Breaking News

ଶ୍ରୀଲିଙ୍ଗରାଜଙ୍କୁ ୨ ଦିନ ଉପାସ ରଖିବା ପରେ: ଚେତାବନୀ ପରେ ନୀତି ଆରମ୍ଭ

ଶ୍ରୀଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗରେ କଠୋର ହୋଇଛି ଟ୍ରଷ୍ଟ ବୋର୍ଡ। ଏଣିକି ୨୪ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ ସହ ଦୋଷୀଙ୍କୁ ସେବା ନିବୃତ୍ତ କରାଯିବ। ଆବଶ୍ୟକ ପଡ଼ିଲେ ଜମି ବି ଛଡ଼ାଇ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗରେ କଠୋର ହୋଇଛି ଟ୍ରଷ୍ଟ ବୋର୍ଡ। ଏଣିକି ୨୪ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ ସହ ଦୋଷୀଙ୍କୁ ସେବା ନିବୃତ୍ତ କରାଯିବ। ଆବଶ୍ୟକ ପଡ଼ିଲେ ଜମି ବି ଛଡ଼ାଇ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଶ୍ରୀଲିଙ୍ଗରାଜଙ୍କୁ ଉପବାସ ରଖିବାର ୪୮ ଘଣ୍ଟା ପରେ ଅର୍ଥାତ୍‌ ଆଜି ସନ୍ଧ୍ୟା ସାଢ଼େ ୫ଟାରୁ ନୀତି ସ୍ବାଭାବିକ ହୋଇଛି। ସେପଟେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଖୁବ୍‌ଶୀଘ୍ର ଜଣିକିଆ କମିସନ୍‌ ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ। ସେବାୟତଙ୍କ ବିବାଦ ଯୋଗୁଁ ଗତ ୧୩ ତାରିଖ ରାତି ୮ଟାରୁ ମନ୍ଦିରରେ ନୀତି ବନ୍ଦ ରହିଥିଲା। ଆଜି ସକାଳୁ ମଧ୍ୟ ଠାକୁରଙ୍କ ନୀତି ହୋଇ ନଥିଲା। ଗର୍ଭଗୃହରେ ସାହାଣମେଲା ବେଳେ ଠାକୁରଙ୍କ ଚଳନ୍ତି ପ୍ରତିମା ସେମିତି ମକର ମଣ୍ଡପରେ ରହିଥିଲେ। ସେବାୟତମା‌ନେ ସେଠାରେ ଜଗି ରହିଥିଲେ। ଏହି ବିବାଦର ସମାଧାନ ପାଇଁ ଆଜି ସକାଳେ ଆଇନ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏକାମ୍ର ବିଧାୟକ ବାବୁ ସିଂହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବିବାଦର ସମସ୍ତ ଦିଗ ଉପରେ ତର୍ଜମା କରାଯାଇଥିଲା। କୌଣସି ସମୟରେ ସେବାୟତମାନେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରିବା ପରି ଅଯୌକ୍ତିକ କାମ ନ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ଏହାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। ଯେଉଁମାନେ ବ୍ୟାଘାତ ସୃଷ୍ଟି କରିବାରେ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ସିଂହ କହିଥିଲେ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ବୈଠକରେ ସାମିଲ ହୋଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ମାନସ ରଂଜନ ବାରିକ, ଅତିରିକ୍ତ ଶାସନ ସଚିବ ବିଭୁ ପ୍ରସାଦ ପଣ୍ଡା, ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଉପଜିଲ୍ଲାପାଳ, ସହକାରୀ ପୁଲିସ୍ କମିସନର, ଦେବୋତ୍ତର କମିସନର, ଦେବୋତ୍ତର ସହକାରୀ କମିସନର ପ୍ରମୁଖ ଉପସ୍ଥିତ ଥିଲେ।

