Tamil Nadu Chief Minister: ‘ଥାଲାପତି’ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ: ଫୋନ୍‌ରେ କଥାହେଲେ ପ୍ରଧାନମନ୍ତ୍ରୀ

ଚେନ୍ନାଇ: ତାମିଲନାଡ଼ୁ ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ନୂଆ ମୁଖ୍ୟମନ୍ତ୍ରୀ ଭାବେ ରବିବାର ତାମିଲଗା ଭେଟ୍ରି କାଝାଗମ୍ (ଟିଭିକେ) ସଭାପତି ‘ଥାଲାପତି’ ବିଜୟ ଶପଥ ଗ୍ରହଣ କରିଛନ୍ତି। ପ୍ରାୟ ୬୦ ବର୍ଷ ମଧ୍ୟରେ ଏହି ଦକ୍ଷିଣ ରାଜ୍ୟକୁ ପ୍ରଥମ ଅଣ-ଡିଏଏମ୍‌କେ ଓ ଅଣ-ଏଆଇଏଡିଏମ୍‌କେ ସରକାର ମିଳିଛି। ୫୧ ବର୍ଷୀୟ ବିଜୟ ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମ୍‌ରେ ଶପଥ ଗ୍ରହଣ କରିଥିଲେ। ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ବିଜୟ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଶପଥ ସମାରୋହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ବିଜୟଙ୍କ ପିତାମାତା ଏସ୍ଏ ଚନ୍ଦ୍ରଶେଖର ଓ ଶୋଭା ଏବଂ ଅଭିନେତ୍ରୀ ତ୍ରିଶା ଉପସ୍ଥିତ ଥିଲେ।

୯ ଟିଭିକେ ନେତାଙ୍କ ସହ ଶପଥ ନେଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜୟଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଆଇଏଡିଏମ୍‌କେରୁ ବହିଷ୍କୃତ ହେବା ପରେ ବିଜୟଙ୍କ ଦଳରେ ଯୋଗ ଦେଇଥିବା ବରିଷ୍ଠ ନେତା କେ.ସେନଗୋଟାଇୟାନଙ୍କ ସମେତ ନଅ ଜଣ ଟିଭିକେ ନେତା ବିଜୟଙ୍କ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବିଜୟଙ୍କ ସହ ଶପଥ ନେଇଥିବା ଅନ୍ୟମାନେ ହେଲେ ବିଜୟଙ୍କ ବିଶ୍ୱସ୍ତ ରଣନୀତିଜ୍ଞ ଆଧବ ଅର୍ଜୁନ, ମଦୁରାଇର ତିରୁପରନକୁନ୍ଦ୍ରମରୁ ବିଜୟୀ ହୋଇଥିବା ପୂର୍ବତନ ବିଜେପି କାର୍ଯ୍ୟକର୍ତ୍ତା ସିଟିଆର ନିର୍ମଳ କୁମାର, ଟିଭିକେର ସାଧାରଣ ସମ୍ପାଦକ ବସି ଆନନ୍ଦ, ଟେଲିଭିଜନ ଓ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ରାଜମୋହନ, ଦନ୍ତ ଚିକିତ୍ସକରୁ ରାଜନେତା ପାଲଟିଥିବା କେଟି ପ୍ରଭୁ, ଭାରତୀୟ ରାଜସ୍ୱ ସେବାର ପୂର୍ବତନ ଅଧିକାରୀ ଅରୁଣରାଜ, ଚେନ୍ନାଇର ମାଇଲାପୁର ବିଧାୟକ ପି ଭେଙ୍କଟରମଣ ଓ କ୍ୟାବିନେଟ୍‌ର ସବୁଠାରୁ କନିଷ୍ଠ ଚେହେରା ୨୮ ବର୍ଷୀୟା ଏସ୍ କୀର୍ତ୍ତନା।

୧୦୮ ଆସନ ସହ ବିଜୟଙ୍କ ଦଳ ଏକକ ସଂଖ୍ୟାଗରିଷ୍ଠ ଦଳ ହେଲେ ମଧ୍ୟ ଆଉ ୧୧ ଜଣଙ୍କ ସମର୍ଥନ ଆବଶ୍ୟକ ଥିଲା। ବିଜୟଙ୍କୁ ପାଞ୍ଚ ଜଣ ବିଧାୟକ ଥିବା ଡିଏମ୍‌କେ ସହଯୋଗୀ କଂଗ୍ରେସର ସମର୍ଥନ ମିଳିଥିଲା। ଶୁକ୍ରବାର ବିଜୟଙ୍କୁ ଦୁଇଟି ଲେଖାଏଁ ଆସନ ପାଇଥିବା ଦୁଇଟି ବାମପନ୍ଥୀ ଦଳ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ଓ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) (ସିପିଆଇ-ଏମ୍)ର ସମର୍ଥନ ମିଳିଥିଲା। ଏହାପରେ ଶନିବାର ଡିଏମ୍‌କେର ସହଯୋଗୀ ଦଳ ବିଦୁଥାଲାଇ ଚିରୁଥାଇଗାଲ କାଚି (ଭିସିକେ) ଓ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ଟିଭିକେକୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ। ବିଜୟ ଲୋକଭବନରେ ପହଞ୍ଚି ସର୍ତ୍ତମୂଳକ ସମର୍ଥନ ପାଇଁ ପ୍ରତିଶ୍ରୁତି ଦେଇଥିବା ଦଳଗୁଡ଼ିକର ଚିଠି ପ୍ରଦାନ କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ପରେ ରାଜ୍ୟପାଳ ବିଜୟଙ୍କୁ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ। ବିଜୟଙ୍କୁ ମେ ୧୩ ତାରିଖ କିମ୍ବା ତା’ପୂର୍ବରୁ ଆସ୍ଥା ଭୋଟ ଲୋଡ଼ିବାକୁ ପଡ଼ିବ।

 

 

 

ସୌଜନ୍ୟ ସମ୍ବାଦ