Pahalgam Terror Attack: କିଛି ସୀମା କେବେବି ଲଙ୍ଘନ କରାଯିବା ଉଚିତ୍ ନୁହେଁ: ପହଲଗାମ ଆକ୍ରମଣର ବାର୍ଷିକୀ ପୂର୍ବରୁ ଭାରତୀୟ ସେନାର କଡ଼ା ଚେତାବନୀ

ଶ୍ରୀନଗର : ୨୨ ଏପ୍ରିଲ୍ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଏକ ଦଳ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ବାସିନ୍ଦାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଭାରତ ପାକିସ୍ତାନରେ ଥିବା ଲସ୍କର ଏବଂ ଜୈଶ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ଏବେ ଗୋଟିଏ ବର୍ଷ ପରେ, ଭାରତରେ ଲୋକେ ଏହି ଘଟଣାକୁ ମନେ ପକାଇ ଶୋକ ପାଳନ କରୁଛନ୍ତି। ଏହି ସମୟରେ ଭାରତୀୟ ସେନା ଏକ କଡ଼ା ଚେତାବନୀ ଜାରି କରିଛି। ଭାରତୀୟ ସେନା ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛି। ସେନା କହିଛି ଯେ, କିଛି ସୀମା ଅଛି ଯାହାକୁ କେବେବି ଲଙ୍ଘନ କରାଯିବା ଉଚିତ୍ ନୁହେଁ ଏବଂ ଯଦି ଏପରି କରାଯାଏ ତେବେ ପରିଣାମ ବିଷୟରେ ସ୍ମରଣ କରିବାକୁ ହେବ। ପହଲଗାମ ଆକ୍ରମଣର ବାର୍ଷିକୀ ପୂର୍ବରୁ, ଭାରତୀୟ ସେନା ସୋସିଆଲ ମିଡିଆ ଏକ୍ସରେ କହିଛି, ଯେତେବେଳେ ମାନବତାର ସୀମା ଲଙ୍ଘନ କରାଯାଏ, ସେତେବେଳେ ପ୍ରତିକ୍ରିୟା ନିର୍ଣ୍ଣାୟକ ହୋଇଥାଏ। ନ୍ୟାୟ ପ୍ରଦାନ କରାଯାଏ। ଭାରତ ଏକଜୁଟ ହୋଇ ଠିଆ ହୁଏ। ପୋଷ୍ଟ ସହିତ ଏକ ଗ୍ରାଫିକ୍ ମଧ୍ୟ ଲେଖାଯାଇଛି, ‘କିଛି ସୀମା କେବେବି ଲଙ୍ଘନ କରାଯିବା ଉଚିତ୍ ନୁହେଁ। ଭାରତ ଭୁଲେ ନାହିଁ’।

ଅପରପକ୍ଷରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଜୈଶ୍-ଏ-ମହମ୍ମଦ (ଜେଇଏମ୍‌) କମାଣ୍ଡର ଅବଦୁଲ ରୌଫଙ୍କ ନାମରେ ଏକ ନୂତନ ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି। ଏହି ଅଡିଓ ଆତଙ୍କବାଦୀ ସଂଗଠନର ମହିଳା ଶାଖା, ଜମାତ-ଅଲ-ମୋମିନାତ ଉପରେ କେନ୍ଦ୍ରିତ। ଏଥିରେ ପାକିସ୍ତାନରେ ସଂଗଠନର ବୈଚାରିକ ଧାରାର ବିସ୍ତାର କରିବା ପାଇଁ ପ୍ରୟାସ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଅଡିଓରେ ରୌଫ ଦାବି କରିଛନ୍ତି,କରାଚିରୁ ବାହାୱଲପୁର, ବାହାୱଲପୁରରୁ ପେଶାୱର ପର୍ଯ୍ୟନ୍ତ, ଜମାତ-ଅଲ-ମୋମିନାତ ସାରା ଦେଶରେ ସକ୍ରିୟ ଅଛି। ମସୁଦ ଆଝାରଙ୍କ ନିର୍ଦ୍ଦେଶରେ, ମହିଳାମାନଙ୍କୁ ଚାରିଟି ଜିନିଷ ପ୍ରତି ଆମନ୍ତ୍ରଣ କରାଯାଉଛି, ବିଶ୍ୱାସ, ପ୍ରାର୍ଥନା, ଜିହାଦ ଏବଂ ପରଦା। ସେ ଅଭିଯୋଗ କରିଛନ୍ତି, ମହିଳାମାନଙ୍କୁ ନିଯୁକ୍ତି ନାମରେ ଦୁର୍ନୀତିଗ୍ରସ୍ତ କରାଯାଉଛି। ଟେଲିଭିଜନରୁ ଦୂରେଇ ରହିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

ସାମ୍ନାକୁ ଆସିଲା ‘ଜିହାଦ ଏବଂ ପର୍ଦା’ ସମ୍ପର୍କିତ ଜୈଶ୍ ଭିଡିଓ

ଏହି ବାର୍ତ୍ତା ମାଧ୍ୟମରେ ସେ ଯୁବପିଢ଼ିଙ୍କୁ ନିଜ ଜାଲରେ ଫସାଇବାକୁ ଉଦ୍ୟମ କରିଛନ୍ତି। ବିଦେଶରେ ଚାକିରି ଖୋଜିବାକୁ ସେମାନଙ୍କୁ ନିରୁତ୍ସାହିତ କରାଯାଇ ସଂଗଠନରେ ନିଯୁକ୍ତି ଦେବାକୁ କୁହାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଏହି ୱିଙ୍ଗ୍ ମହିଳାମାନଙ୍କ ମଧ୍ୟରେ ଗୋଷ୍ଠୀର ନିଯୁକ୍ତି ଆଧାରକୁ ବିସ୍ତାର କରିବା ସହିତ ଉଗ୍ରବାଦୀ ଚିନ୍ତାଧାରାକୁ ଆଗକୁ ବଢାଇବା ପାଇଁ ଡିଜାଇନ୍ କରାଯାଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଅନୁସାରେ ପହଲଗାମ ଆକ୍ରମଣ ବାର୍ଷିକୀ ପୂର୍ବରୁ ଏପରି ପ୍ରଚାର ନେଟୱାର୍କଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ପ୍ରାସଙ୍ଗିକତାକୁ ସୂଚିତ କରିବା ପାଇଁ ଏକ ପ୍ରୟାସ। ସୁରକ୍ଷା ଏଜେନ୍ସିଗୁଡ଼ିକ ଜୈଶ୍-ଏ-ମହମ୍ମଦ ଭଳି ଗୋଷ୍ଠୀ ସହି ଜଡିତ ଅନଲାଇନ୍ ଏବଂ ଅଫଲାଇନ୍ ସଂଯୋଗ ପ୍ରୟାସକୁ ଟ୍ରାକ୍ କରିବା ଜାରି ରଖିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