ସ୍ବତ୍ବଲିପି ପାଇଁ କମିସନ ଗଠନ ‌ହେବ: ମନ୍ତ୍ରୀ

ଦୋଷୀଙ୍କୁ କରାଯିବ ସେବା ନିବୃତ୍ତ
ଆବଶ୍ୟକ ପଡ଼ିଲେ ଛଡ଼ାଇ ନିଆଯିବ ଜମି

ଏହି ବୈଠକ‌ ପରେ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ବାରମ୍ବାର ବିବାଦ ଉପୁଜୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଜଣିକିଆ କମିସନ୍‌ ଗଠନ କରାଯିବ। ଏହି କମିସନ୍‌ ଦୁଇ ମାସ ଭିତରେ ବିଭିନ୍ନ ନିଯୋଗ ଠାରୁ ତଥ୍ୟ ସଂଗ୍ରହ ସହ ପୂର୍ବ ସରକାରୀ ତଥ୍ୟକୁ ମିଶାଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବେ। ଏହି ସ୍ବତ୍ବଲିପି ବା ରେକର୍ଡ ଅଫ୍ ରାଇଟ୍ ଲାଗୁ ହେବା ପରେ ସେବାକୁ ନେଇ ଦ୍ବନ୍ଦ୍ବ ରହିବ ନାହିଁ। ଅପରାହ୍‌ଣରେ ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡ ସଭାପତି ଚଞ୍ଚଲ୍‌ ରାଣାଙ୍କ ଅଧ୍ୟକ୍ଷତା‌ରେ ସ୍ପେସାଲ ସର୍କିଟ୍‌ ହାଉସ୍‌ରେ ଟ୍ରଷ୍ଟ ବୋର୍ଡ ବୈଠକ ବସିଥିଲା। ଏଥିରେ ଜିଲ୍ଲାପାଳ ସବୁ ନିଯୋଗର ପ୍ରତିନିଧିଙ୍କଠାରୁ ଘଟଣା ସମ୍ପର୍କରେ ଶୁଣିଥିଲେ। ସବୁ ଶୁଣିବା ପରେ ଜିଲ୍ଲାପାଳ ଶ୍ରୀ ରାଣା କହିଥିଲେ ଯେ ନୀତି ବିଭ୍ରାଟ ଘଟଣାର ତଦନ୍ତ ହେବ। ୨୪ଘଣ୍ଟା ଭିତରେ ଅତିରିକ୍ତ ଜିଲ୍ଲାପାଳ ତଦନ୍ତ ରିପୋର୍ଟ ଦେବେ। ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ସେବାୟତଙ୍କ ନିକଟରୁ ମତ ନେଇ ରିପୋର୍ଟ ପ୍ରସ୍ତୁତ କରିବେ। ଏହାପରେ ୨ଦିନ ମଧ୍ୟରେ ଆଉ ଏକ ଟ୍ରଷ୍ଟ ବୋର୍ଡ ବୈଠକ ଡକାଯାଇ ନୀତି ବିଭ୍ରାଟରେ ଯିଏ ଦାୟୀ ଥିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦେବୋତ୍ତର ଆଇନ ୩୨ଧାରାରେ ସେମାନଙ୍କୁ ସେବା ନିବୃତ୍ତ କରାଯିବ। ଆବଶ୍ୟକ ପଡ଼ିଲେ ସେବା ପାଇଁ ଭୋଗ କରୁଥିବା ଜମିକୁ ୬୮ଧାରାରେ ଉଚ୍ଛେଦ କରାଯିବ। ଆଗକୁ କେହି ସେବା ବନ୍ଦ କଲେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯିବ। ‌ବୈଠକରେ ଜିଲ୍ଲାପାଳ ଶ୍ରୀ ରାଣା କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରେ ସେବାୟତମାନେ ସନ୍ଧ୍ୟାରେ ନୀତି ଆରମ୍ଭ କରିଥିଲେ। ପ୍ରଥମେ ମାଘସ୍ନାନ କରାଯାଇ ଆଳତି ପରେ ଅନ୍ୟାନ୍ୟ ନୀତି କରାଯାଇଥିଲା। ଚଳନ୍ତି ପ୍ରତିମା ଦକ୍ଷିଣୀଘରକୁ ଫେରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ର ପ୍ରସାଦ ମହାନ୍ତି, ଦେବୋତ୍ତର ଆସିଷ୍ଟାଣ୍ଟ କମିସନର, ତହସିଲଦାର, ଜୋନ୍‌-୨ ଏସିପି, ପୂଜାପଣ୍ଡା ନିଯୋଗ ସଭାପତି ପ୍ରସନ୍ନ କୁମାର ପୂଜାପଣ୍ଡା, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡ଼ୁ ନିଯୋଗ ସଭାପତି ଅଞ୍ଚଳ ବଟୁ ଓ ମନ୍ଦିର କର୍ମଚାରୀ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.