Alien life: ୟୁଏଫ୍‌ଓ ଉପରେ ନୀରବତା ଭାଙ୍ଗିଲା ଆମେରିକା, ପ୍ରଥମ ଥର ପାଇଁ ପେଣ୍ଟାଗନ୍ ପ୍ରକାଶ କଲା ଗୁପ୍ତ ଦଲିଲ୍

ୱାସିଂଟନ: ପୃଥିବୀ ବାହାରେ ଜୀବନ ଅଛି କି ? ଏଲିଏନ୍ ଅଛନ୍ତି କି? ଏସବୁ ବିଷୟରେ ସସପେନ୍ସ ଏବେ ଶେଷ ହୋଇପାରେ। ଆମେରିକୀୟ ପ୍ରତିରକ୍ଷା ବିଭାଗ, ପେଣ୍ଟାଗନ୍, ପୂର୍ବରୁ ବର୍ଷ ବର୍ଷ ଧରି ଗୁପ୍ତ ରଖାଯାଇଥିବା ବର୍ଗୀକୃତ ଫାଇଲଗୁଡ଼ିକର ପ୍ରଥମ ବ୍ୟାଚ୍ ପ୍ରକାଶ କରିଛି। ଏହି ଫାଇଲଗୁଡ଼ିକରେ ଅଜଣା ଉଡ଼ନ୍ତା ବସ୍ତୁ କିମ୍ବା ୟୁଏଫ୍‌ଓ ଦେଖିବାର ରିପୋର୍ଟ ଅନ୍ତର୍ଭୁକ୍ତ। ପେଣ୍ଟାଗନ୍ ଆନୁଷ୍ଠାନିକ ଭାବରେ ସେସବୁକୁ ଅଜ୍ଞାତ ଅସାଧାରଣ ଘଟଣା(ୟୁଏପି) ବୋଲି କହୁଛି।

ଆମେରିକୀୟମାନେ ଗତ କିଛି ଦଶନ୍ଧି ଧରି ଏହି ଫାଇଲଗୁଡ଼ିକୁ ପ୍ରକାଶ କରିବାକୁ ଦାବି କରିଆସୁଥିଲେ। ପେଣ୍ଟାଗନ୍ କହିଛି ଯେ, ସର୍ବାଧିକ ସ୍ୱଚ୍ଛତା ପାଇଁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସର ଅଂଶ ଭାବରେ ଏହା ପ୍ରକାଶ କରାଯାଇଛି ଏବଂ ଆମେରିକୀୟ ଜନସାଧାରଣ ଏହି ବିଷୟଗୁଡ଼ିକ ଉପରେ ସ୍ବୀଧୀନ ଭାବରେ କୌଣସି ବାଧା ବିନା ନିଜର ନିଷ୍କର୍ଷ ବାହାର କରିପାରିବେ। ପ୍ରତିରକ୍ଷା ବିଭାଗ କହିଛି ଯେ, ପୂର୍ବ ସରକାରଗୁଡ଼ିକ ଆମେରିକୀୟ ଲୋକଙ୍କୁ ଏପରି ଘଟଣା ବିଷୟରେ ଆଲୋଚନା କରିବାକୁ ନିରୁତ୍ସାହିତ କରିଥିଲେ ତଥା ବାଧା ଦେଇଥିଲେ, କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପ ସର୍ବାଧିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଫାଇଲଗୁଡ଼ିକ ଦୀର୍ଘ ଦିନ ଧରି ଜାରି ରହିଥିବା କଳ୍ପନାଜଳ୍ପନାକୁ ଖୋରାକ ଯୋଗାଇଥିଲା, ଏବଂ ଏବେ ଆମେରିକୀୟ ଲୋକଙ୍କ ପାଇଁ ସେଗୁଡ଼ିକୁ ନିଜେ ଦେଖିବାର ଏବଂ ପରୀକ୍ଷା କରିବାର ସମୟ ଆସିଛି ବୋଲି ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟର ୱେବସାଇଟରେ ୧୭୦ ରୁ ଅଧିକ ଫାଇଲ୍ ପ୍ରକାଶିତ ହୋଇଛି। ଡିସେମ୍ବର ୧୯୪୭ ର ଏକ ଫାଇଲରେ ଉଡ଼ନ୍ତା ଥାଳିଆ ବା ୟୁଏଫ୍‌ଓ ଉପରେ ରିପୋର୍ଟଗୁଡ଼ିକର ଏକ ସମ୍ପୂର୍ଣ୍ଣ ସିରିଜ୍ ରହିଛି। ଏଥିରେ ୧୯୭୨ ମସିହାରେ ଆପୋଲୋ ୧୭ ସମୟରେ ଚନ୍ଦ୍ର ନିକଟରେ ପରିଲକ୍ଷିତ ଅସାଧାରଣ ଦୃଶ୍ୟ ଏବଂ ଉଜ୍ଜ୍ୱଳ ଅଜ୍ଞାତ ବସ୍ତୁଗୁଡ଼ିକର ରିପୋର୍ଟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଆମେରିକାର ବାୟୁସେନାର ଏକ ଗୁପ୍ତଚର ରିପୋର୍ଟରେ ଅଜଣା ବିମାନ ଏବଂ ଉଡ଼ନ୍ତା ଥାଳିଆ ଦେଖିବାର ବିବରଣୀ ଦିଆଯାଇଛି। ନଭେମ୍ବର ୧୯୪୮ ତାରିଖର ଏହି ରିପୋର୍ଟକୁ ଟପ୍ ସିକ୍ରେଟ୍ ଭାବରେ ଚିହ୍ନିତ କରାଯାଇଛି।

