ସଂକଟ ସମୟରେ RBIର ଉପହାର, କେନ୍ଦ୍ର ସରକାରଙ୍କୁ ଦେବ ୨.୮୭ ଲକ୍ଷ କୋଟି ଲାଭାଂଶ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସରାକାରଙ୍କୁ ରେକର୍ଡ ୨.୮୭ ଲକ୍ଷ କୋଟି ଟଙ୍କା ଡିଭିଡେଣ୍ଡ ଦେବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (RBI)। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାର ବସିଥିବା କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳୀର ୬୨୩ ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଥାଉକି, ଆର୍ଥିକ ବର୍ଷ ୨୦୨୪-୨୫ରେ ଏହି ଡିଭିଡେଣ୍ଡ ୨.୬୯ ଲକ୍ଷ କୋଟି ଟଙ୍କା ଥିଲା। ଯାହା ୨୦୨୩-୨୪ ତୁଳନାରେ ୨୭.୪ ପ୍ରତିଶତ ଅଧିକ ଥିଲା। ଏହା ପୂର୍ବରୁ ଆରବିଆଇ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୨.୧ ଲକ୍ଷ କୋଟି ଟଙ୍କା ଏବଂ ୨୦୨୨-୨୩ ପାଇଁ ୮୭, ୪୧୬ କୋଟି ଟଙ୍କା ସରକାରଙ୍କୁ ଟ୍ରାନ୍ସଫର କରିଥିଲା।

ମଧ୍ୟପ୍ରାଚ୍ୟରେ ଜାରି ତିକ୍ତତା କାରଣରୁ ଗ୍ଲୋବାଲ ମାର୍କେଟରେ ଅଶୋଧିତ ତେଲ ଦାମ୍ ଅସ୍ଥିର ରହିଛି। ଭାରତ ନିଜ ଆବଶ୍ୟକତାର ଅଧିକାଂଶ ତେଲ ଆମଦାନୀ କରୁଛି। ଫଳରେ ସରକାରୀ ରାଜକୋଷ ଉପରେ ବଢ଼ୁଛି। ଏମିତିରେ ଆରବିଆଇଠାରୁ ମିଳିଥିବା ଏହି ଅର୍ଥ କେନ୍ଦ୍ର ସରକାରଙ୍କ ପାଇଁ ଏକ ସୁରକ୍ଷା କବଚ ଭଳି କାମ କରିବ। ଏହାଦ୍ବାରା ସରକାରଙ୍କୁ ସାର ଏବଂ ଇନ୍ଧନ ଉପରେ ଦିଆଯାଉଥିବା ସବସିଡିର ବଢ଼ୁଥିବା ଖର୍ଚ୍ଚକୁ ସମ୍ଭାଳିବାରେ ସାହାଯ୍ୟ ମିଳିବ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଗତ ବର୍ଷ ତୁଳନାରେ ମୋଟ ଆୟରେ ପ୍ରାୟ ୨୬% ବୃଦ୍ଧି ହୋଇଛି। ତଥାପି ବ୍ୟାଙ୍କର ଖର୍ଚ୍ଚରେ ପ୍ରାୟ ୨୮% ବୃଦ୍ଧି ମଧ୍ୟ ଦେଖିବାକୁ ମିଳିଛି। RBIର ବାଲାନ୍ସ ସିଟ୍ ଏବେ ୨୦% ବଢ଼ି ପ୍ରାୟ ୯୨ ଲକ୍ଷ କୋଟି ଟଙ୍କା ହୋଇଛି। ତେବେ ଯଦି ବ୍ୟାଙ୍କର ଶୁଦ୍ଧ ଲାଭ କଥା କହିଲେ ଏହି ବର୍ଷ RBI ୩.୯୫ ଲକ୍ଷ କୋଟି ଟଙ୍କା ଆୟ କରିଛି। ଯାହା ଗତ ବର୍ଷ ୩.୧୩ ଲକ୍ଷ କୋଟି ଟଙ୍କା ତୁଳନାରେ ବେଶ୍ ଅଧିକ।

ସୌଜନ୍ୟ Prameya News7