ବେତନଟୀ: ଯୁବକଙ୍କ ଉନ୍ମତ୍ତ କାଣ୍ଡl ନିଜ ବାସଗୃହରେ ନିଆଁ ଲଗାଇଦେଇ ଚମ୍ପଟ ମାରିଲା ଯୁବକl ମୟୂରଭଞ୍ଜଜିଲ୍ଲା ବେତନଟୀ ଥାନା ଅଧୀନ ମୁକ୍ତାପୁର ପଞ୍ଚାୟତର ପରୋଇ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l କୌଣସି କାରଣବଶତଃ ଗାଁର ଶଙ୍କର କିସ୍କୁର ପୁଅ ବାଇଧର କିସ୍କୁ ରାଗ ତମ ତମ ହୋଇ ନିଜ ଘରେ ନିଆଁ ଲଗାଇ ଦୌଡ଼ି ସ୍ଥାନ ଛାଡ଼ି ପଳାଇଲା l ତେବେ ଘରେ କେହି ନଥିବାରୁ କାହାରି ମୃତ୍ୟୁ ହୋଇନଥିବାବେଳେ ୨ବଖରା ଘର ସମ୍ପୂର୍ଣ୍ଣ ଜଳି ଯିବା ସହିତ ଘରେ ଥିବା ଆସବାବପତ୍ର ସମେତ ଗଚ୍ଛିତ ଧାନଚାଉଳ ପୋଡି ଛାରଖାର ହୋଇଗଲା l
ନିଆଁ ଲଗାଇଦେଇ ଚମ୍ପଟ ମାରିଲା ଯୁବକ
ସୂଚନା ଅନୁଯାୟୀ, ବାଇଧର ଜଣେ ମହିଳାଙ୍କୁ ଘରେ ଆଣି ରଖିବାରୁ ତା ବାପା ମାଆ ଘର ଛାଡ଼ି ଅନ୍ୟତ୍ର ରହୁଥିଲେ l ତେବେ କୌଣସି କାରଣବଶତଃ ଶନିବାର ମଧ୍ୟାହ୍ନରେ ପ୍ରଥମେ ନିଜ କୁଟା ପୁଞ୍ଜିରେ ନିଆଁ ଲଗେଇ ଦେଇଥିଲା ବାଇଧର l ଖବର ପାଇ ବେତନଟୀ ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇ ଦେଇ ଆସିଥିଲା l ହେଲେ ପରେ ବିଳମ୍ବିତ ରାତିରେ ବାଇଧର ପୁଣି ଥରେ ଘରେ ନିଆଁ ଲଗେଇ ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା l ୨ବଖରା ଘର ହୁତୁହୁତୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକ ପୁଣି ଥରେ ଅଗ୍ନିଶମ ବିଭାଗକୁ ଫୋନ କରିବାରୁ ସେମାନେ ଆସି ନିଆଁକୁ ନିୟନ୍ତ୍ରଣ କରିଥିଲେ l ହେଲେ ସେତେବେଳେକୁ ଘରର ସବୁ ଆସବାବପତ୍ର ଓ ଧାନ ଚାଉଳ ପୋଡ଼ି ପାଉଁଶ ହୋଇଯାଇଥିଲା, ଭାଗ୍ୟକୁ ଘରେ କେହି ନଥିବାରୁ କୌଣସି ଜୀବନ ହାନି ହୋଇନଥିଲା l ତେବେ ନିଆଁ ଲଗାଇବାର ସଠିକ କାରଣ କିଛି ଜଣା ପଡ଼ିନି l ଅନ୍ୟପଟେ ଏନେଇ ଏଯାବତ କୌଣସି ଲିଖିତ ଅଭିଯୋଗ ହୋଇନଥିଲେ ବି ଖବର ପାଇ ବେତନଟୀ ପୁଲିସ ବାଇଧରକୁ କାବୁ କରି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି l
ସୌଜନ୍ୟ ସମ୍ବାଦ

