Water Mafia: ମାତିଛନ୍ତି ‘ପାଣି ମାଫିଆ’: ସ୍ମାର୍ଟସିଟିରେ କଲବଲ ଜନତା
୨୦୨୨ରେ ପାଇପ୍ ବିଛାଇଲେ ଓ ୨୦୨୪ରେ ମିଟର ବସାଇଲେ, କିନ୍ତୁ ଏଯାଏଁ ପାଣିର ଦେଖାଦର୍ଶନ ନାହିଁ। ଗୋଟିଏ ପଟେ ପାଣିଦିଆଯାଉନି, କିନ୍ତୁ ଅପରପଟେ ପାଣି ବିଲ୍ ବାବଦକୁ ଟଙ୍କା ନେବାକୁ ପହଞ୍ଚିଯାଉଛନ୍ତି।

ଗୋପବନ୍ଧୁପାଲିରୁ ଦେବବ୍ରତ ଗଡ଼ତିଆଙ୍କ ରିପୋର୍ଟ
ରାଉରକେଲା: ୨୦୨୨ରେ ପାଇପ୍ ବିଛାଇଲେ ଓ ୨୦୨୪ରେ ମିଟର ବସାଇଲେ, କିନ୍ତୁ ଏଯାଏଁ ପାଣିର ଦେଖାଦର୍ଶନ ନାହିଁ। ଗୋଟିଏ ପଟେ ପାଣିଦିଆଯାଉନି, କିନ୍ତୁ ଅପରପଟେ ପାଣି ବିଲ୍ ବାବଦକୁ ଟଙ୍କା ନେବାକୁ ପହଞ୍ଚିଯାଉଛନ୍ତି। ସରକାରଙ୍କ ପକ୍ଷରୁ ପାନୀୟଜଳ ଯୋଗାଣ କରାଯାଉନଥିବାରୁ ବାଧ୍ୟ ହୋଇ ପାଣି କିଣୁଛୁ। କ୍ଷୋଭର ସହ ଏଭଳି କହିଛନ୍ତି ରାଉରକେଲା ମହାନଗର ନିଗମ ୱାର୍ଡ ନଂ ୨୨ର ବାସିନ୍ଦା ରୀତା ମାଝୀ। କେବଳ ରୀତା ନୁହନ୍ତି, ଜ୍ୟୋତି ଟପୋ, ନାରାୟଣ ଘୋଷ ଏବଂ ଏକାଧିକ ସ୍ଥାନୀୟ ବାସିନ୍ଦାଙ୍କ ସମାନ ଅଭିଯୋଗ। କିଛି ଅଞ୍ଚଳରେ ପାଣି ଦିଆଯାଉଥିବାବେଳେ ଅନ୍ୟ କିଛି ଅଞ୍ଚଳରେ ପାଣି ଦିଆନଯିବା, ଅସଂପୂର୍ଣ୍ଣ ପାଇପ୍ ବିଛା କାମ, ନିର୍ଦ୍ଦିଷ୍ଟ ସମୟରେ ପାଣି ଯୋଗାଇବା ପରିବର୍ତ୍ତେ ହାତଗଣତି ୫ ମିନିଟ୍ ପାଇଁ ଦେବା, ବାରମ୍ବାର ଅଭିଯୋଗ ସତ୍ତ୍ବେ ୱାଟ୍କୋ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନ ପଡ଼ିବା ଆଦି ସମସ୍ୟା ସ୍ଥାନୀୟ ଗୋପବନ୍ଧୁପାଲି, ଟିମ୍ବର କଲୋନିରେ ଦୀର୍ଘଦିନ ହେଲା ବଳବତ୍ତର ରହିଛି।
ଏମାନଙ୍କ ଘର ରାଉରକେଲା ମହାନଗର ନିଗମ ପରିସର ଭିତରେ ତଥା ସ୍ମାର୍ଟସିଟି କ୍ଷେତ୍ରରେ ଅବସ୍ଥିତ। କିନ୍ତୁ ଏଠାରେ ପାନୀୟ ଜଳ ଅପହଞ୍ଚ। ବହୁବର୍ଷ ହେଲା ଲାଗିରହିଥିବା ଏହି ସମସ୍ୟା ସମାଧାନ ହେବାର ନାଁ ନେଉନି। ରାଉରକେଲା ମହାନଗର ନିଗମ ୱାର୍ଡ ନଂ ୨୨,୨୩ ଓ ୨୪ ଅନ୍ତର୍ଗତ ଗୋପବନ୍ଧୁପାଲି, ଟିମ୍ବର କଲୋନି ଅଞ୍ଚଳରେ ଛୋଟବଡ଼ ପ୍ରାୟ ୨୦ଟି ବସ୍ତି ରହିଛି। ଏହି ଅଞ୍ଚଳରେ ରହୁଥିବା ପ୍ରାୟ ୫ ହଜାରରୁ ଅଧିକ ଲୋକଙ୍କ ପାଇଁ ପାଇପ୍ ପାନୀୟଜଳ ଯୋଗାଣ ଏପର୍ଯ୍ୟନ୍ତ ସମ୍ଭବ ହେଲାନି। ବିଶେଷ କରି ଗୋପବନ୍ଧୁପାଲି, ବିବେକାନନ୍ଦପଲ୍ଲୀ, ରାଜୀବ ବସ୍ତି, ରିମଝିମ ବସ୍ତି, ଉପର ଇନ୍ଦିରା ନଗର ଓ ତଳ ଇନ୍ଦିରା ନଗର ଆଦି ଅଞ୍ଚଳରେ ସ୍ଥିତି ଉଦ୍ବେଗଜନକ।
ସୌଜନ୍ୟ ସମ୍ବାଦ



