Uddhab said about Eknath: ଶିବସେନା ପୁଣିଥରେ ଭାଙ୍ଗିପାରେ, ଏକନାଥ ସିନ୍ଦେ ବିଜେପିକୁ ଭୟ କରୁଛନ୍ତି : ଉଦ୍ଧବ

ନୂଆଦିଲ୍ଲୀ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଦାବି କରିଛନ୍ତି ଯେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଜେପିକୁ ଭୟ କରୁଛନ୍ତି। ସିନ୍ଦେ ନବ ନିର୍ବାଚିତ ଶିବସେନା କର୍ପୋ‌ରେଟରଙ୍କୁ ମୁମ୍ବାଇର ଏକ ଫାଇଭ ଷ୍ଟାର ହୋଟେଲକୁ ଡାକିବାପରେ ଉଦ୍ଧବ ଠାକ୍‌ରେ ସିନ୍ଦେଙ୍କୁ କଟାକ୍ଷ କରିଛନ୍ତି। ବିଏମ୍‌ସି ଉପରୁ ନିୟନ୍ତ୍ରଣ ହରାଇବାପରେ ଉଦ୍ଧବ ତାଙ୍କ ନିରବତା ଭାଙ୍ଗିଛନ୍ତି ଏବଂ କହିଛନ୍ତି ଯେ ଦେଶର ସବୁଠାରୁ ଧନୀ ପୌର ନିଗମକୁ ନିୟନ୍ତ୍ରଣକୁ ନେବାପାଇଁ ସିନ୍ଦେ ସେନା ମେଣ୍ଟରେ ବି ଫାଟ ସୃଷ୍ଟି ହୋଇପାରେ।

ଉଦ୍ଧବ କହିଛନ୍ତି, ଏକନାଥ ସିନ୍ଦେ ତାଙ୍କ କର୍ପୋରେଟରମାନଙ୍କୁ ଏକ ପଞ୍ଚ ତାରକା ହୋଟେଲରେ ରଖୁଥିବାରୁ ସେ ବିଜେପିକୁ ଭୟ କରୁଛନ୍ତି। ସେ ଜାଣିଛନ୍ତି ଯେ ଯଦି ଶିବସେନା ଥରେ ଭାଙ୍ଗିଛି, ପୁଣିଥରେ ବି ଏହା ଭାଙ୍ଗିପାରେ। ୨୦୨୨ ମସିହାର ଘଟଣାକୁ ମନେ ପକାଇ ଉଦ୍ଧବ ଏହି ଟିପ୍ପଣୀ ଦେଇଛନ୍ତି ଯେଉଁ ସମୟରେ ୪୦ ବିଧାୟକଙ୍କ ବିଦ୍ରୋହ ପରେ ଶିବସେନାରେ ବିଭାଜନ ହୋଇଥିଲା। ସିନ୍ଦେଙ୍କ ଦ୍ବାରା ବିଦ୍ରୋଯ ଯୋଗୁ ଉଦ୍ଧବ-କଂଗ୍ରେସ-ଏନ୍‌ସିପି ସରକାରର ପତନ ହେଲା। କଂଗ୍ରେସ ମଧ୍ୟ ଏନେଇ କଡ଼ା ପ୍ରତିକ୍ରିୟା ରଖିଛି।

 

କଂଗ୍ରେସ ସାଂସଦ ନସିର ହୁସେନ ସିନ୍ଦେଙ୍କୁ କଟାକ୍ଷ କରି କହିଛନ୍ତି, ସେ କାହାକୁ ଭୟ କରୁଛନ୍ତି। ତାଙ୍କ କାଉନସିଲରଙ୍କୁ କିଏ ନେଇଯିବ। କାହାର ଏହି ଅଭିଜ୍ଞତା ରହିଛି। ହୁସେନ ଅଭିଯୋଗ କରିଛନ୍ତି ଯେ ବିଜେପି ସହଯୋଗୀଙ୍କ ବଳରେ ଉପରକୁ ଉଠିଛି। ମହାରାଷ୍ଟ୍ର ଏବଂ ବିହାରରେ ଏହାର ସର୍ବାଧିକ ଉଦାହରଣ ରହିଛି। ଏକନାଥ ସିନ୍ଦେ ଶୁବ୍‌ଶୀଘ୍ର ଏହା ଏହା ବୁଝିପାରିଲେ ଏହା ତାଙ୍କ ପାଇଁ ଭଲ ହେବ।

ସୌଜନ୍ୟ ସମ୍ବାଦ