Israel: ଯୁଦ୍ଧବିରତି ପୂର୍ବରୁ ଇସ୍ରାଏଲର ପ୍ରଳୟଙ୍କରୀ ଆକ୍ରମଣ, ୧୫୦ରୁ ଅଧିକ ହିଜବୁଲ୍ଲା ଆତଙ୍କବାଦୀ ନିପାତ, ବିନ୍ତ ଜବେଇଲ କମାଣ୍ଡର ମୃତ

ତେଲ୍ ଅଭିଭ/ବେରୁଟ୍: ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି କାର୍ଯ୍ୟକାରୀ ହେବାର ଠିକ୍ ୨୪ ଘଣ୍ଟା ପୂର୍ବରୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଲେବାନନରେ ହିଜବୁଲ୍ଲାର ଗଡ଼ ଗୁଡ଼ିକ ଉପରେ ଏକ ବଡ଼ ସାମରିକ ଆକ୍ରମଣ କରିଛି, ଯେଉଁଥିରେ ୧୫୦ରୁ ଅଧିକ ହିଜବୁଲ୍ଲା ସଦସ୍ୟ ପ୍ରାଣ ହରାଇଥିବା ବେଳେ ପ୍ରାୟ ୩୦୦ରୁ ଅଧିକ ସାମରିକ ଘାଟିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯାଇଛି। ଏହି ଅପରେସନର ସବୁଠାରୁ ବଡ଼ ସଫଳତା ହେଉଛି ହିଜବୁଲ୍ଲାର ବିନ୍ତ ଜବେଇଲ ସେକ୍ଟର କମାଣ୍ଡର ଅଲି ରିଦା ଅବ୍ବାସଙ୍କ ମୃତ୍ୟୁ। ଆଇଡିଏଫ୍ ଅନୁଯାୟୀ, ଅବ୍ବାସ ହେଉଛନ୍ତି ଚତୁର୍ଥ କମାଣ୍ଡର ଯିଏକି ”ଅପରେସନ ନର୍ଦ୍ଦର୍ନ ଆରୋଜ୍” ଆରମ୍ଭ ପରଠାରୁ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନିହତ ହୋଇଛନ୍ତି।

ସେନା ପକ୍ଷରୁ ଜାରି କରାଯାଇଥିବା ସରକାରୀ ବିବୃତ୍ତି ଅନୁଯାୟୀ, ଏହି ଆକ୍ରମଣରେ ହିଜବୁଲ୍ଲାର ରକେଟ୍ ଲଞ୍ଚର୍, କମାଣ୍ଡ ସେଣ୍ଟର ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ଗୋଦାମଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ବିଶେଷ କରି ”ଅପରେସନ ରୋରିଂ ଲାୟନ” ଅଧୀନରେ ଇସ୍ରାଏଲ ବିରୁଦ୍ଧରେ ଅନେକ ଘାତକ ଆକ୍ରମଣର ନେତୃତ୍ୱ ନେଉଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଏହି ଅଭିଯାନ କରାଯାଇଥିଲା।

ଆଇଡିଏଫ୍ ଦାବି କରିଛି ଯେ ଏହି ଅପରେସନ ଆରମ୍ଭ ପରଠାରୁ ଲେବାନନରେ ପ୍ରାୟ ୧,୮୦୦ରୁ ଅଧିକ ହିଜବୁଲ୍ଲା ସଦସ୍ୟ ନିହତ ହୋଇସାରିଛନ୍ତି। ଯୁଦ୍ଧବିରତି ଘୋଷଣା ପରେ ସମଗ୍ର ଅଞ୍ଚଳରେ ଏବେ ଉତ୍ତେଜନା କିଛି ମାତ୍ରାରେ ହ୍ରାସ ପାଇଥିଲେ ସୁଦ୍ଧା ଇସ୍ରାଏଲ ସେନା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ସେନା କହିଛି ଯେ, ଇସ୍ରାଏଲର ନାଗରିକ ଏବଂ ସୈନ୍ୟମାନଙ୍କ ସୁରକ୍ଷା ପାଇଁ ଯେକୌଣସି ପ୍ରକାରର ବିପଦକୁ ଦୂର କରିବା ନିମନ୍ତେ ସେମାନେ ଆଗକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରଖିବେ। ବର୍ତ୍ତମାନ ହିଜବୁଲ୍ଲାର ସାମରିକ ଶକ୍ତିକୁ ଦୁର୍ବଳ କରିବା ଇସ୍ରାଏଲର ପ୍ରାଥମିକ ଲକ୍ଷ୍ୟ ହୋଇ ରହିଛି।

 

 

 

 

ସୌଜନ୍ୟ ସମ୍ବାଦ