World Cup: ଜର୍ମାନୀକୁ ବିଦା କରି ପାରାଗୁଏ ରଚିଲା ଇତିହାସ ବିଶ୍ବକପ୍ରେ ପ୍ରଥମ ଥର ପେନାଲ୍ଟିରେ ଜର୍ମାନୀ ନକ୍ ଆଉଟ୍
୪ ଥର ବିଜେତା ଜର୍ମାନୀକୁ ଚକିତ କରି ପାରାଗୁଏ ଐତିହାସିକ ବିଜୟ ସହ ଚଳିତ ଫିଫା ବିଶ୍ବକପ୍ର ପ୍ରି-କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛି। ଅନେକ ଆଶା ନେଇ ଆମେରିକା ଆସିଥିବା ଜର୍ମାନୀର ପଞ୍ଚମ ବିଶ୍ବକପ୍ ବିଜୟର ସ୍ବପ୍ନ ବି ଧୂଳିସାତ ହୋଇଯାଇଛି।

ଫକ୍ସବରୋ: ୪ ଥର ବିଜେତା ଜର୍ମାନୀକୁ ଚକିତ କରି ପାରାଗୁଏ ଐତିହାସିକ ବିଜୟ ସହ ଚଳିତ ଫିଫା ବିଶ୍ବକପ୍ର ପ୍ରି-କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛି। ଅନେକ ଆଶା ନେଇ ଆମେରିକା ଆସିଥିବା ଜର୍ମାନୀର ପଞ୍ଚମ ବିଶ୍ବକପ୍ ବିଜୟର ସ୍ବପ୍ନ ବି ଧୂଳିସାତ ହୋଇଯାଇଛି। ଏହି ଶକ୍ତିଶାଳୀ ୟୁରୋପୀୟ ଦଳକୁ ସୋମବାର ରାତିରେ ଦକ୍ଷିଣ ଆମେରିକୀୟ ଦେଶ ପାରାଗୁଏ ୪-୩ (୧-୧) ପେନାଲ୍ଟି ଗୋଲ୍ରେ ହରାଇ ଐତିହାସିକ ସଫଳତା ଅର୍ଜନ କରିଛି। ପ୍ରଥମ ଥର ପାଇଁ ଜର୍ମାନୀ ଏକ ବିଶ୍ବକପ୍ ମ୍ୟାଚ୍ରେ ବି ପେନାଲ୍ଟି ସୁଟ୍ଆଉଟ୍ରେ ନକ୍ ଆଉଟ୍ ହୋଇଛି। ଉଚ୍ଚମାନସିକ ଚାପ ଭରା ଏହି ମ୍ୟାଚ୍ରେ ଜର୍ମାନୀ ଆତ୍ମସମର୍ପଣ କରିବା କୋଟି କୋଟି ଫୁଟ୍ବଲ୍ପ୍ରେମୀଙ୍କୁ ନିରାଶ କରିଛି। ସମାନ ସମୟରେ ପାରାଗୁଏ ନୂଆ ପ୍ରଶଂସକଙ୍କୁ ସ୍ମରଣୀୟ ମୁହୂର୍ତ ଅର୍ପଣ କରିଛି।ନିର୍ଦ୍ଧାରିତ ସମୟରେ ଏହି ମ୍ୟାଚ୍ ୧-୧ ଗୋଲ୍ରେ ଶେଷ ହେବା ପରେ ଅତିରିକ୍ତ ୩୦ ମିନିଟ୍ ଖେଳ ହୋଇଥିଲା। ଯେଉଁ ସମୟରେ ଉଭୟ ଦଳ ଗୋଲ୍ ଦେବାରେ ସକ୍ଷମ ହୋଇନଥିଲେ। ୧୨୦ ମିନିଟ୍ର ସଂଘର୍ଷ ପରେ ପେନାଲ୍ଟି ବେଳକୁ କିନ୍ତୁ କାଇ ହାର୍ଭେଜ୍, ନିକ୍ ୱଲ୍ଟେମେଡ୍ ଏବଂ ୟୋନାଥନ ତାହ ବିଫଳ ହେବା ଜର୍ମାନୀକୁ ଅଶ୍ରୁଳ ବିଦାୟର ରାସ୍ତା ଦେଖାଇଥିଲା। ପେନାଲ୍ଟି ସମୟରେ ପାରାଗୁଏ ଗୋଲି ଅର୍ଲାଣ୍ଡୋ ଗିଲ୍ଙ୍କ ଚମତ୍କାର ପ୍ରଦର୍ଶନ ବି ଫୁଟ୍ବଲ୍ ବିଶାରଦମାନଙ୍କୁ ଚକିତ କରି ଦେଇଥିଲା। ପେନାଲ୍ଟି ସୁଟ୍ ଆଉଟ୍ ସମୟରେ କେବଳ ଶାରୀରିକ ସାମର୍ଥ୍ୟ ନୁହେଁ ମନସ୍ତାତ୍ତ୍ବିକ ଚାପ ବି ପରୀକ୍ଷା ନିଏ ବୋଲି ପୁଣି ଥରେ ପ୍ରମାଣିତ ହୋଇଯାଇଛି।
ଇକ୍ବେଡରରେ ଜାତୀୟ ଛୁଟି ଘୋଷଣା ହୋଇଥିଲା
ଏହି ମ୍ୟାଚ୍ର ନିୟମିତ ସମୟରେ ଜୁଲିଓ ଏନ୍ସିକେ ୪୨ ମିନିଟ୍ରେ ପାରାଗୁଏକୁ ଅଗ୍ରଣୀ ଦେଇଥିଲେ। ଏହି ଗୋଲ୍ ସହ ପାରାଗୁଏ ମଧ୍ୟ ପ୍ରଥମାର୍ଦ୍ଧ ସମ୍ମାନ ନିଜ ସପକ୍ଷରେ ରଖିଥିଲ। ଦ୍ବିତୀୟାର୍ଦ୍ଧ ପ୍ରାରମ୍ଭରୁ କିନ୍ତୁ ଜର୍ମାନୀ ବରାବର ସ୍ତରକୁ ଚାଲି ଆସିଥିଲା। ୫୪ତମ ମିନିଟ୍ରେ କାଇ ହାର୍ଭେଜଙ୍କ ଗୋଲ୍ ଜର୍ମନୀ ଶିବିରରେ ଅସମ୍ଭବ ଉତ୍ସାହ ଭରି ଦେଇଥିଲା। ମ୍ୟାଚ୍ ଅବଶିଷ୍ଟ୍ ୬୬ ମିନିଟ୍ କିନ୍ତୁ ଗୋଲ୍ ପାଇଁ ଉଭୟ ଦଳ ସଂଘର୍ଷ କରିବାରୁ ପେନାଲ୍ଟି ସୁଟ୍ଆଉଟ୍ ନିର୍ଣ୍ଣାୟକ ହୋଇଥିଲା। ଶେଷକୁ ଉତ୍କଣ୍ଠାପୂର୍ଣ୍ଣ ଏହି ମ୍ୟାଚକୁ ୪-୩ରେ ବାଜି ମାରି ନେଇଥିଲା ପାରାଗୁଏ।
ପାରାଗୁଏରେ ଜାତୀୟ ଛୁଟି ଘୋଷଣ
ଐତିହାସିକ ବିଜୟ ପରେ ପାରାଗୁଏ ରାଷ୍ଟ୍ରପତି ସାଣ୍ଟିଆଗୋ ପେନା ଦେଶବ୍ୟାପୀ ଉତ୍ସବ ମନାଇବା ପାଇଁ ଗୋଟିଏ ଦିନ ଜାତୀୟ ଛୁଟି ଘୋଷଣା କରିଛନ୍ତି। ଏହି ଦକ୍ଷିଣ ଆମେରିକୀୟ ଦେଶ ଏବେ ଉତ୍ସବ ମୁଖର ହୋଇପଡ଼ିଛି। ଫୁଟ୍ବଲ୍ ଇତିହାସରେ ଏହା ଅନ୍ୟତମ ବଡ଼ ବିପର୍ଯ୍ୟୟ ଭାବେ ଗଣାଯାଉଛି। ପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ଜର୍ମାନୀକୁ ହରାଇବା ପରେ ଇକ୍ବେଡରରେ ମଧ୍ୟ ଜାତୀୟ ଛୁଟି ଘୋଷଣା ହୋଇଥିଲା। ‘ଆଜି ସମଗ୍ର ଦେଶ ଉତ୍ସବ ପାଳୁଛି। ଆମ ପରିଚୟର ଗଭୀରତମ ଅଂଶକୁ ଏହି ବିଜୟ ପ୍ରତିନିଧିତ୍ବ କରୁଛି। ଏହା ଆମ ନଛୋଡ଼ବଦ୍ଧା ଚରିତ୍ର, ସାମର୍ଥ୍ୟ, ସଙ୍କଳ୍ପ ଓ ବିଶ୍ବାସର ପ୍ରତୀକ’ ବୋଲି ରାଷ୍ଟ୍ରପତି ପେନା ପ୍ରକାଶ କରିଛନ୍ତି। ଏହି ବିଜୟ ଖେଳଠାରୁ ବି ବହୁ ଉର୍ଧ୍ବରେ ବୋଲି ସେ ଅଭିହିତ କରିଛନ୍ତି। ଏଭଳି ଏକ ଚମକପ୍ରଦ ବିଜୟଠାରୁ ସରକାର କେବେ ଭିନ୍ନ ହୋଇପାରିବେ ନାହିଁ। ସମସ୍ତ ପାରାଗୁଏବାସୀଙ୍କ ପାଇଁ ଏହା ଐତିହାସିକ ବିଜୟର ଦିନ’ ବୋଲି ସେ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ଗତ ସପ୍ତାହରେ ଗ୍ରୁପ୍ ‘ଇ’ରେ ଜର୍ମାନୀକୁ ଇକ୍ବେଡର୍ ୨-୧ ଗୋଲ୍ରେ ହରାଇବା ପରେ ଏହି ଦେଶର ରାଷ୍ଟ୍ରପତି ଡାନିଏଲ୍ ନୋବାଏ ମଧ୍ୟ ଜାତୀୟ ଛୁଟି ଘୋଷଣା କରିଥିଲେ। ଏହି ବିଜୟ ସହ ଇକ୍ବେଡର୍ ମଧ୍ୟ ନକ୍ ଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିଥିଲା।
ସୌଜନ୍ୟ ସମ୍ବାଦ




