ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଘଚି ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଅନୁଷ୍ଠିତ ”ବ୍ରିକ୍ସ” ବୈଠକ ଅବସରରେ ସେ କହିଛନ୍ତି ଯେ, ଆମେରିକା ଏବେ ବୁଝିସାରିଲାଣି ଯେ କେବଳ ଆକ୍ରମଣାତ୍ମକ ଆଭିମୁଖ୍ୟ ଦ୍ୱାରା କିଛି ହାସଲ ହେବନାହିଁ। ପଶ୍ଚିମ ଏସିଆ ପାଇଁ କୂଟନୀତି ହିଁ ଏକମାତ୍ର ସମାଧାନ ଏବଂ ସାମରିକ ମୁହାଁମୁହିଁ ପରିସ୍ଥିତି ଏହି ଅଞ୍ଚଳରେ ସ୍ଥିରତା ଆଣିପାରିବ ନାହିଁ। ଆମେରିକାର ଚାପ ପ୍ରୟୋଗ ରଣନୀତି ଇରାନ ବିପକ୍ଷରେ ବିଫଳ ହୋଇଛି ଏବଂ ୱାଶିଂଟନରୁ ମିଳୁଥିବା ପରସ୍ପର ବିରୋଧୀ ବାର୍ତ୍ତା ସମସ୍ୟାକୁ ଅଧିକ ଜଟିଳ କରୁଛି ବୋଲି ସେ ମତ ପ୍ରକାଶ କରିଛନ୍ତି।
ବିଶ୍ୱର ଅତି ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ”ହର୍ମୁଜ ପ୍ରଣାଳୀ” ସମ୍ପର୍କରେ ଉପୁଜିଥିବା ଆଶଙ୍କାକୁ ଦୂର କରି ଆରାଘଚି କହିଛନ୍ତି ଯେ, ଇରାନର ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାର କୌଣସି ଲକ୍ଷ୍ୟ ନାହିଁ। ବନ୍ଧୁ ରାଷ୍ଟ୍ରଗୁଡ଼ିକ ପାଇଁ ଏହି ପଥ ସବୁବେଳେ ଖୋଲା ରହିବ, କିନ୍ତୁ କେବଳ ଶତ୍ରୁମାନଙ୍କ ପାଇଁ ଏହାକୁ ବନ୍ଦ କରାଯାଇଛି। ବନ୍ଧୁ ଦେଶର ଜାହାଜଗୁଡ଼ିକ ସୁରକ୍ଷିତ ଯାତାୟାତ ପାଇଁ କେବଳ ଇରାନ ସେନା ସହ ସମନ୍ୱୟ ରକ୍ଷା କରିବା ଆବଶ୍ୟକ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ବ୍ରିକ୍ସ ସଂଗଠନରେ ଭାରତର ନେତୃତ୍ୱାଧୀନ ଭୂମିକା ଓ ବିଶ୍ୱ ସଂଘର୍ଷ ପ୍ରତି ବ୍ରିକ୍ସର ଆଭିମୁଖ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଆନ୍ତର୍ଜାତୀୟ ଶକ୍ତି ଯୋଗାଣ କ୍ଷେତ୍ରରେ ସ୍ଥିରତା ଆଣିବା ପାଇଁ ଇରାନ ସବୁବେଳେ ପ୍ରସ୍ତୁତ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୌଜନ୍ୟ ସମ୍ବାଦ

