Tensions rise: ତୈଳବାହୀ ଜାହାଜ ଜବତ ମାମଲା, ଆମେରିକା ଓ ରୁଷ୍ ମଧ୍ୟରେ ଉତ୍ତେଜନା ବଢ଼ିଲା
ଆମେରିକା ଗତକାଲି ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ରୁଷ୍ର ପତାକା ଲାଗିଥିବା ଏକ ତୈଳବାହୀ ଜାହାଜ ଜବତ କରିଥିବାରୁ ମସ୍କୋ ଏହାର ତୀବ୍ର ବିରୋଧ କରିଛି। ପାଲଟା ଜବାବରେ.....

ୱାସିଂଟନ: ଆମେରିକା ଗତକାଲି ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ରୁଷ୍ର ପତାକା ଲାଗିଥିବା ଏକ ତୈଳବାହୀ ଜାହାଜ ଜବତ କରିଥିବାରୁ ମସ୍କୋ ଏହାର ତୀବ୍ର ବିରୋଧ କରିଛି। ପାଲଟା ଜବାବରେ ଆମେରିକୀୟ ଜାହାଜକୁ ମଧ୍ୟ ଜବତ ପାଇଁ ପଦକ୍ଷେପ ନିଆଯିବ ବୋଲି ରୁଷ୍ର ଘୋଷଣା ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଭେନେଜୁଏଲା ସହ ଜଡିତ ଆମେରିକାର କଟକଣା ଉଲ୍ଲଂଘନ ଅଭିଯୋଗରେ ଏହି ଜାହାଜ (ମାରିନେରା)କୁ ଆମେରିକା ଉପକୂଳଠାରୁ ବହୁ ଦୂରରେ ଅଟକାଯାଇଥିଲା, ଯାହା ୱାସିଂଟନ ଓ ରୁଷ୍ ମଧ୍ୟରେ ଏକ ନୂତନ ବିବାଦ ସୃଷ୍ଟି କରିଛି। ବିଶ୍ୱବ୍ୟାପୀ ତୈଳ ପ୍ରତିବନ୍ଧକ ଲାଗୁ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଉଦ୍ୟମ ମଧ୍ୟରେ ଏବଂ ଆମେରିକାର ସୈନ୍ୟବାହିନୀ ଭେନେଜୁଏଲାର ନେତା ନିକୋଲାସ୍ ମାଦୁରୋଙ୍କୁ ଗିରଫ କରିବାର କିଛି ଦିନ ପରେ ଏହି ଜାହାଜ ଜବତ କରାଯାଇଛି। ରୁଷ୍ ଏହାକୁ ବେଆଇନ ବୋଲି ଦର୍ଶାଇ କହିଛି ଯେ, ଏହା ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ ଓ ନେଭିଗେସନର ସ୍ୱାଧୀନତାକୁ ଉଲ୍ଲଂଘନ କରୁଛି। ଜାହାଜଟି ପୂର୍ବରୁ ‘ବେଲା-୧’ ନାମରେ ପରିଚିତ ଥିଲା ଏବଂ ଭେନେଜୁଏଲାର ନିଷିଦ୍ଧ ତୈଳ ପରିବହନ ସହ ଜଡ଼ିତ ଥିବା ଅଭିଯୋଗରେ ଆମେରିକାର ଟାର୍ଗେଟ୍ରେ ଥିଲା। ଡିସେମ୍ବର ୩୧ ତାରିଖରେ କ୍ରୁ ଜାହାଜର ନାମ ବଦଳାଇ ‘ମାରିନେରା’ ରଖି ରୁଷୀୟ ପତାକା ଲଗାଇବା ସହ ରୁଷ୍ ନିୟମ ଅନ୍ତର୍ଗତ ରେଜିଷ୍ଟ୍ରେସନ କରାଇଥିଲେ।
ରୁଷ୍ ଏହାକୁ ସୁରକ୍ଷା ଦେବାକୁ ଏକ ବୁଡ଼ାଜାହାଜ ଓ ଯୁଦ୍ଧଜାହାଜ ପଠାଇଥିଲା ଜାନୁଆରି ୭ ତାରିଖରେ, ଦୁଇ ସପ୍ତାହର ପିଛା ପରେ ଆଇସଲ୍ୟାଣ୍ଡ ଓ ସ୍କଟଲ୍ୟାଣ୍ଡ ମଧ୍ୟରେ ଆମେରିକା ବାହିନୀ ହେଲିକପ୍ଟର ଓ ବୋର୍ଡିଂ ଟିମ୍ ମାଧ୍ୟମରେ ଜାହାଜକୁ ଜବତ କରିଥିଲା। ରୁଷ୍ ଏହାକୁ ‘ଜଳଦସ୍ୟୁର କାର୍ଯ୍ୟ’ ଓ ଅନ୍ତର୍ଜାତୀୟ ସାଗର ନିୟମ ଉଲ୍ଲଘନ ବୋଲି କହି କଡ଼ା ନିନ୍ଦା କରିଛି। ମସ୍କୋ ଦାବି କରିଛି ଯେ ଜାହାଜଟି ରୁଷୀୟ ପତାକା ଅଧୀନରେ ଶାନ୍ତିପୂର୍ଣ୍ଣ ଯାତ୍ରା କରୁଥିଲା।
ସୌଜନ୍ୟ ସମ୍ବାଦ




