NFHS-6 report: ଏନ୍‌ଏଫ୍‌ଏଚ୍‌ଏସ୍‌-୬ ରିପୋର୍ଟରେ ସାଂଘାତିକ ତଥ୍ୟ: ମେଦ ବହୁଳତା ଓ ରକ୍ତ ଶର୍କରା ବଢ଼ୁଛି

ନୂଆଦିଲ୍ଲୀ: ପୂର୍ବାପେକ୍ଷା ମହିଳାମାନେ ଘର ପରିବର୍ତ୍ତେ ସଂସ୍ଥାଗତ ବା ଡାକ୍ତରଖାନାରେ ସନ୍ତାନ ପ୍ରସବକୁ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ସରକାରୀ ପରିବର୍ତ୍ତେ ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ଅଧିକ ଚୟନ କରାଯାଉଛି। ୨୦୨୩ ଓ ୨୦୨୪ ମସିହାର ତଥ୍ୟକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶିତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)-୬ ରିପୋର୍ଟରୁ ଏହା ଜଣାଯାଇଛି। ରିପୋର୍ଟ ମୁତାବକ ଦେଶରେ ଡାକ୍ତରଖାନାରେ ସନ୍ତାନ ପ୍ରସବ ହାର ୯୦.୬ ପ୍ରତିଶତକୁ ବୃଦ୍ଧି ପାଇଛି। ପୂର୍ବରୁ ୨୦୧୯ରୁ ୨୦୨୧ ମସିହାର ତଥ୍ୟକୁ ନେଇ ପ୍ରସ୍ତୁତ ଏନ୍‌ଏଫ୍ଏଚ୍‌ଏସ୍‌-୫ ରିପୋର୍ଟରେ ଏହି ହାର ୮୮.୬ ପ୍ରତିଶତ ରହିଥିଲା। କିନ୍ତୁ ସରକାରୀ ଡାକ୍ତରଖାନା ଅପେକ୍ଷା ଘରୋଇ ଡାକ୍ତରଖାନାରେ ସନ୍ତାନ ପ୍ରସବ ବଢ଼ିଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ସରକାରୀ ଡାକ୍ତରଖାନାରେ ସନ୍ତାନ ପ୍ରସବ ହାର ୬୧.୯ ପ୍ରତିଶତ ରହିଥିଲା। କିନ୍ତୁ ନୂଆ ସର୍ଭେରେ ଏହା ୫୮.୬ ପ୍ରତିଶତକୁ ହ୍ରାସ ପାଇଛି। ସଂସ୍ଥାଗତ ପ୍ରସବ କହିଲେ ଏକ ଲାଇସେନ୍ସପ୍ରାପ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ପେସାଦାର ବ୍ୟକ୍ତିଙ୍କ ନିରୀକ୍ଷଣରେ ପ୍ରସବକୁ ବୁଝାଇଥାଏ।
ଡାକ୍ତରଖାନାରେ ସନ୍ତାନ ପ୍ରସବ ବଢ଼ିବା ସହିତ ସ୍ବାସ୍ଥ୍ୟ‌ସେବା କ୍ଷେତ୍ରର କୁଶଳୀ ବ୍ୟକ୍ତିଙ୍କ ଜରିଆରେ ହେଉଥିବା ପ୍ରସବ ୮୯.୪ ପ୍ରତିଶତରୁ ୯୧.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଜନ୍ମର ୪୮ ଘଣ୍ଟା ପର୍ଯ୍ୟନ୍ତ ଯତ୍ନ ସୁବିଧା ମିଳିବା ହାରରେ ମଧ୍ୟ ଉନ୍ନତି ଆସିଛି। ଦେଶରେ ଏହି ହାର ୮୨.୮ ପ୍ରତିଶତ ରହିଛି। ଫଳରେ ଉଭୟ ମା ଓ ଶିଶୁଙ୍କୁ ପ୍ରସବ ପରବର୍ତ୍ତୀ ଚିକିତ୍ସା ସୁବିଧା ମିଳିପାରୁଛି। ସଂସ୍ଥାଗତ ପ୍ରସବ ସହିତ ଦେଶରେ ମାତୃ ମୃତ୍ୟୁ ହାରର ସିଧାସଳଖ ସଂପର୍କ ରହିଛି। ନମୁନା ପଞ୍ଜୀକରଣ ବ୍ୟବସ୍ଥା (ଏସ୍‌ଆର୍‌ଏସ୍‌) ୨୦୨୨-୨୪ ଆକଳନ ଅନୁଯାୟୀ, ଦେଶରେ ପ୍ରତି ୧ ଲକ୍ଷରେ ମାତୃ ମୃତ୍ୟୁ ହାର ୮୭ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି। ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନାରେ ଘରୋଇ ଡାକ୍ତରଖାନାଗୁଡ଼ିକ ଯୋଡ଼ିହେବା ଦ୍ବାରା ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି।

