Earth Again Conference 2026: ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆଗାମୀ ୫୦ ବର୍ଷର ପ୍ରସ୍ତୁତି କରୁଛନ୍ତି ସରକାର: ମନ୍ତ୍ରୀ
ସମଗ୍ର ବିଶ୍ବ ପାଇଁ ଜଳବାୟୁ ପରିବର୍ତ୍ତନ ଏବେ ସବୁଠାରୁ ବଡ଼ ପ୍ରସଙ୍ଗ ଏବଂ ଆହ୍ବାନ। ଜଳବାୟୁ ପରିବର୍ତ୍ତନ ନେଇ ସମଗ୍ର ବିଶ୍ବବାସୀ ଚିନ୍ତିତ ଅଛନ୍ତି। ନିକଟରେ ନେପାଳ ଘଟଣା ଜନଜୀବନକୁ ଦୋହଲାଇ ଦେଇଛି। ଉତ୍କଳ ବିଶ୍ବବିଦ୍ୟାଳୟର ସଭାଗୃହରେ ଶନିବାର ଦିନ ରାଜସ୍ବ ଏବଂ ବିପର୍ଯ୍ୟୟ...

ଭୁବନେଶ୍ବର: ସମଗ୍ର ବିଶ୍ବ ପାଇଁ ଜଳବାୟୁ ପରିବର୍ତ୍ତନ ଏବେ ସବୁଠାରୁ ବଡ଼ ପ୍ରସଙ୍ଗ ଏବଂ ଆହ୍ବାନ। ଜଳବାୟୁ ପରିବର୍ତ୍ତନ ନେଇ ସମଗ୍ର ବିଶ୍ବବାସୀ ଚିନ୍ତିତ ଅଛନ୍ତି। ନିକଟରେ ନେପାଳ ଘଟଣା ଜନଜୀବନକୁ ଦୋହଲାଇ ଦେଇଛି। ଉତ୍କଳ ବିଶ୍ବବିଦ୍ୟାଳୟର ସଭାଗୃହରେ ଶନିବାର ଦିନ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହା କହିଛନ୍ତି। ଆଗାମୀ ଦିନରେ ଥିବା ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଆମକୁ କାମ କରିବାକୁ ହେବ, ଯେଉଁଠି ଆମେ କ୍ଷତିର ସାମ୍ନା କରିଛୁ, ସେଠାରେ କ’ଣ କରାଯାଇପାରିବ ସେନେଇ ପଦକ୍ଷେପ ନିଆଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆଗାମୀ ୫୦ ବର୍ଷର ପ୍ରସ୍ତୁତି କରୁଛନ୍ତି ସରକାର।
ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପୁଜାରୀ କହିଛନ୍ତି, ଆମେ କେବଳ ମଣିଷ ମୃତ୍ୟୁକୁ ରୋକିବାକୁ ଚେଷ୍ଟା କରୁନୁ, ପ୍ରାଣୀଜଗତର ବିଷୟରେ ବି ଭାବୁଛୁ। ଗତ କିଛି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗାଈ ଗୋରୁ ଗୋଟେ ମରି ନାହାନ୍ତି। ସେଇ ଚେଷ୍ଟାରେ ଅଛୁ।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଓଡ଼ିଶାରେ ଗତଥର ଆସିଥିବା ବାତ୍ୟା ‘ମନ୍ଥା’ ଆମକୁ ସେତେ ପ୍ରଭାବିତ କରିପାରି ନାହିଁ। ସରକାର ଏହା ପୂର୍ବରୁ ପ୍ରସ୍ତୁତ ହୋଇଥିଲେ। ଦେଶର ୨୮ରୁ ୨୭ଟି ରାଜ୍ୟରେ କମ୍ ବର୍ଷା ହୋଇଛି। ଓଡ଼ିଶାରେ ଏଥର ବିଗତ ବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ ବର୍ଷା ହୋଇଛି। ଉତ୍ତର ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ୨ ମାସ ପର୍ଯ୍ୟନ୍ତ ୧୨ଟି ଲଘୁଚାପ ହୋଇଛି। ୫ଟି ଲଘୁଚାପ ଏଥିରୁ ଅବପାତରେ ପରିଣତ ହୋଇଛି। ବାଲେଶ୍ବର, ଭଦ୍ରକ ଏବଂ ଯାଜପୁରରେ କ୍ଷୟକ୍ଷତି ହୋଇଛି। ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି। ପୃଥିବୀରେ ଜଳବାୟୁ ପରିବର୍ତ୍ତନ ବିଭ୍ରାଟ ସୃଷ୍ଟି କରୁଛି।
ସୌଜନ୍ୟ ସମ୍ବାଦ




