ନୂଆଦିଲ୍ଲୀ: ସୋମବାର ଦିନ ଭାରତ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ବାରାକା ପରମାଣୁ ଶକ୍ତି କେନ୍ଦ୍ରକୁ ଟାର୍ଗେଟ କରି ହୋଇଥିବା ଡ୍ରୋନ୍ ଆକ୍ରମଣକୁ କଡ଼ା ନିନ୍ଦା କରିଛି, ଏହାକୁ ଭାରତ ବିପଜ୍ଜନକ ବୋଲି କହିଛି ଏବଂ ବଢୁଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ସମସ୍ତ ପକ୍ଷଙ୍କୁ ଆଲୋଚନା ଏବଂ କୂଟନୀତିକୁ ଫେରିବାକୁ ଅନୁରୋଧ କରିଛି। ଏଭଳି ଆକ୍ରମଣ ଅଗ୍ରହଣୀୟ ବୋଲି ଭାରତ ରୋକଠୋକ୍ କହିଛି। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ଅଧିକୃତ ବିବୃତିରେ, ଭାରତ କହିଛି, ୟୁଏଇର ଏକମାତ୍ର ପରମାଣୁ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣ ନେଇ ଭାରତ ଗମ୍ଭୀର ଭାବରେ ଚିନ୍ତିତ। ଆମେ ତୁରନ୍ତ ସଂଯମତା ଏବଂ ଆଲୋଚନା ଏବଂ କୂଟନୀତିକୁ ଫେରିବାକୁ ଆହ୍ୱାନ କରୁଛୁ, ବୋଲି ବିବୃତିରେ କୁହାଯାଇଛି।
ଜବାବ ଦେବାର ଅଧିକାର ଆମର ଅଛି କହିଲା ଆବୁଧାବି
ସଂଯୁକ୍ତ ଆରବ ଏମିରେଟ୍ସ କହିଛି, ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପଶ୍ଚିମ ସୀମାରୁ ତିନୋଟି ଡ୍ରୋନ୍ ୟୁଏଇରେ ପ୍ରବେଶ କରିଥିଲା। ଦୁଇଟି ଡ୍ରୋନ୍କୁ ଅଟକାଯାଇଥିଲା, କିନ୍ତୁ ତୃତୀୟଟି ଆବୁଧାବିର ବାରାକା ପରମାଣୁ ଶକ୍ତି କେନ୍ଦ୍ରର ଭିତର ସୀମା ବାହାରେ ଥିବା ଏକ ପାୱାର ଜେନେରେଟରକୁ ଟାର୍ଗେଟ କରିଥିଲା, ଯାହା ଫଳରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଇରାନ ସହିତ ସଂଘର୍ଷ ସମାପ୍ତ କରିବା ପାଇଁ ଆମେରିକା ଏବଂ ଇସ୍ରାଏଲର ପ୍ରୟାସ ସ୍ଥଗିତ ରହିଛି ଏବଂ ଉତ୍ତେଜନା ଉପସାଗରୀୟ ଅଞ୍ଚଳର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଛି। ୟୁଏଇ ଏହି ଆକ୍ରମଣ ପାଇଁ କାହାକୁ ଦାୟୀ କରିନାହିଁ, କିନ୍ତୁ ଏହାକୁ ଏକ ବିପଜ୍ଜନକ ଘଟଣା ବୋଲି ବର୍ଣ୍ଣନା କରିଛି। ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ଏକ ଅଗ୍ରହଣୀୟ କାର୍ଯ୍ୟ କହି, ଯେକୌଣସି ପ୍ରକାରର ଶତ୍ରୁତାର ଜବାବ ଦେବାର ଅଧିକାର ଆମର ଅଛି ବୋଲି ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ ଆହୁରି କହିଛି ଯେ ଶାନ୍ତିପୂର୍ଣ୍ଣ ପରମାଣୁ ଶକ୍ତି ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ ମାନବିକ ଆଇନର ନୀତିର ଘୋର ଉଲ୍ଲଂଘନ। ଅଧିକାରୀମାନେ ଡ୍ରୋନ୍ଟି କେଉଁଠାରୁ ଉଡ଼ାଣ ଆରମ୍ଭ କରିଥିଲା ତାହା ସ୍ପଷ୍ଟ କରି ନାହାନ୍ତି, କିନ୍ତୁ ୟୁଏଇ ପୂର୍ବରୁ ଇରାନ ଏହାର ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ଆଣିଛି। ସ୍ଥାନୀୟ ଏମିରେଟି ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣାରେ କେହି ମୃତାହତ ହୋଇଥିବାର ରିପୋର୍ଟ ହୋଇନାହିଁ ଏବଂ ରେଡିଓଲୋଜିକାଲ୍ ସୁରକ୍ଷା ସ୍ତର ଏବଂ କାର୍ଯ୍ୟ ପ୍ରଭାବିତ ହୋଇନାହିଁ। ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) କହିଛି, ଆମେ ପରିସ୍ଥିତି ଉପରେ କଡ଼ା ନଜର ରଖିଛୁ। ଆଇଏଇଏ ନିର୍ଦ୍ଦେଶକ ଜେନେରାଲ ରାଫାଏଲ୍ ଗ୍ରାସି ଏହି ଘଟଣାକୁ ନିନ୍ଦା କରିଛନ୍ତି। ପରମାଣୁ ସୁରକ୍ଷାକୁ ବିପଦରେ ପକାଉଥିବା ଏପରି ଯେକୌଣସି ସାମରିକ କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।
ଇରାନ ୟୁଏଇ ଉପରେ ସର୍ବାଧିକ ଆକ୍ରମଣ କରିଛି। ୨୮ ଫେବ୍ରୁଆରିରେ ଆମେରିକା ଏବଂ ଇସ୍ରାଏଲ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ, ଇରାନ ବାରମ୍ବାର ୟୁଏଇ ଏବଂ ଅନ୍ୟାନ୍ୟ ଉପସାଗରୀୟ ଦେଶ ଉପରେ ଆକ୍ରମଣ କରୁଛି। ୟୁଏଇ ଇରାନର ଆକ୍ରମଣର ସବୁଠାରୁ ବଡ଼ ଲକ୍ଷ୍ୟ ପାଲଟିଛି। ଏପର୍ଯ୍ୟନ୍ତ ୫୫୦ ରୁ ଅଧିକ କ୍ଷେପଣାସ୍ତ୍ର ଏବଂ ୨୮୦୦ ରୁ ଅଧିକ ଡ୍ରୋନ୍ ମାଡ଼ କରାଯାଇଛି। ୟୁଏଇ କହୁଛି, ଇରାନ ଏହାର ନାଗରିକ ଏବଂ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିଛି। ତେହେରାନ କହୁଛି ଯେ, ୟୁଏଇ ଇରାନ ବିରୋଧରେ ଆକ୍ରମଣରେ ସାମିଲ ଅଛି ।
ସୌଜନ୍ୟ ସମ୍ବାଦ

