
ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବନ୍ୟା ଜଳ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ହୁ ହୁ ହୋଇ ବଢ଼ୁଥିବା ବେଳେ ବନ୍ୟା ଆଶଙ୍କା ଦେଖାଦେଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦ ଗେଟ୍ ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିସହିତ ନଦୀର ତଳ ମୁଣ୍ଡରେ ଥିବା ସମସ୍ତ ଅଞ୍ଚଳକୁ ହାଇଆଲର୍ଟ ଜାରି କରାଯାଇଛି।
ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ମହାନଦୀ ଅବବାହିକା ଏବଂ ତଳ ମୁଣ୍ଡରେ ରହୁଥିବା ଲୋକମାନଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଯାଉଛି। କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ ଭାବେ ନଦୀ ଗର୍ଭକୁ କିମ୍ବା ନଦୀ ପଠାକୁ ନଯିବା ପାଇଁ ଜନସାଧାରଣଙ୍କୁ କଡ଼ା ପରାମର୍ଶ ଦିଆଯାଇଛି। ବିଶେଷ କରି ଗୋରୁଗାଇ ଚରାଇବା, ଗାଧୋଇବା କିମ୍ବା ମାଛ ଧରିବା ପାଇଁ ନଦୀ ଭିତରକୁ ନଯିବାକୁ ସତର୍କ କରାଯାଉଛି।
କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଆଜି ସକାଳ ୯ଟା ସୁଦ୍ଧା ବର୍ତ୍ତମାନର ଜଳସ୍ତର ରହିଛି ୬୦୬.୧୨ ଫୁଟ୍। ପ୍ରତି ସେକେଣ୍ଡରେ ପ୍ରାୟ ୧.୭୯ ଲକ୍ଷ କ୍ୟୁସେକ ବନ୍ୟାଜଳ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି। ବର୍ତ୍ତମାନ ବିଭିନ୍ନ କେନାଲ୍ ଓ ପାୱାର ଚ୍ୟାନେଲ୍ ଦେଇ ମାତ୍ର ୧୯, ୮୯୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ପ୍ରବେଶ କରୁଥିବା ଜଳ ତୁଳନାରେ ନିଷ୍କାସନ ଅତି କମ୍ ଥିବାରୁ ଡ୍ୟାମ୍ର ଜଳସ୍ତର ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଖୁବଶୀଘ୍ର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବାକୁ ପ୍ରସ୍ତୁତି ଚଳାଇଛି। ଗେଟ୍ ଖୋଲିବା ମାତ୍ରେ ମହାନଦୀର ଜଳସ୍ତର ହଠାତ୍ ବଢ଼ିଯିବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ନଜର ରଖାଯାଇଛି।
ସୌଜନ୍ୟ Prameya News7