୨୦୨୩ ମସିହାର ସାମ୍ପ୍ରତିକ ଫାଇଲଗୁଡ଼ିକ ମଧ୍ୟରୁ ଗୋଟିଏରେ, ଫେଡେରାଲ୍ ଆଇନ ପ୍ରବର୍ତ୍ତନ ସ୍ୱତନ୍ତ୍ର ଏଜେଣ୍ଟମାନଙ୍କର ତିନୋଟି ଦଳ ପୃଥକ ଭାବରେ ଆକାଶରେ କମଳା ଗୋଲକ ଦେଖିବାର ରିପୋର୍ଟ କରିଥିଲେ, ଯେଉଁଥିରେ ଛୋଟ ଲାଲ ଗୋଲକ ବାହାରୁଥିବାର ଦେଖାଯାଇଥିଲା। ଫେବ୍ରୁଆରି ମାସରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୟୁଏଫ୍‌ଓ ଏବଂ ଏଲିଏନ୍ ସହ ଜଡିତ ସରକାରୀ ଫାଇଲଗୁଡ଼ିକୁ ଚିହ୍ନଟ କରି ପ୍ରକାଶ କରିବାକୁ ଫେଡେରାଲ୍ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଏହି ପଦକ୍ଷେପ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଛି। ଟ୍ରମ୍ପ୍ ଏହା ମଧ୍ୟ ଦାବି କରିଥିଲେ ଯେ, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଏକ ଭାଇରାଲ୍ ପଡକାଷ୍ଟରେ ଏଲିଏନ୍ ବିଷୟରେ ଗୋପନୀୟ ସୂଚନା ପ୍ରକାଶ କରିଥିଲେ।

ଏହି ପ୍ରୟାସରେ ହ୍ୱାଇଟ୍ ହାଉସ୍, ଓଡିଏନ୍‌ଆଇ, ଡିଓଇ, ଏଏଆର୍‌ଓ, ନାସା, ଏଫବିଆଇ ଏବଂ ଅନ୍ୟାନ୍ୟ ଗୁପ୍ତଚର ସଂସ୍ଥା ସମେତ ବହୁବିଧ ଏଜେନ୍ସି ସାମିଲ ଅଛନ୍ତି। ସମସ୍ତ ଡକ୍ୟୁମେଣ୍ଟଗୁଡ଼ିକ ସରକାରୀ ୱେବସାଇଟ୍‌ରେ ଉପଲବ୍ଧ କରାଯିବ ଏବଂ ପର୍ଯ୍ୟାୟକ୍ରମେ ପ୍ରକାଶିତ ହେବ। ଆଇନ ପ୍ରଣୟକ ଏବଂ ୟୁଏଫ୍‌ଓ ଗବେଷକମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। କିଛି ସମାଲୋଚକ କହିଛନ୍ତି, ଏହି ପ୍ରକାଶନ ଅନ୍ୟାନ୍ୟ ରାଜନୈତିକ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ମଧ୍ୟ କାର୍ଯ୍ୟ କରିପାରେ।

 

 

 

ସୌଜନ୍ୟ ସମ୍ବାଦ