ଦେଶ ବିଦେଶ

Oil production: ଭେନେଜୁଏଲାରେ ତୈଳ ଉତ୍ପାଦନ ବଢ଼ାଇପାରିବେ କି ଟ୍ରମ୍ପ?

ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଗିରଫ କରିବା ସହ ଦେଶକୁ ନିଜ କବ୍‌ଜାକୁ ନେଇଛି ଆମେରିକା। ତେବେ ବିଶ୍ୱର ସର୍ବବୃହତ୍ ତୈଳ ଭଣ୍ଡାର ଥିବା ଭେନେଜୁଏଲା ଦିନକୁ ମାତ୍ର ଏକ ନିୟୁତ ବ୍ୟାରେଲ ତୈଳ ଉତ୍ତୋଳନ କରେ....

ୱାସିଂଟନ: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଗିରଫ କରିବା ସହ ଦେଶକୁ ନିଜ କବ୍‌ଜାକୁ ନେଇଛି ଆମେରିକା। ତେବେ ବିଶ୍ୱର ସର୍ବବୃହତ୍ ତୈଳ ଭଣ୍ଡାର ଥିବା ଭେନେଜୁଏଲା ଦିନକୁ ମାତ୍ର ଏକ ନିୟୁତ ବ୍ୟାରେଲ ତୈଳ ଉତ୍ତୋଳନ କରେ, ଯାହା ବିଶ୍ୱ ଅଶୋଧିତ ତୈଳ ଉତ୍ପାଦନର ପ୍ରାୟ ୦.୮%।

ଟ୍ରମ୍ପ ଭେନେଜୁଏଲା ଉପରେ ଆବ୍‌ସୋଲ୍ୟୁଟ୍ ରିଜଲ୍‌ଭ ନାମକ ଏକ ଅପରେସନରେ ଏୟାର୍ ଷ୍ଟ୍ରାଇକ୍ କରିଥିଲେ। ଜାନୁଆରି ୩ରେ ୟୁଏସ୍ ଡେଲଟା ଫୋର୍ସ କମାଣ୍ଡୋମାନେ ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ କାରାକାସର ଏକ ସାମରିକ ଘାଟି ଭିତରେ ଥିବା ସେମାନଙ୍କ ଶୋଇବା ଘରୁ ଉଠାଇ ନେଇଥିଲେ। ୱାସିଂଟନ କହିଛି ଯେ ଏହି ଅପରେସନ ଦୀର୍ଘ ଦିନ ଧରି ଚାଲିଥିବା ଡ୍ରଗ୍ କାରବାର ଅଭିଯୋଗରୁ ଉତ୍ପନ୍ନ ହୋଇଛି। କିନ୍ତୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଏହି ପଦକ୍ଷେପ ମୂଳରେ ରହିଛି କାରାକାସର ସବୁଠାରୁ ମୂଲ୍ୟବାନ ତୈଳସମ୍ପଦ।

