ଦେଶ ବିଦେଶ

ରୁଷ୍‌ ଉପରେ ୮୨୨ ଡ୍ରୋନ ମାଡ଼ କଲା ୟୁକ୍ରେନ ; ୬ ମୃତ, ୱାଇଲ୍ଡବେରିଜ୍ ଗୋଦାମରେ ଅଗ୍ନିକାଣ୍ଡ

ମସ୍କୋ/କିଭ୍‌ : ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟାନକ ରୂପ ନେଇଛି। ଦୁଇ ଦେଶ ପରସ୍ପର ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ରବିବାର ରୁଷ୍ ଉପରେ ୟୁକ୍ରେନ ୮୨୨ଟି ଡ୍ରୋନ ମାଡ କରିଛି। ଯଦିଓ ରୁଷ୍ ଏହି ଡ୍ରୋନଗୁଡିକ ମଧ୍ୟରୁ ଅଧିକାଂଶକୁ ଇଣ୍ଟରସେପ୍ଟ କରିଛି ତଥାପି ଏଥିରେ ମସ୍କୋର ବ୍ୟାପକ କ୍ଷତି ହୋଇଛି। ରୁଷ୍‌ ୧୭ଟି ଅଞ୍ଚଳକୁ ଟାର୍ଗେଟ କରି ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି। ଏଥିରେ ରୁଷ୍‌ର ୬ଜଣଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନର ଏହି ଆକ୍ରମଣରେ ରୁଷ୍‌ର ସବୁଠାରୁ ବଡ଼ ଇ-କମର୍ସ ସଂସ୍ଥା ‘ୱାଇଲ୍ଡବେରିଜ୍‌’ ଗୋଦାମରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣ ଫଳରେ ରୁଷ୍‌ ଘରୋଇ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ସହ କମ୍ପାନୀ ଏବଂ ଏହାର ବିକ୍ରେତାମାନଙ୍କର କୋଟିକୋଟି ଡଲାରର କ୍ଷତି ଘଟିଛି। ୟୁକ୍ରେନର ଦାବି ଅନୁଯାୟୀ, ରୁଷ ସେନା ନିଜର ସାମରିକ ଉପକରଣ (ଯେପରିକି ଡ୍ରୋନ୍ ପାର୍ଟସ୍, ବୁଲେଟପ୍ରୁଫ୍ ଜ୍ୟାକେଟ୍, ହେଲମେଟ୍ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ) ପରିବହନ ଏବଂ ଗଚ୍ଛିତ ରଖିବା ପାଇଁ ‘ୱାଇଲ୍ଡବେରିଜ୍‌’ ଗୋଦାମଗୁଡ଼ିକୁ ବ୍ୟବହାର କରୁଛି।
ଅନ୍ୟପଟେ ରୁଷ୍‌ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର୍‌ ଜେଲେନସ୍କିଙ୍କ ଘରୋଇ ସହର କ୍ରିଭି ରୀ ଏବଂ ଅନ୍ୟାନ୍ୟ ସହରକୁ ରୁଷ୍‌ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଧ୍ୟମରେ ନିଶାଣ କରିଛି। ଏଥିରେ ୨ଜଣଙ୍କର ମୃତ୍ୟୁ ହେବା ସହ ୧୪ଜଣ ଆହତ ହୋଇଛନ୍ତି। କ୍ରିଭି ରୀ ସହରରେ ଥିବା ଦେଶର ବୃହତ୍ତମ ଇସ୍ପାତ ଉତ୍ପାଦନକାରୀ କାରଖାନା କ୍ଷତିଗ୍ରସ୍ତ ହୋଇଛି। ଏହି ଇସ୍ପାତ କାରଖାନାକୁ ଭାରତୀୟ କୋଟିପତି ବ୍ୟବସାୟୀ ମିତ୍ତର ପରିବାରର ମାଲିକାନାଧୀନ ଆ​‌େ​‌ର୍ସଲର ମିତ୍ତଲ ପରିଚାଳନା କରୁଛି। ଆକ୍ରମଣ ଯୋଗୁଁ ଇସ୍ପାତ କାରଖାନାରେ ଶକ୍ତି ଉତ୍ପାଦନ କେନ୍ଦ୍ର ଓ ବ୍ଲଷ୍ଟ ଫର୍ଣ୍ଣେସ କ୍ଷତିଗ୍ରସ୍ତ ହୋଇଛି। ଜେଲେନସ୍କିଙ୍କ କହିବା ଅନୁଯାୟୀ ଗତ ସପ୍ତାହକ ମଧ୍ୟରେ ରୁଷ୍ ପକ୍ଷରୁ ୟୁକ୍ରେନ ଉପରେ ୧୫୫୦ରୁ ଅଧିକ ଡ୍ରୋନ, ୧୫୬୦ ଏରୟଲ ବୋମା ଓ ୬୨ଟି କ୍ଷେପଣାସ୍ତ୍ର ମାଡ କରାଗଲାଣି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button