ବାଂଶପାଳ (ପବିତ୍ର ପଲେଇ): କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବେଘୁନାଡିହି ଗାଁରେ ଏକ ହତ୍ୟା ଘଟଣାରେ ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି। ମୃତ ବ୍ୟକ୍ତିଜଣକ ବେଘୁନା ଡିହି ମୁଣ୍ଡା ସାହିର ବଇଁଶୀ ମୁଣ୍ଡା (୫୫) ଏବଂ ଅଭିଯୁକ୍ତ ପତ୍ନୀ କୁଡ଼ୁମି ମୁଣ୍ଡା।
ବୁଧବାର ରାତିରୁ ମୃତ ଦେହ ଘରେ ପଡି ରହିଥିଲା। ଆଜି ସମ୍ପର୍କୀୟଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣା ସ୍ଥଳ ରେ ପହଂଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ହତ୍ୟା ସନ୍ଦେହରେ ପତ୍ନୀ କୁଡ଼ୁମିକୁ ଅଟକ ରଖି ପଚରାଉଚରା ଚଳାଇଛି।
ସୂଚନା ଅନୁସାରେ ବେଘୁନାଡିହି ମୁଣ୍ଡା ସାହି ଠାରୁ କିଛି ଦୂରରେ ପେଚାନାଳି ପାହାଡ଼ କଡ଼ରେ ବଇଁଶୀ ମୁଣ୍ଡା ଏକ ଘର କରି ନିଜ ପତ୍ନୀ ସହିତ ରହୁଥିଲେ। ବୁଧବାର ରାତିରେ ଖାଇବା ପରେ ସ୍ତ୍ରୀ ସହିତ ଶୋଇଥିଲେ। ନିଶାଶକ୍ତ ଅବସ୍ଥାରେ ଶୋଇଥିବା ବେଳେ ତାଙ୍କୁ ଟାଙ୍ଗିଆରେ ଦେହ ଓ ମୁଣ୍ଡକୁ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡିଛି। ଆଜି ସକାଳେ ବଇଁଶୀଙ୍କ ପୁତୁରା କୁନୁ ମୁଣ୍ଡା ଘଟଣା ବିଷୟରେ ଥାନାରେ ଜଣାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ଘରେ ସ୍ତ୍ରୀ କୁଡୁମି ଓ ବଇଁଶୀ ଦୁହେଁ ରହୁଥିବାରୁ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିବା ଓ ନିଶାଶକ୍ତ ସ୍ବାମୀକୁ ସ୍ତ୍ରୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ନୟାକୋଟ ପୁଲିସ ବିଏନ୍ଏସ୍ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏବଂ କୁଡ଼ୁମିକୁ ଅଟକ ରଖାଯାଇଛି ବୋଲି ଥାନା ଅଧିକାରୀ ଆଲୋକ ରଞ୍ଜନ ପରିଡା କହିଛନ୍ତି।
ସୌଜନ୍ୟ ସମ୍ବାଦ