ଭେନେଜୁଏଲାରେ ଆନୁମାନିକ ୩୦୩ ବିଲିୟନ ବ୍ୟାରେଲ ତୈଳ ଭଣ୍ଡାର ଅଛି, ଯାହା ସାଉଦି ଆରବଠାରୁ ପ୍ରାୟ ୨୦% ଅଧିକ। ତଥାପି ଏହା ଦିନକୁ ମାତ୍ର ଏକ ନିୟୁତ ବ୍ୟାରେଲ (ବିପିଡି) ଉତ୍ପାଦନ କରେ। ଏହି ବ୍ୟବଧାନ ଦଶନ୍ଧି ଧରି ରାଜନୈତିକ କୁପରିଚାଳନା, ଦୁର୍ନୀତି, ଦୀର୍ଘସ୍ଥାୟୀ ଅଣ୍ଡରଇନଭେଷ୍ଟମେଣ୍ଟ, ଆମେରିକାର ପ୍ରତିବନ୍ଧକ ଏବଂ ଭେନେଜୁଏଲାର ଅଶୋଧିତ ତୈଳ ଉତ୍ତୋଳନ କରିବାର ବୈଷୟିକ ଜଟିଳତାର ଫଳାଫଳ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାଦୁରୋଙ୍କୁ ବଳ ପ୍ରୟେଗ କରି ଉଠାଇ ନେବା ପରେ ଭେନେଜୁଏଲାର ତୈଳ ଭଣ୍ଡାରକୁ ଦଖଲ କରିବାକୁ ଯୋଜନା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଦୁର୍ବଳ ଶିଳ୍ପକୁ ପୁନର୍ଜୀବିତ କରିବା ଏବଂ ଆମେରିକାର ବିଶୋଧନାଗାରକୁ ଆବଶ୍ୟକ ଅଶୋଧିତ ତୈଳ ଯୋଗାଣ କରିବା ପାଇଁ ଆମେରିକୀୟ କମ୍ପାନିଗୁଡିକୁ କୋଟି କୋଟି ଟଙ୍କା ବିନିଯୋଗ କରିବାକୁ ଆମନ୍ତ୍ରଣ କରାଯିବ। ଏହି ପଦକ୍ଷେପ ଭେନେଜୁଏଲାର ଶକ୍ତି ଉତ୍ସ ଉପରେ ୱାସିଂଟନ ଓ ଟ୍ରମ୍ପଙ୍କ ଦୀର୍ଘ ଦିନର ଆଗ୍ରହ ସହିତ ମେଳ ଖାଉଛି। ୱାସିଂଟନ ବିଶ୍ୱାସ କରେ ଯେ ୨୦୩୦ ସୁଦ୍ଧା ଭେନେଜୁଏଲାର ଅଶୋଧିତ ତୈଳ ଉତ୍ପାଦନ ୨ ନିୟୁତ ବିପିଡିକୁ ବୃଦ୍ଧି ପାଇଲେ ବିଶ୍ୱ ତୈଳ ମୂଲ୍ୟରୁ ବ୍ୟାରେଲ ପିଛା ୪ ଡଲାର ହ୍ରାସ ପାଇପାରେ।

ଭେନେଜୁଏଲାର ଅଧିକାଂଶ ତେଲ ଓରିନୋକୋ ବେଲ୍ଟରେ ଅଛି। ଏହାର ଉଚ୍ଚ ସାନ୍ଦ୍ରତା ହେତୁ ଅତିରିକ୍ତ-ଭାରୀ ତେଲ ବାହାର କରିବା କଷ୍ଟକର। ଏଥିପାଇଁ ମହଙ୍ଗା ପ୍ରଯୁକ୍ତିବିଦ୍ୟା, ଆମଦାନି ହୋଇଥିବା ଡାଇଲ୍ୟୁଏଣ୍ଟ ଓ ସ୍ୱତନ୍ତ୍ର ବିଶୋଧନାଗାର ଆବଶ୍ୟକ। ଆମେରିକାର କଟକଣା, ଦୁର୍ନୀତି ଓ ଅବ୍ୟବସ୍ଥା ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା। ଏଥି ସହ କୁଶଳୀ କର୍ମଚାରୀ ଓ ପ୍ରଯୁକ୍ତିବିଦ୍ୟାର ଅଭାବ ସମେତ ଅନ୍ୟାନ୍ୟ କାରଣରୁ ଭେନେଜୁଏଲା ଅତି ସାମାନ୍ୟ ତୈଳ ଉତ୍ତୋଳନ କରୁଥିଲା।

ବର୍ତ୍ତମାନ, ମାଦୁରୋ ବିଦାୟ ନେଇଛନ୍ତି ଏବଂ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ, ଆମେରିକୀୟ କମ୍ପାନିଗୁଡିକ ଭେନେଜୁଏଲାର ତୈଳ ଉତ୍ତୋଳନ କରିବାକୁ ପଦକ୍ଷେପ ନେବେ। ତେବେ ଏହା ସହଜ କାମ ନୁହେଁ। ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଭେନେଜୁଏଲାର ତୈଳ ଶିଳ୍ପକୁ ୩ ନିୟୁତ ବିପିଡିକୁ ଫେରାଇ ଆଣିବା ପାଇଁ ଅତି କମ୍‌ରେ ୧୦ରୁ ୨୦ ବର୍ଷ ଲାଗିପାରେ ଏବଂ ୫୦-୧୦୦ ବିଲିୟନ ଡଲାର ବିନିଯୋଗ ଆବଶ୍ୟକ ହୋଇପାରେ। ତେବେ ଆମେରିକା ଚାହିଲେ ଦୁଇରୁ ତିନି ବର୍ଷ ମଧ୍ୟରେ ଉତ୍ପାଦନ ଦୈନିକ ୧.୫ ନିୟୁତ ବ୍ୟାରେଲକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button