NEET: ନିଟ୍ ପ୍ରଶ୍ନପତ୍ର ଲିକ୍: ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ୩ ଅଭିଯୁକ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ସୋମବାର ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ ୧୪ ଦିନର ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ସହ ଜଡିତ ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକ, ଲାଟୁରର ଜଣେ ଶିଶୁରୋଗ ବିଶେଷଜ୍ଞ ଓ ଜଣେ ପଦାର୍ଥ ବିଜ୍ଞାନ ଶିକ୍ଷକ ଅନ୍ତର୍ଭୁକ୍ତ। ପଦାର୍ଥ ବିଜ୍ଞାନ ଅନୁବାଦକ ମନୀଷା ସଞ୍ଜୟ ହାୱଲଦାର, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମନୋଜ ଶିରୁରେ ଓ ପଦାର୍ଥ ବିଜ୍ଞାନ ଶିକ୍ଷକ ତେଜସ ହର୍ଷଦକୁମାର ଶାହଙ୍କ ନ୍ୟାୟିକ ହେପାଜତ ପାଇଁ ସିବିଆଇର ଆବେଦନକୁ ସ୍ୱତନ୍ତ୍ର ବିଚାରପତି ଅଜୟ ଗୁପ୍ତା ମଞ୍ଜୁର କରିଛନ୍ତି। ଶନିବାର ହାୱଲଦାରଙ୍କ ସିବିଆଇ ହେପାଜତ ଦୁଇ ଦିନ ବୃଦ୍ଧି କରାଯାଇଥିଲା। ଶିରୁରେ ଓ ଶାହଙ୍କୁ ମେ ୨୭ ତାରିଖରେ ପାଞ୍ଚ ଦିନ ପାଇଁ ହାଜତରେ ପଚରାଉଚରା ପାଇଁ ପଠାଯାଇଥିଲା। ସିବିଆଇ ଅଭିଯୋଗ କରିଛି ଯେ, ହାୱଲଦାର ଅନ୍ୟ ଅଭିଯୁକ୍ତମାନଙ୍କ ସହିତ ଷଡ଼୍ଯନ୍ତ୍ର କରି ବିନା ଅନୁମତିରେ ନିଟ୍-ୟୁଜି ପ୍ରଶ୍ନପତ୍ର ରଖିଥିଲେ ଓ ଟଙ୍କା ପାଇଁ ଏହାକୁ ବାଣ୍ଟିଥିଲେ।
ସୌଜନ୍ୟ ସମ୍ବାଦ




