ଦେଶ ବିଦେଶ

ପୁତୁରା ଆକାଶଙ୍କୁ ବିଦା କଲେ ମାୟାବତୀ

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀଙ୍କ ପାରିବାରିକ କଳି ବଢ଼ିବାରେ ଲାଗିଛି। ପୁତୁରା ଆକାଶ ଆନନ୍ଦକୁ ଦଳର ଦାୟିତ୍ବ ଦେବା ପାଇଁ ମାୟାବତୀ ରଖିଥିବା ସର୍ତ୍ତ ପୂରଣ ହୋଇଛି। ମାତ୍ର ଏହା ତାଙ୍କୁ ଭଲ ଲାଗିଲାନି। ସେ ନିଜେ ନିଜ କଥାରୁ ମୁହଁ ମୋଡ଼ି ନେଇଛନ୍ତି ଓ ପୁତୁରା ଆକାଶ ଆନନ୍ଦକୁ ପୁଣି ଦଳରୁ ବାହାର କରିଦେଇଛନ୍ତି। ମାୟାବତୀ ସାମାଜିକ ଗଣମାଧ୍ୟମରେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଏହାକୁ ନେଇ ସେ କରିଥିବା ପୋଷ୍ଟ ମଧ୍ୟ ଚର୍ଚ୍ଚାରେ ରହିଛି। ପିଇସି-ପୁତୁରା ପିଲାଙ୍କ ଭଳି କଳି କରୁଛନ୍ତି ବୋଲି ଲୋକେ କହୁଛନ୍ତି। ମାୟାବତୀ କହିଛନ୍ତି ଯେ ଆକାଶ ନିଜ ଶଶୁରଙ୍କୁ ବହୁତ ଭଲ ପାଉଛନ୍ତି। ସେ ଦଳଠୁ ଅଧିକ ଶଶୁରଙ୍କୁ ପ୍ରିୟ ଭାବୁଛନ୍ତି। ଏବେ ସେ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି। ଗତ ତିନି ତାରିଖଠାରୁ ମୋର କୌଣସି ପୋଷ୍ଟକୁ ରିପୋଷ୍ଟ ମଧ୍ୟ କରିନାହାନ୍ତିି। ଯଦି ସେ ଦଳରେ ସ୍ବାଧୀନ ରହିବାକୁ ଚାହୁଁଛନ୍ତି, ତେବେ ସେ ମୁକ୍ତ। ତେଣୁ ଆଜିଠାରୁ ମୁଁ ତାଙ୍କୁ ମୁକ୍ତ କରିଦେଲି। ଆକାଶର ଶଶୁର ଇସ୍ତଫା ଦେବାରେ ବିଳମ୍ବ କରିଦେଲେ ବୋଲି ମାୟାବତୀ କହିଛନ୍ତି।
ଏହା ପୂର୍ବରୁ ବୁଧବାର ପୁତୁରାକୁ ପଦରେ ପୁନଃ ଅବସ୍ଥାପିତ କରିବା ପାଇଁ ଶଶୁର ତଥା ପୂର୍ବତନ ସାଂସଦ ଅଶୋକ ସିଦ୍ଧାର୍ଥଙ୍କ ନିମନ୍ତେ ମାୟାବତୀ ଅଜବ ସର୍ତ୍ତ ରଖିଥିଲେ। ଆକାଶଙ୍କ ଶଶୁର ଅଶୋକ ସିଦ୍ଧାର୍ଥ ରାଜନୀତିରୁ ସନ୍ନ୍ୟାସ ନେଲେ ଯାଇ ପୁତୁରାକୁ ଦଳରେ ସାମିଲ କରିବି ବୋଲି କହିଥିଲେ। ଏହାର ୧୭ ଘଣ୍ଟା ପରେ ଆଜି ସକାଳ ୭ଟାରେ ସିଦ୍ଧାର୍ଥ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ। ସେ କହିଥିଲେ ଯେ ସନ୍ନ୍ୟାସ ନେବା ସାଧାରଣ କଥା। ଭଉଣୀ ମାୟାବତୀ କହିଲେ ଜୀବନ ବି ଦେଇଦେବି। ତାଙ୍କ ନିର୍ଦେଶ ଆଗରେ ପରିବାର, ସମ୍ପର୍କୀୟ ଓ ସମ୍ପର୍କ ସବୁ ତୁଚ୍ଛ। ମୁଁ କେବେ ଆକାଶକୁ ଭୁଆଁ ବୁଲାଇବାକୁ ପ୍ରୟାସ କରିନି। ସମୁଦୀଙ୍କ ଇସ୍ତଫା ଦ୍ବାରା ମାୟାବତୀ ନିଜ ପୁତୁରାଙ୍କୁ ପଦ ଫେରାଇ ଦେବେ ବୋଲି ଆଶା କରାଯାଉଥିଲା। ମାତ୍ର ସେ ସମସ୍ତଙ୍କୁ ଚମକାଇ ଦେଇ ଆକାଶଙ୍କୁ ଦଳରୁ ବାହାର କରିଦେଇଛନ୍ତି। ତିନି ବର୍ଷରେ ଦ୍ବିତୀୟ ଥର ପାଇଁ ମାୟାବତୀ ଏପରି କରିଛନ୍ତି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button