‘ହରର୍’ ଚଳଚ୍ଚିତ୍ର କହିଲେ ଆମେ ସାଧାରଣତଃ ଭୂତ ସିନେମା ବୋଲି ବୁଝିଥାଉ। ତେବେ ଭୂତ ନ ଥାଇ ବି ଯେ ଦର୍ଶକ ମନରେ ଭୟ ଉଦ୍ରେକ କରୁଥିବା ହରର୍ ଚଳଚ୍ଚିତ୍ର ପୃଥିବୀରେ ତିଆରି ହୁଏ ସେ ଧାରଣା ମିଳିଥିଲା ‘ଏଲିଅନ୍: ରୋମୁଲସ୍’ ଦେଖିବା ପରେ। ‘ଓବ୍ସେସନ୍’ ମଧ୍ୟ ସେ ଧରଣର ଏକ ହରର୍ ଚଳଚ୍ଚିତ୍ର, ଯଦିଓ ଏଥିରେ ନାୟିକାକୁ ଭୂତ ସହିତ ତୁଳନୀୟ ଏକ ଅଜଣା ଶକ୍ତି ନିୟନ୍ତ୍ରଣ କରୁଛି ବୋଲି ଆପଣ ଯୁକ୍ତି କରିପାରନ୍ତି। କିନ୍ତୁ ‘ଓବ୍ସେସନ୍’ ବା ଗୋଟିଏ ନିର୍ଦ୍ଦିଷ୍ଟ ବିଚାର, ଆବେଗ, ବ୍ୟକ୍ତି ବା ବିଷୟ ଉପରେ ଜଣେ ସବୁତକ ଧ୍ୟାନ ନିବିଷ୍ଟ କରି ରଖିବା ଅବସ୍ଥାକୁ ଏହି ଚଳଚ୍ଚିତ୍ରର ନିର୍ଦେଶକ ତଥା ଲେଖକ କରି ବାର୍କର୍ ବିଚକ୍ଷଣ ଢଙ୍ଗରେ ଭୌତିକ ରୂପ ଦେଇଛନ୍ତି। ଫଳସ୍ବରୂପ ଭୟର ରୋମାଞ୍ଚକର ଅନୁଭବକୁ ପସନ୍ଦ କରୁଥିବା ସିନେପ୍ରେମୀଙ୍କୁ ‘ଓବ୍ସେସନ୍’ ଆଶା ଠାରୁ ଅଧିକ ଚମତ୍କୃତ କରିବ। ଅଧିକ ପ୍ରଶଂସାଯୋଗ୍ୟ କଥା ହେଲା ଏହାର ନିର୍ମାତା କରି ବାର୍କର୍ଙ୍କ ବୟସ ହେଉଛି ମାତ୍ର ୨୬ ବର୍ଷ ଏବଂ ସେ ସାତ କୋଟି ଟଙ୍କାର ବଜେଟ୍ରେ ଏହାକୁ ନିର୍ମାଣ କରିଛନ୍ତି।
ଚଳଚ୍ଚିତ୍ର ଆରମ୍ଭରେ ଦେଖିବାକୁ ମିଳୁଛି ଯେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ସଂଗୀତ ଉପକରଣ ଦୋକାନରେ କାମ କରୁଥିବା ତରୁଣତରୁଣୀ ସହକର୍ମୀ ହେଉଛନ୍ତି ବ୍ୟାରନ୍ ବେଲି (ମାଇକେଲ୍ ଜନ୍ଷ୍ଟନ୍) ଓ ନିକ୍କି ଫ୍ରିମ୍ୟାନ୍ (ଇଣ୍ଡୋ ନାଭୋରେଟ୍)। ବ୍ୟାରନ୍ ଏକତରଫା ଭାବେ ନିକ୍କି ପ୍ରତି ଆକର୍ଷିତ (ଓବ୍ସେସ୍ଡ ବା ଅହେତୁକ ଭାବେ ଆସକ୍ତ କହିବା ଠିକ୍ ହେବ) କିନ୍ତୁ ତାହା କହିବାକୁ ଅସମର୍ଥ। ଘଟଣାକ୍ରମରେ ସେ ଏକ ଉପହାର ସାମଗ୍ରୀ କିଣୁଛି ଯାହା ଜଣେ ବ୍ୟକ୍ତିର ଗୋଟିଏ କାମନା ପୂରଣ କରିବାକୁ ସମର୍ଥ। ତେବେ ସେ ହତାଶାରେ ଆସି ନିଜେ ସେହି କାଠିକୁ ଭାଙ୍ଗି କାମନା କରୁଛି ଯେ ‘ନିକ୍କି ତାକୁ ଦୁନିଆର ସବୁଠାରୁ ଅଧିକ ଭଲ ପାଉ’। ତାହା ପୂରଣ ହେବାର ପରିଣାମକୁ ଖୁବ୍ ଯନ୍ତ୍ରଣାଦାୟକ ଢଙ୍ଗରେ ଦେଖାଇ ଏହି ଚଳଚ୍ଚିତ୍ରଟି ମନୋରଂଜନ କରିବା ସହିତ ଯୁବପିଢ଼ିକୁ ଏକ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛି।
