୨୦୨୨ରେ ଆସାମରେ ଉଦ୍ଧାର ହୋଇଥିଲେ ୨ ଓରାଙ୍ଗଉଟାନ, ଏବେବି ଚିଡ଼ିଆଖାନାରେ ଖେଳୁଛନ୍ତି ପାନୋଇ ଓ ଜୋନ୍କି

ଭୁବନେଶ୍ୱର, ୧୨/୯ : ବୟସ ବେଶୀ ନୁହେଁ । ଅତି ବେଶୀରେ ୬ ବର୍ଷ ଭିତରେ । ନାମ ସେମାନଙ୍କର ‘ପାନୋଇ’ ଓ ‘ଜୋନ୍କି’ । ଆସାମର ଷ୍ଟେଟ୍ ଚିଡ଼ିଆଖାନାରେ ଏମାନେ ପର୍ଯ୍ୟଟକଙ୍କ ପାଇଁ ବଡ଼ ଆକର୍ଷଣର କେନ୍ଦ୍ର । କିନ୍ତୁ ସେମାନଙ୍କୁ ଏବେ ବି ଚିଡ଼ିଆଖାନାର ଅତିଥି ବୋଲି କୁହାଯାଉଛି । କାରଣ ବିଗତ ୪ ବର୍ଷ ଧରି ସେମାନଙ୍କ ପ୍ରତ୍ୟର୍ପଣ ପାଇଁ ଇଣ୍ଡୋନେସିଆ ସରକାର ଦାବି କରି ଆସୁଛନ୍ତି । ଅପରପକ୍ଷେ ଆଇନଗତ ମାମଲାରେ ଛନ୍ଦି ହୋଇଥିବା ଦୁଇ ଓରାଙ୍ଗଉଟାନ ଛୁଆ ଆସାମର ଚିଡ଼ିଆଖାନାରେ ହସଖୁସିରେ ଦିନ କାଟୁଛନ୍ତି ।
ଗତ ୮ ତାରିଖରେ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର ଜଙ୍ଗଲରେ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଛନ୍ତି । ସେମାନଙ୍କୁ କେଉଁଠୁ, କିଏ ଏବଂ କିପରି ଆଣିଛି ତାହାର ତଦନ୍ତ ଜାରି ରହିଛି । ଗତ ଗୁରୁବାର ଇଣ୍ଡୋନେସିଆ ସରକାରଙ୍କ ଫରେଷ୍ଟ୍ରି ମନ୍ତ୍ରାଳୟ ଏକ ବିବୃତି ଜାରି କରିଛି । ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଛୁଆଙ୍କ ଲାଳନପାଳନ, ଚିକିତ୍ସା ସମେତ ଅନ୍ୟାନ୍ୟ ଆବଶ୍ୟକ ପରାମର୍ଶ ଯୋଗାଇ ଦେବାକୁ ଇଣ୍ଡୋନେସିଆ ସରକାର ପ୍ରସ୍ତୁତ ବୋଲି ଏଥିରେ କୁହାଯାଇଛି । ତେବେ କେତେକ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥା ଉଦ୍ଧାର ଓରାଙ୍ଗଉଟାନଙ୍କୁ ପ୍ରତ୍ୟର୍ପଣ ପାଇଁ ଇଣ୍ଡୋନେସିଆ ସରକାର ଦାବି ରଖିଥିବା ପ୍ରକାଶ କରିଛନ୍ତି, ଯାହାକୁ ନନ୍ଦନକାନନ କର୍ତ୍ତୃପକ୍ଷ ଅସ୍ୱୀକାର କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଏଭଳି ଆଇନଗତ ମାମଲା ନୂଆ ନୁହେଁ । ୨୦୨୨ ମସିହାରେ ଆସାମର କାଚାର ଜିଲ୍ଲାରେ ଆସାମ-ମିଜୋରାମ ସୀମାର ଲୈଲାପୁର ଚେକ୍ପୋଷ୍ଟ ନିକଟରେ ଏକ କାଠବାକ୍ସ ମଧ୍ୟରୁ ମିଳିଥିଲେ ଦୁଇଟି ଓରାଙ୍ଗଉଟାନ ଛୁଆ । ସେମାନଙ୍କ ବୟସ ଥିଲା ୨ ବର୍ଷ ଭିତରେ । ରାଜ୍ୟ ସରକାର ଷ୍ଟେଟ ଚିଡ଼ିଆଖାନାରେ ସେମାନଙ୍କୁ ରଖିବା ସହ ପ୍ରାଣୀ ତସ୍କରୀ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଯାହାର କି ତଦନ୍ତ ଚାଲିଛି । ଉଭୟଙ୍କର ଡିଏନଏ ଟେଷ୍ଟ ପରେ ଜଣାପଡ଼ିଥିଲା ସେମାନେ ‘ସୁମାତ୍ରା’ ପ୍ରଜାତିର ଓରାଙ୍ଗଉଟାନ୍ । ସାଧାରଣତଃ ବିଶ୍ୱରେ ୩ ପ୍ରଜାତିର ଓରାଙ୍ଗଉଟାନ ଦେଖିବାକୁ ମିଳନ୍ତି: ସୁମାତ୍ରା, ବୋର୍ଣ୍ଣିଓ ଏବଂ ତାପାନୁଲି । ଏହି ଦୁଇଟି ଓରାଙ୍ଗଉଟାନର ପ୍ରତ୍ୟର୍ପଣ ପାଇଁ ଇଣ୍ଡୋନେସିଆ ସରକାର ଦାବି ରଖିଥିଲେ । କିନ୍ତୁ ଆନ୍ତର୍ଜାତିକ ତସ୍କରୀ ମାମଲାର ତଦନ୍ତ ଚାଲିଥିବାରୁ ଆସାମ ସରକାର ସେମାନଙ୍କୁ ନ ଫେରାଇ ଚିଡ଼ିଆଖାନାରେ ରଖିଛନ୍ତି । ସମାନ ସ୍ଥିତି ଏବେ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଅବଶ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କର ଡିଏନଏ ଟେଷ୍ଟ କରାଯାଇନି । ଟେଷ୍ଟ ପରେ ସ୍ପଷ୍ଟ ଜଣାପଡ଼ିବ ସେମାନେ କେଉଁ ପ୍ରଜାତିର । କିନ୍ତୁ ଗଣମାଧ୍ୟମରେ ପ୍ରସାରିତ ଭିଡିଓରୁ ଏମାନେ ‘ସୁମାତ୍ରା’ ପ୍ରଜାତିର ବୋଲି ଇଣ୍ଡୋନେସିଆର ଅଧିକାରୀମାନେ କହିଛନ୍ତି । ଆନ୍ତର୍ଜାତିକ ନିୟମାନୁସାରେ ଯଦି ଉଦ୍ଧାର ହୋଇଥିବା ପ୍ରାଣୀମାନଙ୍କୁ ଉପଯୁକ୍ତ ଭାବେ ଚିକିତ୍ସା ଓ ଥଇଥାନର ସୁବିଧା ଯୋଗାଇ ଦିଆଯାଇଛି, ତେବେ ପ୍ରତ୍ୟର୍ପଣର ପ୍ରଶ୍ନ ଉଠୁନାହିଁ । ଯାହାକି ଆସାମ ଚିଡ଼ିଆଖାନା ପାଇଁ ଲାଗୁ ହୋଇଛି । ୨୦୨୩ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଚିଡ଼ିଆଖାନା ଗସ୍ତ କରି ଓରାଙ୍ଗଉଟାନ ଛୁଆ ଦୁଇଟିର ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ।..
ସୌଜନ୍ୟ ପ୍ରମେୟ




