Cuttack DEO scam ୫୨ ଲକ୍ଷ ଟଙ୍କା ହଡ଼ପ, କଟକ ଜିଲ୍ଲା ଶିକ୍ଷା ବିଭାଗ କର୍ମଚାରୀ ଗିରଫ

ଭୁବନେଶ୍ବର: ପ୍ରାୟ ୫୨ଲକ୍ଷ ଟଙ୍କା ହଡ଼ପ ମାମଲାରେ କଟକଜିଲ୍ଲା ଶିକ୍ଷା ବିଭାଗ (ଡିଇଓ)ର ଜନୈକ କର୍ମଚାରୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ଧରାପଡ଼ିଛନ୍ତି।
ଭିଜିଲାନ୍‌ସ ପକ୍ଷରୁ ଜାରି ସୂଚନାନୁସାରେ, ବିଭାଗର ଏଚ୍‌ଆର୍‌ଏମ୍‌ଏସ୍‌ (ହ୍ୟୁମାନ୍‌ ରିସୋର୍ସ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍‌) ପୋର୍ଟାଲ୍‌ରେ ହେରଫେର କରି କେତେକ ଅଣକର୍ମଚାରୀଙ୍କୁ କର୍ମଚାରୀ ଭାବେ ଯୋଡ଼ି ସେମାନଙ୍କୁ ଦରମା ପ୍ରଦାନ କରାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରେ, ୩୧ ଡିମ୍ବେର ୨୦୧୮ରୁ ୧୬ ଅକ୍ଟୋବର ୨୦୨୧ ମଧ୍ୟରେ କର୍ମଚାରୀଙ୍କୁ ଦିଆଯାଇଥିବା ଦରମା ଆଦିରେ ହେରଫେର ହୋଇଥିବା ଜଣାପଡ଼ିଥିଲା।

DEO employee arrest

ବାରଙ୍ଗ ନାରାଜ ସିଦ୍ଧେଶ୍ବର ବିଦ୍ୟାମନ୍ଦିରର ସୁବାସ ଚନ୍ଦ୍ର ସାହୁ କଟକ ଡିଇଓ ରେ କାର୍ଯ୍ୟ କରିବା ବେଳେ ହିସାବ ବିଭାଗ ସହ ଜଡ଼ିତ ଥିଲେ ଏବଂ ଏଚ୍‌ଆର୍‌ଏମ୍‌ଏସ୍‌ ଓ ଆଇଏଫ୍‌ଏମ୍‌ଏସ୍‌ (ଇଣ୍ଟିଗ୍ରେଟେଡ୍‌ ଫାଇନାନ୍‌ସ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍‌) ସମ୍ଭାଳୁଥିଲେ। ଏହି ସମୟରେ ଡିଡିଓ (ଡ୍ରଇଂ ଆଣ୍ଡ୍‌ ଡିସବର୍ସିଂ ଅଧିକାରୀ)ଙ୍କ ଆକାଉଣ୍ଟ୍‌କୁ ଅନଧିକାର ପ୍ରବେଶ କରି ୪ଜଣ ଅଣ କର୍ମଚାରୀଙ୍କ ନାମକୁ କର୍ମଚାରୀ ଭାବେ ଯୋଡ଼ିଥିଲେ। ସେମାନଙ୍କ ବ୍ୟାଙ୍କ୍‌ ଖାତାକୁ ଦରମା ଆଦି ଟଙ୍କା ନିୟମିତ ଭାବେ ଯାଉଥିଲା ଓ ଯେଉଁଦିନ ଟଙ୍କା ଜମା ହେଉଥିଲା ସେହିଦିନ ହିଁ ସେହି ଟଙ୍କା ଉଠାଇ ନିଜ ଖାତାରେ ଭର୍ତ୍ତି କରୁଥିଲେ।
ଏହି ଘଟଣାରେ ଭିଜିଲାନ୍‌ସ ଟିମ୍‌ ତନାଘନା କରିବା ପରେ ସମସ୍ତ ପ୍ରମାଣ ଯୋଗାଡ଼ କରିବା ପରେ ଦୁର୍ନୀତି ନିବାରଣ ଆଇନର ଧାରାରେ ୧୮/୨୦୨୬ରେ ଏକ ମାମଲା ରୁଜୁ କରି  ଆଜି ଅଭିଯୁକ୍ତ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

 

 

 

ସୌଜନ୍ୟ ସମ୍ବାଦ