ସାଧାରଣ ମନେ ହେଉଥିବା ଏହି କାହାଣୀ ଅତ୍ୟଧିକ ଭୟଙ୍କର ଲାଗିବା ପଛରେ ମନସ୍ତାତ୍ତ୍ବିକ କାରଣ ରହିଛି। କାହାଣୀର ଦର୍ଶକ ନିଜ ଅଥବା ବନ୍ଧୁପରିଜନଙ୍କ ଠାରେ କୌଣସି ବ୍ୟକ୍ତି ନେଇ ‘ଓବ୍ସେସନ୍’ ବା ଅହେତୁକ ଆସକ୍ତି କେବେ ନା କେବେ ଲକ୍ଷ୍ୟ କରିଥିବେ। ଏହି କାହାଣୀଟି ଏଭଳି ଭାବେ ଗତିଶୀଳ ହୋଇଛି ଯେ ଅହେତୁକ ଆସକ୍ତିର ସ୍ତର ସାଧାରଣରୁ ଆରମ୍ଭ ହୋଇ ତୀବ୍ରତର ହେବାରେ ଲାଗିଛି।
ଭଲପାଇବାର ଭାବନା ଧୀରେ ଧୀରେ ପାଗଳାମିରେ ବଦଳିଯିବାର ଆଶଙ୍କା ସବୁ ସମ୍ପର୍କରେ ନିହିତ ଥିବାରୁ ଦର୍ଶକଙ୍କୁ ଏହି ଭୌତିକ କାହାଣୀ ଆଈମା’ କାହାଣୀ ପରି ମିଛ ନ ଲାଗି, ପୂରା ବାସ୍ତବ ଲାଗେ।
ନିର୍ଦେଶକ କରି ବାର୍କର୍ଙ୍କୁ ଏଥିପାଇଁ ବି ପ୍ରଶଂସା କରିବା ଆବଶ୍ୟକ ଯେ ଅଭିନେତାଙ୍କ ସମେତ ଚଳଚ୍ଚିତ୍ର ନିର୍ମାଣର ବୈଷୟିକ ଦିଗ ଉପରେ ତାଙ୍କର ସଂପୂର୍ଣ୍ଣ ଆୟତ୍ତ ଅଛି। ସ୍ବଳ୍ପ ବଜେଟ୍ ସତ୍ତ୍ବେ ଚଳଚ୍ଚିତ୍ରର ପୃଷ୍ଠଭୂମି ସଂଗୀତରୁ ଆରମ୍ଭ କରି ସିନେମାଟୋଗ୍ରାଫିର ମାନରେ କୌଣସି ସାଲିସ କରାଯାଇନାହିଁ। ଏହି ଚଳଚ୍ଚିତ୍ରର ନାୟିକା ନିକ୍କି ହେଉଛି ମୁଖ୍ୟ ତଥା ସବୁଠାରୁ ଆହ୍ବାନପୂର୍ଣ୍ଣ ଚରିତ୍ର। ଉକ୍ତ ଚରିତ୍ରରେ ଇଣ୍ଡୋ ନାଭୋରେଟ୍ ଅବିସ୍ମରଣୀୟ ଅଭିନୟ କରିଛନ୍ତି। ତାଙ୍କ ସ୍ବରରୁ ଆରମ୍ଭ କରି ଅଙ୍ଗଭଙ୍ଗୀ ଓ ମୁଖମଣ୍ଡଳ ହାବଭାବ ପରିବର୍ତ୍ତନର ବିସ୍ତାର ଏତେ ବ୍ୟାପକ ଯେ ତାହା ନ ଦେଖିଲେ ବିଶ୍ବାସ କରି ହେବ ନାହିଁ।
ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ର ଏଥିପାଇଁ ଦେଖିବା ଉଚିତ ଯେ ଏହା ହେଉଛି ଏକ ଅରଖ ନୂଆ ଅଭିଜ୍ଞତା। ଏକ ହାସ୍ୟରସ ସିନେମା ନହେଲେ ବି ଏଥିରେ ଏକାଧିକ ଦୃଶ୍ୟ ଅଛି ଯାହା ଦେଖି ହସ ଯେତିକି, ଡର ବି ସେତିକି ଲାଗେ। ଏହା ଦେଖିବା ବେଳେ ଭୂତଠାରୁ ଅଧିକ ନିଜ ପ୍ରକୃତି ବିକଟାଳ ରୂପକୁ ଡର ଲାଗିବ। ମାନସିକ ଉଦ୍ବେଗ ରୋଗ ହେଲେ କିପରି ଲାଗେ େସ ଅନୁଭବ ପାଇଁ ମଧ୍ୟ ଏହି ସିନେମା ଦେଖାଯାଇପାରେ। ଯୌବନରେ ନୂଆ କରି ପାଦ ରଖିଥିବା ଯୁବକଯୁବତୀଙ୍କୁ ପ୍ରେମ ଓ ଅହେତୁକ ଆସକ୍ତି ଭିତରର ପାର୍ଥକ୍ୟ ନେଇ ମଧ୍ୟ ଏଥିରୁ ଶିକ୍ଷା ମିଳିବ।
ସୌଜନ୍ୟ ସମ୍ବାଦ

