ଜିଲ୍ଲାରାଜ୍ୟ

ମହିଳା କର୍ମଚାରୀଙ୍କୁ ଖୁଲମଖୁଲା ‘ଫେବର୍’ ମାଗୁଛନ୍ତି ପ୍ରଧାନ ଶିକ୍ଷକ, ପ୍ରତିବାଦ କଲେ ମିଳୁଛି ଚାକିରିରୁ ବାହାର କରିବାର ଧମକ

କଳାହାଣ୍ଡି: ସଇତାନ ସାଜିଲେ ଗୁରୁ। ଚରିତ୍ରହୀନ ପ୍ରଧାନ ଶିକ୍ଷକଙ୍କ କଳା କାରନାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍। କଳାହାଣ୍ଡି ମଦନପୁର ସରକାରୀ ଏସଏସଡି ସ୍କୁଲର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଜଣେ ମହିଳା ଏଏନଏମଙ୍କୁ ସେ ଅତି ନିର୍ଲଜ ଭାବେ ‘ଫେବର୍’ ମାଗୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି।

ନିଜ କାମୁକ ପ୍ରବୃତ୍ତିର ଶିକାର ବନାଇବାକୁ ମହିଳା କର୍ମଚାରୀଙ୍କୁ ବାଧ୍ୟ କରୁଛନ୍ତି ପ୍ରଧାନ ଶିକ୍ଷକ। ଆଉ ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ସୀମା ପାର କରିଯାଇଛନ୍ତି ଶିକ୍ଷକ ମହାଶୟ। ଭିଡିଓରେ ସେ ସ୍ପଷ୍ଟ ଭାବରେ କହୁଛନ୍ତି, “ତମ ଜାତିର ଲୋକେ ଲାଟ୍ରିନ ସଫା କରନ୍ତି, ବାଜା ବଜାନ୍ତି, ଆମ୍ବୁଲ ଓ ବାସନ କୁସନ ମାଜନ୍ତି ବିକନ୍ତି…”। ଜଣେ ଦଳିତ ମହିଳାଙ୍କୁ ଏଭଳି ଖୁଲମଖୁଲା ଜାତିଆଣ ଆକ୍ଷେପ କରିବା ସହ କଥା ନମାନିଲେ ଦରମା କାଟିଦେବା ଓ ଚାକିରିରୁ ତଡ଼ିଦେବାକୁ ମଧ୍ୟ ଧମକ ଦେଉଛନ୍ତି।

ମାତ୍ର ଏତିକିରେ ସରିନି ଏହି ଚରିତ୍ରହୀନ ପ୍ରଧାନ ଶିକ୍ଷକଙ୍କ କାରନାମା। ସ୍କୁଲର ମେଟ୍ରନ୍ ଏବଂ ଦୁଇ ଜଣ ଅସହାୟ ବିଧବା ସିସିଏ (CCA) କର୍ମଚାରୀଙ୍କୁ ମଧ୍ୟ କାମୁକତାର ଶିକାର ବନାଇବାକୁ ଚେଷ୍ଟା କରିଛନ୍ତି। ଭିଡିଓରେ ପ୍ରଧାନ ଶିକ୍ଷକ ନିଜେ ସ୍ୱୀକାର କରୁଛନ୍ତି ଯେ, ସେ ମେଟ୍ରନ୍ ସହ ଅନେକ ଥର ‘ରୋମାନ୍ସ’ କରିଛନ୍ତି। ଏପରିକି ସମସ୍ତ ଛାତ୍ରଛାତ୍ରୀଙ୍କ ସାମ୍ନାରେ ମହିଳା ମେଟ୍ରନଙ୍କୁ ପ୍ରଥମେ ଅପଦସ୍ତ କରିବା ଏବଂ ପରେ ଅଶ୍ଳୀଳ ଭାବେ ‘ଫ୍ଲାଇଂ କିସ୍’ ଦେଉଥିବାର ଲଜ୍ଜାଜନକ ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି।

ଏଭଳି ସାଂଘାତିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ପୀଡ଼ିତାମାନେ ଜିଲ୍ଲା ମଙ୍ଗଳ ଅଧିକାରୀ (DWO)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା, ଏତେ ବଡ଼ ସମ୍ବେଦନଶୀଳ ଘଟଣା ଏବଂ ଭିଡିଓ ପ୍ରମାଣ ଥାଇ ମଧ୍ୟ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଏବେ ଯାଏଁ ଶୂନ। ପ୍ରଶ୍ନ ଉଠୁଛି, ଏଭଳି ଜଣେ ଚରିତ୍ରହୀନ, ଜାତିବାଦୀ ମାନସିକତା ସମ୍ପନ୍ନ ବ୍ୟକ୍ତି ଶିକ୍ଷାର ମନ୍ଦିରରେ ରହି ଛାତ୍ରଛାତ୍ରୀଙ୍କୁ କି ଶିକ୍ଷା ଦେବେ? କାହା ଛତ୍ରଛାୟା ତଳେ ରହି ଖସି ଯାଉଛନ୍ତି ପ୍ରଧାନ ଶିକ୍ଷକ ଶାନ୍ତନୁ ମେହେର?

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button