ଏନ୍‌ଏଫ୍‌ଏଚ୍‌ଏସ୍‌-୬ ରିପୋର୍ଟରୁ ଏହା ଜଣାଯାଇଛି ଯେ ମହିଳା ଗର୍ଭଧାରଣ କରିବାର ପ୍ରଥମ ୧୨ ସପ୍ତାହ ମଧ୍ୟରେ ପଞ୍ଜୀକରଣ ସଂଖ୍ୟା ୭୦ ପ୍ରତିଶତରୁ ୭୬.୨ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିଭଳି ସନ୍ତାନ ପ୍ରସବ ପରେ ୪ ଥରରୁ ଅଧିକ ଥର ସ୍ବାସ୍ଥ୍ୟ ଯତ୍ନ ପାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଏହି ହାର ୫୮.୫ ପ୍ରତିଶତରୁ ୬୫.୨ ପ୍ରତିଶତରେ ପହଞ୍ଚିଛି। ତେବେ ରିପୋର୍ଟରେ ଯେଉଁ ବିଷୟକୁ ନେଇ ଚିନ୍ତା ପ୍ରକଟ କରାଯାଇଛି ତାହା ହେଲା ଲୋକମାନଙ୍କର ଜୀବନଶୈଳୀଜନିତ ସମସ୍ୟା। ଜୀବନଶୈଳୀ ସହ ଜଡ଼ିତ ରୋଗ ମାତ୍ରାଧିକ ବଢ଼ିଛି। ରିପୋର୍ଟରୁ ଜଣାଯାଇଛି ଯେ ୧୫ ବର୍ଷ ଏବଂ ତଦୂର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କଠାରେ ରକ୍ତ ଶର୍କରା ସ୍ତର (ଅତି ଉଚ୍ଚବର୍ଗ) ୯.୧ ପ୍ରତିଶତ ରହିଛି। ପୂର୍ବ ସର୍ଭେରେ ଏହା ୬.୩ ପ୍ରତିଶତ ରହିଥିଲା। ଅଧିକ ଓଜନ ବା ମେଦବହୁଳତା ଏକ ପ୍ରମୁଖ ସମସ୍ୟା ହୋଇଛି। ପୂର୍ବ ସର୍ଭେରେ ମେଦବହୁଳ ମହିଳାଙ୍କ ସଂଖ୍ୟା ୨୪ ପ୍ରତିଶତ ଥିଲା। କିନ୍ତୁ ଚଳିତ ସର୍ଭେରେ ଏହା ୩୦.୭ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିଭଳି ପୁରୁଷଙ୍କ କ୍ଷେତ୍ରରେ ମେଦବହୁଳତା ହାର ପୂର୍ବରୁ ୨୨.୯ ପ୍ରତିଶତ ଥିବାବେଳେ ସଂପ୍ରତି ଏହା ୨୭.୩ ପ୍ରତିଶତକୁ ବୃଦ୍ଧି ପାଇଛି।

ଜନ୍ମର ୧ ଘଣ୍ଟା ମଧ୍ୟରେ ମା’ କ୍ଷୀର ଖାଉଛନ୍ତି ୫୦.୧% ଶିଶୁ
୧୨ରୁ ୨୩ ମାସର ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ ହାର ୮୭.୧%
ଚିନ୍ତା ବଢ଼ାଉଛି ଜୀବନଶୈଳୀ ସମସ୍ୟା

୧୨ରୁ ୨୩ ମାସର ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ ହାର  ୮୩.୮ ପ୍ରତିଶତରୁ ୮୭.୧ ପ୍ରତିଶତକୁ ବୃଦ୍ଧି ପାଇଛି। ୯୫.୯ ପ୍ରତିଶତ ଶିଶୁ ସେମାନଙ୍କ ଅଧିକାଂଶ ଟିକା ସରକାରୀ ଡାକ୍ତରଖାନାରେ ନେଇଛନ୍ତି। ଫଳରେ ଟିକାକରଣ ପାଇଁ ସରକାରୀ ବ୍ୟବସ୍ଥା ଉପରେ ଲୋକଙ୍କ ନିର୍ଭରଶୀଳତା ବଢ଼ୁଛି। ରୋଟାଭାଇରସ୍‌ ଟିକାକରଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ପୂର୍ବ ସର୍ଭେରେ ଏହା ୩୬.୪ ପ୍ରତିଶତ ଥିବାବେଳେ ଏଥର ଏହା ୮୫.୪ ପ୍ରତିଶତ ରହିଛି। ସେହିଭଳି ମିଳିମିଳା ସଂକ୍ରାନ୍ତ ଟିକା ୫୮.୬ ପ୍ରତିଶତରୁ ୭୧.୮ ପ୍ରତିଶତକୁ ବଢ଼ିଛି।

