uncategories

Cow’s milk : ଶୁଷ୍କ ଆଖି ସମସ୍ୟା ଦୂରକରେ ଗାଈ କ୍ଷୀର!

ମୋବାଇଲ୍‌, ଲାପ୍‌ଟପ୍‌ ଓ ଟେଲିଭିଜନ୍‌ର ମାତ୍ରାଧିକ ବ୍ୟବହାର ଆଜିକାଲି ଆଖିର ସମସ୍ୟା ବଢ଼ାଉଛି। ବିଶେଷକରି ଏହା ଆଖିକୁ ଶୁଷ୍କ କରିଦେଉଛି। ଏବେ ଦିଲ୍ଲୀର ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ(ଏମ୍‌ସ)ର ଗବେଷକମାନେ ଏଭଳି ଶୁଷ୍କ ଆଖିର ଚିକିତ୍ସା ପାଇଁ ଏକ ନୂଆ ଔଷଧ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। କ୍ଷୀରର ପ୍ରୋଟିନ୍ ଲାକ୍ଟୋଫେରିନ୍‌ରୁ ପ୍ରସ୍ତୁତ ଏହି ଔଷଧ  ଆଖିର ଆର୍ଦ୍ରତା ବଜାୟ ରଖିବାରେ ସାହାଯ୍ୟ କରିବ।

ଆଖି ଯେତେବେଳେ ପର୍ଯ୍ୟାପ୍ତ ଲୁହ ବାହାର କରିପାରେ ନାହିଁ କିମ୍ବା ଏହାର ଗୁଣବତ୍ତା ଖରାପ ହୁଏ, ସେତେବେଳେ ଆଖି ଶୁଷ୍କ ହୋଇଯାଏ। ଏଭଳି ହେଲେ ଆଖି ନାଲି ପଡ଼ିବା ସହ ଜଳାପୋଡ଼ା ହୁଏ ଏବଂ ଓଜନିଆ ଲାଗେ। ଦୀର୍ଘ ସମୟ ଧରି ମୋବାଇଲ୍‌ ବା କମ୍ପ୍ୟୁଟର୍‌ ସ୍କ୍ରିନ୍‌ ଦେଖିବା ଅଭ୍ୟାସ ଏହି ସମସ୍ୟାକୁ ଆହୁରି ବଢ଼ାଇଦିଏ। ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡକ୍ଟର ନମ୍ରତା ଶର୍ମାଙ୍କ ନେତୃତ୍ୱରେ ଏମ୍‌ସ ଆର୍‌ପି ସେଣ୍ଟର୍‌ର ପ୍ରାୟ ୨୦୦ ଜଣଙ୍କ ଉପରେ କରାଯାଇଥିବା ଏହି ପରୀକ୍ଷଣରେ ରୋଗୀମାନଙ୍କୁ ତିନି ମାସ ଧରି ପ୍ରତିଦିନ ୨୫୦ ମିଗ୍ରା ଲାକ୍ଟୋଫେରିନ୍ ଦିଆଯାଇଥିଲା ଓ ସଫଳତା ମିଳିଥିଲା। ଶୁଷ୍କ ଆଖି ପାଇଁ ଅଧିକାଂଶ ଲୋକ ଡ୍ରପ୍ କିମ୍ବା ଷ୍ଟେରୋଏଡ୍ ବ୍ୟବହାର କରିଥାନ୍ତି। ତେବେ ଏହା କେବଳ ଅସ୍ଥାୟୀ ଆରାମ ଦିଏ, ଯାହାର ପାର୍ଶ୍ୱ ପ୍ରତିକ୍ରିୟା ବି ରହିଛି। ଏ ଦିଗରେ ନୂତନ ଲାକ୍ଟୋଫେରିନ୍-ଆଧାରିତ ଚିକିତ୍ସା ନିରାପଦ ହେବ।

ଲାକ୍ଟୋଫେରିନ୍ କ’ଣ?

ଲାକ୍ଟୋଫେରିନ୍ ଏକ ପ୍ରାକୃତିକ ପ୍ରୋଟିନ୍, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ପ୍ରଦାହ ହ୍ରାସ ଓ କୋଷଗୁଡ଼ିକର ମରାମତି କରିଥାଏ। ପ୍ରାରମ୍ଭରେ ମଣିଷ କ୍ଷୀରରୁ ଏହି ପ୍ରୋଟିନ୍ ବାହାର କରିବାକୁ ଚେଷ୍ଟା ହୋଇଥିଲା। ତେବେ ସୀମିତ ଉପଲବ୍ଧତା ଓ ଅନ୍ୟ କାରଣରୁ ସମ୍ଭବ ହୋଇପାରି ନଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଗାଈର କୋଲୋଷ୍ଟ୍ରମ୍‌କୁ ବିକଳ୍ପ ଭାବେ ଗ୍ରହଣ କରାଯାଇଥିଲା। ଗବେଷକଙ୍କ ଆଶା ଯେ, ଆବଶ୍ୟକୀୟ ଅନୁମୋଦନ ପରେ ଏହି ଔଷଧ ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବ।

 

 

 

ସୌଜନ୍ୟ ସମ୍ବାଦ

 

 

 

Show More
Back to top button