ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୧୧୦ ଡଲାରରୁ ଅଧିକ ହୋଇଯିବା ପରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ୯୬ ଟଙ୍କା ସ୍ତର ଅତିକ୍ରମ କରିଛି। ପ୍ରଥମ ଥର ପାଇଁ ଡଲାର ମୂଲ୍ୟ ୯୬ ଟଙ୍କାରୁ ଅଧିକ ହୋଇଛି। ଗତ କିଛି ଦିନ ଧରି ଟଙ୍କା ଦୁର୍ବଳରୁ ଅତି ଦୁର୍ବଳ ସ୍ତର ଆଡ଼କୁ ଗତି କରୁଥିଲା।
ମୁଦ୍ରା ବିନିମୟ ବଜାରରେ କାରବାର ବେଳେ ଆଜି ଏକ ସମୟରେ ଡଲାର ଦାମ୍ ୯୬ ଟଙ୍କା ୫ ପଇସା ହୋଇଯାଇଥିଲା। ଚଳିତ ବର୍ଷ ଡଲାର ତୁଳନାରେ ଟଙ୍କା ୬ ପ୍ରତିଶତରୁ ଅଧିକ ଦୁର୍ବଳ ହୋଇସାରିଲାଣି। ଏସିଆର ବିଭିନ୍ନ ଦେଶ ତୁଳନାରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ପ୍ରଦର୍ଶନ ସବୁଠୁ ଖରାପ ରହିଛି।
ଅଶୋଧିତ ତୈଳ ଦର ବଢ଼ିଲେ ଡଲାର ଚାହିଦା ହଠାତ୍ ବଢ଼ିଯାଏ। ଆମଦାନିକାରୀମାନେ ଅଧିକ ଡଲାର କିଣୁଥିବାରୁ ତାହାର ଦାମ୍ ବଢ଼ୁଥିବା ଟ୍ରେଡରମାନେ କହିଛନ୍ତି। ଭାରତ ଅଶୋଧିତ ତେଲ, ସାର, ଖାଇବା ତେଲ ଭଳି ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ବିପୁଳ ପରିମାଣର ଡଲାର ଖର୍ଚ୍ଚ କରୁଛି। ଏଭଳି ସ୍ଥିତିରେ ଟଙ୍କା ଦୁର୍ବଳ ହେବା ଦ୍ବାରା ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି ହୋଇଛି। ସେଥିରେ ଥିବା ଡଲାରକୁ ରିଜର୍ଭ ବ୍ୟାଙ୍କ ବାହାର କରି ବିକ୍ରି କରୁଥିବାରୁ ଭଣ୍ଡାର ପରିମାଣ ଲାଗାତାର ଭାବେ କମ୍ ହେବାରେ ଲାଗିଛି।
ଅନ୍ୟପଟେ, ଇକ୍ବିଟି ବଜାରରୁ ବିଦେଶୀ ନିବେଶକମାନେ ପ୍ରତିଦିନ କୋଟି କୋଟି ଡଲାର ପ୍ରତ୍ୟାହାର କରୁଛନ୍ତି। ଗୋଟିଏ ପଟେ ନୂଆ ବିଦେଶୀ ମୁଦ୍ରା ଆଗମନ ହ୍ରାସ ପାଇବା ଓ ଅନ୍ୟପଟେ ଦେଶରେ ଯେତିକି ବିଦେଶୀ ମୁଦ୍ରା ରହିଛି ତାହା ଦ୍ରୁତ ଗତିରେ କମ୍ ହେଉଥିବାରୁ ଦେଶରେ ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି। ମହଙ୍ଗା ଡଲାର ଭାରତୀୟ ଅର୍ଥନୀତି ପାଇଁ ଏକ ବହୁତ ବଡ଼ ସମସ୍ୟା। ଏହାର ପ୍ରଭାବରେ ଦେଶରେ ଦରଦାମ୍ ସ୍ଥିତି ବଢ଼ିବା ଭଳି ସ୍ଥିତି ଉପୁଜିବ। ବିଦେଶ ଭ୍ରମଣ ଓ ବିଦେଶରେ ପାଠପଢ଼ା ମହଙ୍ଗା ହୋଇଯିବ। କେବଳ ରପ୍ତାନିକାରୀ ଓ ବିଦେଶରେ ରହି ଭାରତକୁ ପାଣ୍ଠି ପଠାଉଥିବା ଲୋକମାନଙ୍କୁ ବାଦ ଦେଲେ ଅନ୍ୟ ସମସ୍ତଙ୍କ ପାଇଁ ଏହା କ୍ଷତିକାରକ।
ସୌଜନ୍ୟ ସମ୍ବାଦ

