ଘର ଭଡ଼ା ଭତ୍ତାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନିଯୁକ୍ତି ପାଇଥିବା ସ୍ଥାନକୁ ମୁଖ୍ୟ କାର୍ଯ୍ୟାଳୟ ବୋଲି ଧରାଯିବ

କଟକ,୧୮/୦୮: ପୌର ସଂସ୍ଥା ଅଧୀନରେ ଘର ଅଛି । ଯେଉଁ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଛନ୍ତି ଉକ୍ତ ସଂସ୍ଥାର କାର୍ଯ୍ୟାଳୟ ମଧ୍ୟ ପୌର ସଂସ୍ଥା ଅଧୀନରେ ଆସୁଛି । ଏଥିପାଇଁ ତାଙ୍କୁ ଘର ଭଡ଼ା ଭତ୍ତା ୪ %ରୁ ୮ % ଦିଆଯିବା ଲାଗି କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ପ୍ଲେସ୍ ଅଫ୍ ହେଡକ୍ୱାର୍ଟର ଅର୍ଥାତ ନିଯୁକ୍ତି ମୁଖ୍ୟାଳୟର ଅର୍ଥ ମୁଖ୍ୟ କାର୍ଯ୍ୟାଳୟ ନୁହେଁ । ଯେଉଁ ସଂସ୍ଥାରେ ଜଣେ କର୍ମଚାରୀ କାମ କରୁଛନ୍ତି ଉକ୍ତ ସ୍ଥାନଟି ହେଉଛି ନିଯୁକ୍ତି ମୁଖ୍ୟାଳୟ । ତେଣୁ ଆବେଦନକାରୀଙ୍କୁ ୮% ଭତ୍ତା ନଦେବା ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଠିକ୍ ବୋଲି ହାଇକୋର୍ଟ ମତଦେବା ସହ ଆବେଦନକାରୀଙ୍କ ପିଟିସନ୍କୁ ଖାରଜ କରି ଦେଇଛନ୍ତି । ସୁରେଶ ଚନ୍ଦ୍ର ପରିଜାଙ୍କ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବି.ପି. ରାଉତରାୟ ଏହି ଆଦେଶ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ଆବେଦନକାରୀ ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ୭ ନମ୍ବର ୱାର୍ଡର ଓହଳ ଗ୍ରାମରେ ରହୁଥିବାବେଳେ ସ୍ଥାନୀୟ ସମଙ୍ଗର ବଜ୍ର ସେହ୍ନା ସରକାରୀ ଉଚ୍ଚ ବିଦ୍ୟାଳୟରେ କନିଷ୍ଠ ସହାୟକ ନିଯୁକ୍ତି ପାଇଛନ୍ତି । ତାଙ୍କର ଯୁକ୍ତି ହେଉଛି, ସେ ପୌରାଞ୍ଚଳ ଭିତରେ ରହୁଥିଲାବେଳେ ତାଙ୍କ ମୁଖ୍ୟ କାର୍ଯ୍ୟାଳୟ ଅର୍ଥାତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ପୌରାଞ୍ଚଳ ମଧ୍ୟରେ ଆସୁଛି । ତେଣୁ ସେ ନିୟମ ଅନୁଯାୟୀ, ୪ % ଘରଭଡ଼ା ଭତ୍ତା ପରିବର୍ତ୍ତେ ୮ % ଘରଭଡ଼ା ଭତ୍ତା ପାଇବା ଉଚିତ୍ ।
ରାଜ୍ୟ ସରକାର ଦର୍ଶାଇଥିଲେ ଯେ, ଆବେଦନକାରୀଙ୍କ ମୁଖ୍ୟ କାର୍ଯ୍ୟାଳୟ ହେଉଛି ତାଙ୍କ ସ୍କୁଲ୍ । ଯାହାକି ପୌରାଞ୍ଚଳ ଅଧୀନରେ ଆସୁନାହିଁ । ହାଇକୋର୍ଟ ରାୟରେ କହିଛନ୍ତି ଯେ, କୌଣସି କର୍ମଚାରୀଙ୍କ ମୁଖ୍ୟ କାର୍ଯ୍ୟାଳୟ ହେଉଛି ସେ ଯେଉଁଠି ନିଯୁକ୍ତି ପାଇଥାନ୍ତି ବା ଯେଉଁଠି କାର୍ଯ୍ୟ କରୁଥାନ୍ତି । ଯେଉଁଠି ତାଙ୍କ ନିୟନ୍ତ୍ରଣ ଅଧିକାରୀ (କଣ୍ଟ୍ରୋଲିଂ ଅଫିସର) ରହୁଛନ୍ତି ତାହା ତାଙ୍କର ମୁଖ୍ୟ କାର୍ଯ୍ୟାଳୟ କୁହାଯାଇ ପାରିବ ନାହିଁ । ତେଣୁ ଆବେଦନକାରୀଙ୍କ ମୁଖ୍ୟ କାର୍ଯ୍ୟାଳୟ ସମଙ୍ଗ ଛଡ଼ା ଅନ୍ୟ କୌଣସି ସ୍ଥାନକୁ କୁହାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିବା ସହ ଆବେଦନକାରୀଙ୍କ ପିଟିସନ୍କୁ ଖାରଜ କରି ଦେଇଛନ୍ତି ।
ସୌଜନ୍ୟ ପ୍ରମେୟ




