ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂଶ ଆନିମେଟେଡ୍ ଫିଲ୍ମ, ତୀବ୍ର ବିରୋଧ କଲେ ଗଜପତି
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂସ ଆନିମେଟେଡ୍ ଫିଲ୍ମକୁ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ବିରୋଧ । ବିକୃତ ଏବଂ କାଳ୍ପନିକ ଉପସ୍ଥାପନା କରାଯାଇଥିବା କହିଲେ ଗଜପତି ମହାରାଜା । ଜୁଲାଇ ୧୦ରେ ରିଲିଜକୁ ବନ୍ଦ ରଖିବାକୁ ପ୍ରଯୋଜନା ସଂସ୍ଥାକୁ କଲେ ଅନୁରୋଧ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ପୁରୀ/ଭୁବନେଶ୍ଵର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂସ ଆନିମେଟେଡ୍ ଫିଲ୍ମକୁ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ବିରୋଧ । ବିକୃତ ଏବଂ କାଳ୍ପନିକ ଉପସ୍ଥାପନା କରାଯାଇଥିବା କହିଲେ ଗଜପତି ମହାରାଜା । ଜୁଲାଇ ୧୦ରେ ରିଲିଜକୁ ବନ୍ଦ ରଖିବାକୁ ପ୍ରଯୋଜନା ସଂସ୍ଥାକୁ କଲେ ଅନୁରୋଧ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅପଭ୍ରଂଶ ଫିଲ୍ମକୁ ନେଇ ହେବ ଆକ୍ସନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେହିଭଳି ବରିଷ୍ଠ ସେବାୟତମାନେ ମଧ୍ୟ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଫିଲ୍ମ ନିର୍ମାତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି ସେବାୟତ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂସ ଫିଲ୍ମକୁ ଗଜପତିଙ୍କ ବିରୋଧ । ଅସନ୍ତୋଷ ପ୍ରକାଶ କଲେ ସେବାୟତ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି କହିଲେ ଆକ୍ସନ ହେବ । ଏଲି ଆନିମେସନ ପକ୍ଷରୁ ‘ମହାପ୍ରଭୁ ଜଗନ୍ନାଥ’ ଶୀର୍ଷକ ଏକ ଆନିମେସନ ଫିଲ୍ମ ନିର୍ମାଣ କରାଯାଇଥିବା ବେଳେ ସୋସିଆଲ୍ ମିଡିଆରେ ଏହାର ଟ୍ରେଲରକୁ ଅପଲୋଡ୍ କରାଯାଇଛି । ଆସନ୍ତା ଜୁଲାଇ ୧୦ରେ ସିନେମା ହଲଗୁଡ଼ିକରେ ଏହି ଫିଲ୍ମକୁ ରିଲିଜ୍ କରାଯିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଏହି ଆନିମେଟେଡ୍ ଫିଲ୍ମର ଟ୍ରେଲର ଦେଖିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୁରୀ ଜଗପତି ଦିବ୍ୟସିଂହ ଦେବ ।
ଗଜପତି ମହାରାଜା କହିଛନ୍ତି ଯେ, ଏହି ଫିଲ୍ମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଶାସ୍ତ୍ର ବିରୋଧୀ ବର୍ଣ୍ଣନା ରହିଛି । ଶ୍ରୀଜଗନ୍ନାଥଙ୍କ ଏକ କାଳ୍ପନିକ କାହାଣୀକୁ ଦର୍ଶାଯାଇଛି । ମହାପ୍ରଭୁଙ୍କ ମହିମାର ବିକୃତ ଉପସ୍ଥାପନା କରାଯାଇଛି । ଯାହା ଅଗଣିତ ଜଗନ୍ନାଥପ୍ରେମୀ ଓ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେବ । ତେଣୁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ବାରା ନିଯୁକ୍ତ ବିଶେଷଜ୍ଞଙ୍କ ଦ୍ବାରା ଚଳଚ୍ଚିତ୍ରର ବିଷୟବସ୍ତୁ ପ୍ରମାଣିତ ନହେବା ପର୍ଯ୍ୟନ୍ତ ସିନେମା ହଲ କିମ୍ବା କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଚଳଚ୍ଚିତ୍ର ରିଲିଜ୍ ନକରିବାକୁ ପ୍ରଯୋଜନା ସଂସ୍ଥାକୁ ନିବେଦନ କରିଛନ୍ତି ଗଜପତି ମହାରାଜା ।
ସେପଟେ ଜଗନ୍ନାଥଙ୍କ ଉପରେ ଏଭଳି ଅପଭ୍ରଂଶ ଫିଲ୍ମକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ । ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଭକ୍ତଙ୍କ ଭାବାବେଗ ସହ ଖେଳିବାର କାହାର ଅଧିକାର ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ଏହା ଉପରେ ନିଷ୍ପତ୍ତି ନେବ । ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଆକ୍ସନ ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ପରିଚାଳନା କମିଟି ସଦସ୍ୟ ମଧ୍ୟ ଏଭଳି ଫିଲ୍ମକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର । ମହାପ୍ରଭୁଙ୍କ ସହ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତଙ୍କ ଆସ୍ଥା ଯୋଡ଼ି ହୋଇ ରହିଛି । ଏମିତିରେ ମହାପ୍ରଭୁଙ୍କ ସମ୍ପର୍କରେ ଯଦି କୌଣସି ଫିଲ୍ମ ନିର୍ମାଣ ହେଉଛି ତାହେଲେ ଜଗନ୍ନାଥ ସଂସ୍କୃତି, ପରମ୍ପରା ତଥା ଶାସ୍ତ୍ର ଅନୁମୋଦିତ ବିଷୟ ବସ୍ତୁକୁ ନେଇ ହେବା କଥା । କିନ୍ତୁ ପ୍ରଯୋଜନା ସଂସ୍ଥା ଏହାକୁ ନଜର ଅନ୍ଦାଜ କରି ଛୋଟା ଭିମ୍, ବାଲ୍ ଗଣେଶ ଭଳି ଜଗନ୍ନାଥଙ୍କୁ ନେଇ ଆନିମେଟେଡ୍ ଫିଲ୍ମ ତିଆରି କରିବାକୁ ଚେଷ୍ଟା କରିଛନ୍ତି ।
ଏମିତିକି ମୂଳ କାହାଣୀକୁ ବିକୃତ କରି କାଳ୍ପନିକ ଭାବେ ଯେ କୌଣସି କାହାଣୀକୁ ନେଇ ଏଭଳି ଫିଲ୍ମ ତିଆରି କରିବା କେତେଦୂର ଯୁକ୍ତିଯୁକ୍ତ । କୌଣସି ତଥ୍ୟ ପ୍ରମାଣ ନଥାଇ ଏଭଳି ଫିଲ୍ମ ପ୍ରସ୍ତୁତ ହେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ଦେବାୟତ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି କୌଣସି ପ୍ରକାର ଅପମାନକୁ ବରଦାସ୍ତ କରାଯିବନି । ମହାପ୍ରଭୁଙ୍କୁ ନେଇ ଅପଭ୍ରଂସ ଆନିମେଟେଡ୍ ଫିଲ୍ମ ନିର୍ମାଣ କରିଥିବା ପ୍ରଯୋଜନା ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ସାମ୍ନାକୁ ଆସିବାକୁ ପଡ଼ିବ । ଆଉ ସେ କାହିଁକି ଏଭଳି ଫିଲ୍ମ ନିର୍ମାଣ କରିଛନ୍ତି ତା’ର କୈଫିୟତ୍ ଦେବାକୁ ପଡ଼ିବ ।
ସୌଜନ୍ୟ Prameya News7




