Explosion: ମିଆଁମାରରେ ବିସ୍ଫୋରକ ରଖାଯାଇଥିବା କୋଠାରେ ଭୟଙ୍କର ବିସ୍ଫୋରଣ: ୫୫ରୁ ଅଧିକ ମୃତ

ଉତ୍ତର-ପୂର୍ବ ମିଆଁମାରରେ ଖଣି ବିସ୍ଫୋରକ ସଂରକ୍ଷଣ କରୁଥିବା ଏକ କୋଠାରେ ରବିବାର ମଧ୍ୟାହ୍ନରେ ଭୟଙ୍କର ବିସ୍ଫୋରଣ ଘଟି ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଓ ପ୍ରାୟ ୭୦ ଜଣ ଆହତ ହୋଇଛନ୍ତି।
ନାଏପିଡ: ଉତ୍ତର-ପୂର୍ବ ମିଆଁମାରରେ ଖଣି ବିସ୍ଫୋରକ ସଂରକ୍ଷଣ କରୁଥିବା ଏକ କୋଠାରେ ରବିବାର ମଧ୍ୟାହ୍ନରେ ଭୟଙ୍କର ବିସ୍ଫୋରଣ ଘଟି ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଓ ପ୍ରାୟ ୭୦ ଜଣ ଆହତ ହୋଇଛନ୍ତି। ସମାଚାର ଏଜେନ୍ସି ଏପି ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମୀ ଓ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଆଧାରରେ ସୂଚନା ଦେଇଛି ଯେ, ଚୀନ୍ ସୀମାଠାରୁ ପ୍ରାୟ ୩ କିଲୋମିଟର ଦକ୍ଷିଣରେ ଥିବା ନାମ୍ହକାମ୍ ଟାଉନସିପ୍ର କୌଙ୍ଗଟୁପ୍ ଗାଁରେ ମଧ୍ୟାହ୍ନ ସମୟରେ ଏହି ବିସ୍ଫୋରଣ ଘଟିଥିଲା।
ଏହି ଅଞ୍ଚଳଟି ମ୍ୟାଁମାରର ସାମରିକ ନେତୃତ୍ୱାଧୀନ ସରକାରଙ୍କ ସହିତ ଲଢ଼ୁଥିବା ଏକ ସଶସ୍ତ୍ର ଗୋଷ୍ଠୀ ତାଆଙ୍ଗ୍ ନ୍ୟାସନାଲ୍ ଲିବରେସନ୍ ଆର୍ମି (ଟିଏନ୍ଏଲ୍ଏ) ନିୟନ୍ତ୍ରଣରେ ରହିଛି। ବିସ୍ଫୋରଣର କାରଣ ତୁରନ୍ତ ଜଣାପଡିନାହିଁ। ତଥାପି ବିସ୍ଫୋରଣ ଘଟିଥିବା କୋଠାରେ ଖଣି କାର୍ଯ୍ୟ ପାଇଁ ବ୍ୟବହୃତ ବିସ୍ଫୋରକ ଗଚ୍ଛିତ ଥିବା ରିପୋର୍ଟ ହୋଇଛି। ରବିବାର ସନ୍ଧ୍ୟାରେ ବିସ୍ଫୋରଣ ସ୍ଥଳରୁ ୬ ଜଣ ଶିଶୁଙ୍କ ସମତେ ୪୬ଟି ମୃତଦେହ ଉଦ୍ଧାର କରି ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିବା ଜଣେ ଉଦ୍ଧାରକାରୀ ‘ଏପି’କୁ ସୂଚନା ଦେଇଛନ୍ତି।
ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ଆହତ ୭୪ ଜଣଙ୍କୁ ଟାଉନସିପ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଯୋଗୁ ୧୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଥିବା କୁହାଯାଇଛି। ଶାନ୍ ରାଜ୍ୟର ଶ୍ୱେ ଫି ମାୟାୟ ନ୍ୟୁଜ୍ ଏଜେନ୍ସି ସମେତ ସ୍ୱାଧୀନ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମୃତ୍ୟୁ ସଂଖ୍ୟା ୫୦ ରୁ ୫୫ ମଧ୍ୟରେ ରିପୋର୍ଟ କରିଛନ୍ତି। ଏହି ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରକାଶିତ ଫଟୋ ଓ ଭିଡିଓଗୁଡ଼ିକ ଘଟଣାସ୍ଥଳରୁ ଘନ ଧୂଆଁ ବାହାରୁଥିବା ଓ ନିକଟବର୍ତ୍ତୀ ଆବାସିକ ଅଞ୍ଚଳରେ ବ୍ୟାପକ ଧ୍ୱଂସ ଦେଖାଯାଇଛି। ଚୀନର ସରକାରୀ ପ୍ରସାରକ ସିସିଟିଭି ଅନେକ ମୃତାହତ ହୋଇଥିବା ରିପୋର୍ଟ କରିଛି।
ସୌଜନ୍ୟ ସମ୍ବାଦ