UN: ସଂଘର୍ଷ ସମୟରେ ଯୌନହିଂସା ମାମଲାରେ ଜାତିସଂଘର କଳା ତାଲିକାଭୁକ୍ତ ହେଲେ ଇସ୍ରାଏଲ ଓ ରୁଷ୍‌

ଏଥିସହିତ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ କ୍ଷେତ୍ରରେ ବୟସ ଅନୁସାରେ ଓଜନ କମ୍‌ ରହିବା ହାର ୩୨ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ବୟସ ଅନୁସାରେ ଉଚ୍ଚତା ହାର କ୍ଷେତ୍ରରେ ମଧ୍ୟ ଅଗ୍ରଗତି ହୋଇଛି। ପୂର୍ବରୁ ଏହି ହାର ୩୫.୫ ପ୍ରତିଶତ ଥିବାବେଳେ ଏବେ ଏହା ୨୯.୩ ପ୍ରତିଶତକୁ ଖସିଛି। ପିଲା ଜନ୍ମ ହେବାର ୧ ଘଣ୍ଟା ମଧ୍ୟରେ ମା କ୍ଷୀର ଖାଇବା ହାର ପୂର୍ବରୁ ୪୧.୮ ପ୍ରତିଶତ ଥିବାବେଳେ ଏବେ ଏହା ୫୦.୧ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାବ୍ୟତୀତ ମହିଳାମାନଙ୍କ ଇଣ୍ଟରନେଟ୍‌ ବ୍ୟବହାର ବଢ଼ି ପ୍ରାୟ ଦୁଇଗୁଣା ହୋଇଛି। ପୂର୍ବରୁ ଏହା ୩୩.୩ ପ୍ରତିଶତ ଥିବାବେଳେ ଏବେ ଏହା ୬୪.୩ ପ୍ରତିଶତରେ ପହଞ୍ଚିଛି। ସେହିଭଳି ମହିଳାମାନେ ‌ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନିଜେ ପରିଚାଳନା କରିବା ହାର ମଧ୍ୟ ବଢ଼ିଛି। ପୂର୍ବରୁ ଏହା ୭୮.୬ ପ୍ରତିଶତ ଥିବାବେଳେ ଚଳିତଥର ଏହା ୮୯ ପ୍ରତିଶତରେ ପହଞ୍ଚିଛି। ମହିଳାଙ୍କ ପାଖରେ ମୋବାଇଲ ‌ଫୋନ୍‌ ସଂଖ୍ୟା ମଧ୍ୟ ବଢ଼ିଛି। ଏବେ ୬୩.୬ ପ୍ରତିଶତ ମହିଳା ମୋବାଇଲ ଫୋନର ମାଲିକାନା ରଖିଛନ୍ତି। ପୂର୍ବ ଥର ଏହା ୫୩.୯ ପ୍ରତିଶତ ରହିଥିଲା। ୧୫ରୁ ୨୪ ବର୍ଷର ମହିଳାଙ୍କ କ୍ଷେତ୍ରରେ ମାସିକ ଋତୁସ୍ରାବ ସମୟରେ ସ୍ବଚ୍ଛ ସୁରକ୍ଷା ବ୍ୟବସ୍ଥା ଆପଣାଇବା ହାର ୭୭.୬ ପ୍ରତିଶତରୁ ୭୯.୨ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଇଣ୍ଟରନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପପୁଲେସନ୍‌ ସାଇନ୍‌ସେସ୍‌ (ଆଇଆଇପିଏସ୍‌) ମୁମ୍ବାଇ ଦ୍ବାରା ୨୦୨୩-୨୪ରେ ଏହି ସର୍ଭେ ହୋଇଥିଲା। ଦେଶର ୭୧୫ଟି ଜିଲ୍ଲାରେ ୬.୭୯ ଲକ୍ଷ ପରିବାରକୁ ଏଥିରେ ସାମିଲ କରାଯାଇଛି।

 

 

 

ସୌଜନ୍ୟ ସମ୍ବାଦ