TRUMP: ଜୋ ବିଡେନଙ୍କ ପ୍ରଶାସନ ସହିତ ଜଡ଼ିତ ପଦାଧିକାରୀଙ୍କୁ ବାହାର କରୁଛି ଟ୍ରମ୍ପ ପ୍ରଶାସନ
ମଧ୍ୟପ୍ରାଚ୍ୟରେ ଇରାନ ସହିତ ଆମେରିକା ଭୟଙ୍କର ଯୁଦ୍ଧ ଲଢ଼ୁଥିବାବେଳେ ୱାସିଂଟନ ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ରେଣ୍ଡି ଜର୍ଜଙ୍କୁ ତାଙ୍କ ପଦରୁ ହଟେଇ ଦେଇଛି। ଆମେରିକା ପ୍ରତିରକ୍ଷା ବିଭାଗ ଏହାର ରଣନୀତି ଓ ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରୁଥିବା ଦେଖିବାକୁ ମିଳିଛି।

ୱାସିଂଟନ: ମଧ୍ୟପ୍ରାଚ୍ୟରେ ଇରାନ ସହିତ ଆମେରିକା ଭୟଙ୍କର ଯୁଦ୍ଧ ଲଢ଼ୁଥିବାବେଳେ ୱାସିଂଟନ ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ରେଣ୍ଡି ଜର୍ଜଙ୍କୁ ତାଙ୍କ ପଦରୁ ହଟେଇ ଦେଇଛି। ଆମେରିକା ପ୍ରତିରକ୍ଷା ବିଭାଗ ଏହାର ରଣନୀତି ଓ ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ପ୍ରତିରକ୍ଷା ସଚିବ ପିଟ୍ ହେଗ୍ସେଥ୍ ଜର୍ଜଙ୍କୁ ଇସ୍ତଫା ସହିତ ଅବସର ନେବାକୁ କହିଛନ୍ତି। ପେଣ୍ଟାଗନ ପକ୍ଷରୁ ଏହି ଖବର ସ୍ପଷ୍ଟ କରାଯାଇଛି। ଏଫବିଆଇ ନିର୍ଦ୍ଦେଶକ କାଶ୍ ପଟେଲ, ସେନା ସଚିବ ଡାନିଏଲ୍ ଡ୍ରିସକୋଲ୍ ଏବଂ ଶ୍ରମ ସଚିବ ଲୋରି ଚାଭେଜ୍-ଡେରେମର ମଧ୍ୟ ଟ୍ରମ୍ପ ପ୍ରଶାସନ ଛାଡିବା ବିଷୟରେ ଆଲୋଚନା ହୋଇଥିଲା। ହ୍ୱାଇଟ୍ ହାଉସ୍ ଯୋଜନା ସହିତ ପରିଚିତ ଲୋକଙ୍କ ସୂତ୍ରରୁ ଆଟଲାଣ୍ଟିକ୍ ଗୁରୁବାର ଏହି ରିପୋର୍ଟ କରିଛି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ କିଛି ସ୍ଥିର କରିନାହାନ୍ତି।
ଜର୍ଜ ଦଶନ୍ଧି ଦଶନ୍ଧି ଧରି ସାମରିକ ବାହିନୀରେ ସେବା କରିଆସୁଥିଲେ। ସେ ୧୯୮୮ ମସିହାରେ କମିଶନ ହୋଇଥିଲେ ଏବଂ ଅପରେସନ ଡେଜାର୍ଟ ସିଲ୍ଡ, ଡେଜାର୍ଟ ଷ୍ଟର୍ମ, ଅପରେସନ ଇରାକି ଫ୍ରିଡମ୍ ଏବଂ ଅପରେସନ ଏଣ୍ଡ୍ୟୁରିଂ ଫ୍ରିଡମ୍ ସମୟରେ ନିୟୋଜିତ ହୋଇଥିଲେ। ସେନା