଦର ବଢ଼ିଲା

ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶରେ ଏଲ୍‌ପିଜି ଦର ମାର୍ଚ୍ଚ ମାସରେ ବଢ଼ିଲା। ବାଣିଜ୍ୟିକ ଏଲ୍‌ପିଜି ନ ମିଳିବାରୁ ହୋଟେଲ ଓ ରେସ୍ତୋରାଁରେ ଖାଇବା ମହଙ୍ଗା ହୋଇଥିଲା। ୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ‌ରେ ବିଧାନସଭା ନିର୍ବାଚନ ସରିବା ପରେ ‌ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ୯ ଦିନରେ ୩ ଥର ବଢ଼ାଇଲେ। ଏଥିପାଇଁ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଲିଟର ପିଛା ୫ ଟଙ୍କା ମହଙ୍ଗା ହୋଇଯାଇଛି। ବିଗତ କିଛିଦିନ ମଧ୍ୟରେ ଖାଇବା ତେଲ, ଡାଲି ଦର ବଢ଼ିଥିବା‌ବେଳେ ଆଜି କଞ୍ଚା ପରିବା ଦର ବଢ଼ିଯାଇଛି। ପ୍ରାୟ ସବୁ କଞ୍ଚା ପରିବା ଦର ଭୁବନେଶ୍ବରର ପାଇକାରୀ ବଜାରରେ କିଲୋଗ୍ରାମ ପିଛା ୫ରୁ ୧୦ ଟଙ୍କା ଲେଖାଏଁ ବଢ଼ିଯାଇଛି। ସୂଚନା ଅନୁଯାୟୀ, ଆଜି ରାଜଧାନୀରେ ବାଇଗଣର ଖୁଚୁରା ଦର ୬୦ ଟଙ୍କା, କଲରା ଦର ୬୦ରୁ ୮୦ ଟଙ୍କା, କାଙ୍କଡ଼ ୬୦ରୁ ୮୦ ଟଙ୍କା, ଗାଜର ୪୦ରୁ ୬୦ ଟଙ୍କା, ସଜନା ଛୁଇଁ ୮୦ରୁ ୧୦୦ ଟଙ୍କା, ଟମାଟୋ ୫୦ରୁ ୬୦ ଟଙ୍କା, ଭେଣ୍ଡି ୪୦ରୁ ୬୦ ଟଙ୍କା, ପୋଟଳ ୪୦ରୁ ୬୦ ଟଙ୍କା, କଖାରୁ ୩୦ ଟଙ୍କା, ଅମୃତଭଣ୍ଡା ୩୦ ଟଙ୍କା, ବନ୍ଧା କୋବି ୩୦ ଟଙ୍କାରେ ବିକ୍ରି ହୋଇଛି। ରାଜଧାନୀର ଖୁଚୁରା ବଜାରରେ ଅଦା ଓ ରୁସଣ ଦର କିଲୋଗ୍ରାମ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି। ସପ୍ତାହକ ପୂର୍ବେ ହରଡ଼ ଡାଲି ଦାମ୍‌ କିଲୋଗ୍ରାମ ପିଛା ୧୨୦ ଟଙ୍କା ଥିବାବେଳେ ‌ସଂପ୍ରତି ତାହା ୧୩୦ ଟଙ୍କାରେ ବିକ୍ରି ହେଉଛି। ସୋରିଷ ତେଲ ଓ ରିଫାଇନ୍‌ ତେଲ ଦର ଲିଟର ପିଛା ୧୦ ଟଙ୍କା ଲେଖାଏଁ ବଢ଼ି ଯଥାକ୍ରମେ ୧୯୦ ଟଙ୍କା ଓ ୧୮୦ ଟଙ୍କା ହୋଇଛି।

ମନଇଚ୍ଛା ଏମ୍‌ଆର୍‌ପି ଲେଖାଯାଉଛି
ଡାଲି, ତେଲ ବି ମହଙ୍ଗା

ଓଡ଼ିଶାକୁ ଅଧିକାଂଶ ଖାଦ୍ୟ ସାମଗ୍ରୀ ପଶ୍ଚିମବଙ୍ଗ, ଆନ୍ଧପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଓ ତାମିଲନାଡ଼ୁ ଭଳି ରାଜ୍ୟରୁ ଆସୁଛି। ଏଥିସହିତ ପାଇକାରୀ ବଜାରରୁ ଖୁଚୁରା ବଜାରରେ ସାମଗ୍ରୀ ପହଞ୍ଚିବା ଲାଗି ୩ରୁ ୪ ହାତ ହୋଇଯାଉଛି। ତେଣୁ ଖାଉଟି ନିକଟରେ ସାମଗ୍ରୀ ପହଞ୍ଚିଲା ବେଳକୁ ଦର ୩ରୁ ୪ ଗୁଣା ବଢ଼ିଯାଉଛି। ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘ ସଭାପତି କବିରାଜ ସ୍ବାଇଁଙ୍କ ମତରେ ପରିବହନ ଖର୍ଚ୍ଚ ୧୦ ପ୍ରତିଶତ ବଢ଼ିଯାଇଛି। ସେଥିପାଇଁ ପରିବା ଦର ବଢ଼ିଯାଇଛି। ଆଗକୁ ସ୍ଥାନୀୟ ପରିବା ଶେଷ ହେବ। ଏହା ପରେ ଦରଦାମ ଆହୁରି ଅଧିକ ବଢ଼ିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ବଜାରରେ ୨ରୁ ୫ ପ୍ରତିଶତ ଦର ବଢ଼ିବା ଓ କମିବା ସ୍ବାଭାବିକ। କିନ୍ତୁ ଦର ଏବେ ଅସ୍ବାଭାବିକ ଭାବେ ବଢ଼ୁଛି। ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ଯିଏ ଯାହା ପାରିଲା ଲେଖୁଛି। ଉତ୍ପାଦନ ଖର୍ଚ୍ଚ କେତେ ରହୁଛି ଏବଂ ବିକ୍ରି ମୂଲ୍ୟ କେତେ ରହିବା ଉଚିତ, ସେ ସଂକ୍ରାନ୍ତରେ କେହି ଧ୍ୟାନ ଦେଉନାହାନ୍ତି। ସେହିଭଳି ଆମଦାନି ପରେ ଖାଇବା ତେଲ, ଡାଲି ଆଦି ଦର କେତେ ରହୁଛି ଏବଂ ଖାଉଟିଙ୍କୁ ବଜାରରେ କେତେ ଦରରେ ବିକ୍ରି କରାଯାଉଛି ସେ ବାବଦରେ ମଧ୍ୟ ସରକାରଙ୍କ ନଜର ନାହିଁ। ତେଣୁ ଦରଦାମ ବହୁମାତ୍ରାରେ ବଢ଼ୁଛି ଏବଂ ଖାଉଟି ଅସୁବିଧାରେ ପଡ଼ୁଛନ୍ତି।

ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦରଦାମ ନିୟନ୍ତ୍ରଣ ପାଇଁ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରତି ୨ ମାସରେ ଥରେ ଏହି କମିଟିର ବୈଠକ କରିବା ପାଇଁ କୁହାଯାଇଥିଲା। କିନ୍ତୁ ୩ ମାସ ହେଲାଣି ସରକାର ସେହି ପ୍ରସ୍ତାବକୁ ଏପର୍ଯ୍ୟନ୍ତ ବିଚାରକୁ ନେଇ ନଥିବାରୁ ଶ୍ରୀ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି। ସେହିଭଳି ଖଚୁରା ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ଦର ଉଚ୍ଚା ରହୁଛି ବୋଲି କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