ଜାତୀୟ

Bangladesh: ବାଂଲାଦେଶରେ ତେଲ ଦର ବଢ଼ିଲା

ଢାକା: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳ ଦର ମହଙ୍ଗା ହୋଇଥିବାରୁ ବାଲାଂଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ପେଟ୍ରୋଲ ଦର ଲିଟର ପିଛା ୧୩୫ ଟାକା (ବାଂଲାଦେଶ ମୁଦ୍ରା) ହୋଇଛି ଯାହା ପୂର୍ବରୁ ୧୧୬ ଟଙ୍କା ଥିଲା। ସେହିପରି ଡିଜେଲ ଲିଟର ୧୧୫ ଟାକା ଓ କିରାସିନି ଲିଟର ୧୩୦ ଟାକା ରହିଛି। ଅଶୋଧିତ ତେଲ ଦର ମହଙ୍ଗା ହେବା ପରେ ଦର ବଢ଼ାଇବା ବ୍ୟତୀତ ଅନ୍ୟ କୌଣସି ବାଟ ନଥିଲା ବୋଲି ବାଂଲାଦେଶର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେଲ ଦରକୁ ନେଇ ବ୍ୟାପକ ଗୁଜବ ପ୍ରଚାର ହେଉଥିବାରୁ ପେଟ୍ରୋଲ ପମ୍ପଗୁଡ଼ିକରେ ଗ୍ରାହକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ସରକାର କହିଛନ୍ତି ଯେ ଆତଙ୍କିତ ହୋଇ ଲୋକମାନେ ଅଧିକ ତେଲ କିଣୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।
ଭାରତ ଭଳି ବାଂଲାଦେଶ ମଧ୍ୟ ତେଲ ପାଇଁ ଆମଦାନି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଇରାନ ଯୁଦ୍ଧ ପରେ ତେଲ ଦର ବଢ଼ିବା ସହ ପରିବହନ ଖର୍ଚ୍ଚ ଓ ବୀମା ପ୍ରିମିୟମ ମଧ୍ୟ ଯଥେଷ୍ଟ ବଢ଼ିଛି। ତାହା ବାଂଲାଦେଶର ସୀମିତ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ପ୍ରବଳ ଚାପ ସୃଷ୍ଟି କରିଛି। ତେଲ ଦରବୃଦ୍ଧିକୁ ଏଡ଼ାଇବାକୁ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ଯଥେଷ୍ଟ ଉଦ୍ୟମ କରିଥିଲେ। ସବ୍‌ସିଡି ଦେବା, ଦରବୃଦ୍ଧିକୁ ଅଟକାଇବା, ଷ୍ଟକ୍‌ ଉପରେ ନିୟନ୍ତ୍ରଣ ଭଳି ଉଦ୍ୟମ ହୋଇଥିଲା। କିନ୍ତୁ ତାହା ଯଥେଷ୍ଟ ନଥିଲା। ଅଶୋଧିତ ତେଲ ଦର ଅସ୍ଥିର ରହିବାରୁ କୌଣସି ଉଦ୍ୟମ ଫଳପ୍ରଦ ହୋଇନଥିଲା। ଇନ୍ଧନ କିଣିବା ପାଇଁ ବାଂଲାଦେଶ ଦରକାର ବିଦେଶରୁ ୨ ବିଲିୟନ ଡଲାର ପାଣ୍ଠି ଆଣିବାକୁ ଉଦ୍ୟମ କରୁଛି।

 

 

ସୌଜନ୍ୟ ସମ୍ବାଦ

Show More
Back to top button