ମୁଖ୍ୟ ଭାବରେ ନିଯୁକ୍ତି ପାଇବା ପୂର୍ବରୁ ଜର୍ଜ ୨୦୨୨ ରୁ ୨୦୨୩ ପର୍ଯ୍ୟନ୍ତ ଭାଇସ୍ ଚିଫ୍ ଅଫ୍ ଷ୍ଟାଫ୍ ଭାବରେ ଏବଂ ଜୋ ବିଡେନ୍ ପ୍ରଶାସନ ସମୟରେ ୨୦୨୧ ରୁ ୨୦୨୨ ପର୍ଯ୍ୟନ୍ତ ତତ୍କାଳୀନ ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନଙ୍କ ବରିଷ୍ଠ ସାମରିକ ସହାୟକ ଭାବରେ କାର୍ଯ୍ୟ କରିଥିଲେ। ଜର୍ଜଙ୍କୁ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ସେନା ମୁଖ୍ୟ ପଦବୀ ପାଇଁ ମନୋନୀତ କରିଥିଲେ ଏବଂ ୨୦୨୩ ମସିହାରେ ସିନେଟ ଦ୍ୱାରା ଅନୁମୋଦନ କରାଯାଇଥିଲା।
ଏହି ପଦରେ ସେ ୪ ବର୍ଷ ଅର୍ଥାତ୍ ୨୦୨୭ ପର୍ଯ୍ୟନ୍ତ ରହିଥାନ୍ତେ। କିନ୍ତୁ ତାଙ୍କ କାର୍ଯ୍ୟକାଳ ଆହୁରି ବର୍ଷେ ଥିବାବେଳେ ତାଙ୍କୁ ପେଣ୍ଟାଗନ ପକ୍ଷରୁ ଶୀଘ୍ର ଅବସର ନେବାକୁ କୁହାଯାଇଛି। ହେଗ୍ସେଥ୍ ପ୍ରତିରକ୍ଷା ସଚିବ ହେବା ପରଠାରୁ ଡଜନରୁ ଅଧିକ ଅଧିକାରୀଙ୍କୁ ବଦଳି କରିସାରିଲେଣି। ହେଗ୍ସେଥ୍ ଜର୍ଜଙ୍କୁ ପଦବିରୁ ହଟେଇବାକୁ ଦୀର୍ଘ ଦିନ ହେଲା ଯୋଜନା କରିଆସୁଥିଲେ। ଟ୍ରମ୍ପଙ୍କ ପୂର୍ବ ସରକାର ସହିତ ଜର୍ଜଙ୍କ ଘନିଷ୍ଠତା ଯୋଗୁ ତାଙ୍କୁ ଏହି ପଦବିରୁ ହଟେଇ ଦିଆଯାଇଛି। ଗତ ସରକାର ସହିତ ଜଡ଼ିତ ତଥା ସେମାନଙ୍କ ବିଚାରଧାରା ସହିତ ଜଡ଼ିତ ସମସ୍ତ ଅଧିକାରୀଙ୍କୁ ହେଗସେଥ୍ ହଟେଇ ଦେଇଛନ୍ତି। ଏହାପୂର୍ବରୁ ହେଗ୍ସେଥ୍ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ ଜେଫରି କ୍ରୁସ୍ଙ୍କୁ ତାଙ୍କ ପଦରୁ ହଟେଇ ଦେଇଥିଲେ। ଏଜେନ୍ସି ଏକ ଆକଳନରେ ଇରାନ ଉପରେ ଆମେରିକାର ଆକ୍ରମଣର ସଫଳତାକୁ ଟ୍ରମ୍ପଙ୍କ ଦାବିଠାରୁ କମ୍ ବୋଲି କହିଥିଲେ। ଏହାବ୍ୟତୀତ ନାଟୋରେ ଆମେରିକାର ପ୍ରତିନିଧି ଭାଇସ୍ ଏଡମିରାଲ ଶୋଶନ ଚାଟଫିଲ୍ଡ ଓ ଯୁଗ୍ମ ଚିଫ୍ ଅଫ୍ ଷ୍ଟାଫ୍ର ଅଧ୍ୟକ୍ଷ ସି କ୍ୟୁ ବ୍ରାଉନ୍ଙ୍କୁ ମଧ୍ୟ ପଦରୁ ହଟେଇ ସାରିଛି।
ସୌଜନ୍ୟ ସମ୍ବାଦ




