FSSAI Ashwagandha advisory: ଶରୀରର ଶକ୍ତି ବଢ଼ାଇବାକୁ ଅଶ୍ବଗନ୍ଧା ଖାଉଛନ୍ତି କି ?

ନୂଆଦିଲ୍ଲୀ: ଆୟୁର୍ବେଦିକ ଗ୍ରନ୍ଥ ଅନୁସାରେ, ଅଶ୍ୱଗନ୍ଧା ମୂଳ ବା ଚେର ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଏହାକୁ ସଠିକ ପରିମାଣରେ ସେବନ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ। ଅଶ୍ୱଗନ୍ଧାକୁ ଏକ ଔଷଧ ଭାବରେ ସେବନ କରାଯାଏ, ଯାହା ଶରୀରର ଶକ୍ତି ବୃଦ୍ଧି କରିବା ସହ ଚାପ କମାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। କିନ୍ତୁ ଅଶ୍ବଗନ୍ଧା ସେବନକୁ ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ନୂଆ ଚେତାବନୀ ଜାରି କରିଛି । ଅଶ୍ୱଗନ୍ଧା ପତ୍ର ବ୍ୟବହାରକୁ ନିଷେଧ କରିଛି ଏଫଏସଏସଆଇ ।
Health supliment, ଖାଦ୍ୟ କିମ୍ବା ଅନ୍ୟ ଉତ୍ପାଦରେ ଅଶ୍ବଗନ୍ଧାର ଚେର ବ୍ୟବହର ପାଇଁ ଅନୁମତି ରହିଛି । ହେଲେ କିଛି କମ୍ପାନୀ ସେମାନଙ୍କ ଖାଦ୍ୟ ଉତ୍ପାଦରେ ଅଶ୍ବଗନ୍ଧାର ପତ୍ର ବ୍ୟବହାର କରୁଛନ୍ତି । ତେଣୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ପତ୍ରର ବ୍ୟବହାର ଉପରେ ବ୍ୟାନ ଲଗାଇ ଦେଇଛି । କୌଣସି ଖାଦ୍ୟ ଉତ୍ପାଦରେ ଅଶ୍ବଗନ୍ଧାର ପତ୍ର ବ୍ୟବହାର ହୋଇପାରିବ ନାହିଁ । ଆୟୁଷ ମନ୍ତ୍ରଣାଳୟ ମଧ୍ୟ, ଅଶ୍ବଗନ୍ଧାର ଚେର ବ୍ୟବହାରକୁ ଅନୁମତି ଦେଇଥିବା ବେଳେ, ପତ୍ର ବ୍ୟବହାର ଉପରେ ରୋକ ଲଗାଇଛି ।
ସେପଟେ ଆୟୁର୍ବେଦିକ ବିଶେଷଜ୍ଞଙ୍କ ଅନୁସାରେ, ପୂରାତନ ଗ୍ରନ୍ଥରେ ଅଶ୍ବଗନ୍ଧାର ଚେର ସେବନ ସଂପର୍କରେ ଉଲ୍ଲେଖ ରହିଛି । ହେଲେ ଏହା ପତ୍ରରେ ଔଷଧୀୟ ଗୁଣ ରହିଛି। କିନ୍ତୁ ଏଥିରେ ବିଭିନ୍ନ ଉପାଦାନ ଅସନ୍ତୁଳିତ ଉପାୟରେ ଥାଇପାରେ । ଅଶ୍ବଗନ୍ଧାର ଚେରକୁ ଔଷଧୀୟ ଉତ୍ପାଦ ଭାବରେ ସେବନ କରାଯାଇପାରିବ, କିନ୍ତୁ ଏହାର ପତ୍ର ସେବନ କରିବା ଠିକ୍ ନୁହେଁ । ଏହି ପତ୍ର ଶରୀରରେ ଟକ୍ସିସିଟି ବଢ଼ାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଯଦିଓ ଅଶ୍ବଗନ୍ଧା ଚେର ଶରୀର ପାଇଁ ଭଲ, କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ବିନା ଏହାକୁ ସେବନ କରିବା ଅନୁଚିତ ।
ଅଶ୍ବଗନ୍ଧା କ’ଣ ?
ଅଶ୍ବଗନ୍ଧାର ବୈଜ୍ଞାନିକ ନାମ ‘Withania somnifera’ । ଅଶ୍ବଗନ୍ଧା ଦୁଇଟି ସଂସ୍କୃତ ଶବ୍ଦ ‘ଅଶ୍ବ’ ଏବଂ ‘ଗନ୍ଧ’ରୁ ସୃଷ୍ଟି । ଏହାର ଚେରରୁ ଅଶ୍ବର ସ୍ବେଦ ଭଳି ଗନ୍ଧ ବାହାରେ । କୁହାଯାଏ, ଅଶ୍ବଗନ୍ଧାର ଚେର ସେବନ କଲେ, ବ୍ୟକ୍ତିକୁ ଘୋଡ଼ା ଭଳି ଶକ୍ତି ମିଳେ । ରିପୋର୍ଟ ଅନୁସାରେ, ଅଶ୍ବଗନ୍ଧା ଶରୀରରେ କର୍ଟିସୋଲ (Cortisol)ର ମାତ୍ରାକୁ କମ୍ କରେ, ଏହା ଏକ ଷ୍ଟ୍ରେସ୍ ହରମୋନ୍ । ଅଶ୍ବଗନ୍ଧା ମସ୍ତିଷ୍କକୁ ଥଣ୍ଡା ରଖିବାରେ ବି ସାହାଯ୍ୟ କରେ । ଆଥଲେଟ୍ ଏବଂ ଜିମ୍ କରୁଥିବା ଲୋକେ, ମାଂଶପେସୀର ଶକ୍ତି ଏବଂ ଷ୍ଟାମିନା ବଢ଼ାଇବାକୁ ଏହାର ସେବନ କରନ୍ତି ।
ସୌଜନ୍ୟ Prameya News7




