ପୁନଶ୍ଚ ପୃଥିବୀ

Parivesh Panchayat: ନୟାଗଡ଼ ନିର୍ବାଚନମଣ୍ଡଳୀରେ ‘ପରିବେଶ ପଞ୍ଚାୟତ’: ‘ପ୍ରଦୂଷିତ ବାୟୁ, ପାଣି ଓ ବଦଳୁଥିବା ଜଳବାୟୁ ଘାତକ ହେବ’

ଜଣେ ସୁସ୍ଥ ମଣିଷ ପାଇଁ ପ୍ର‌ତ୍ୟେକ ଦିନ ୧୧ ହଜାର ଲିଟର ବାୟୁ ଆବଶ୍ୟକ। ସେଥି ମଧ୍ୟରୁ ୫୫୦ ଲିଟର ଶୁଦ୍ଧ ଅମ୍ଳଜାନ ଆବଶ୍ୟକ। ଯେତେବେଳେ ସଭ୍ୟତା ବଢ଼ି ନଥିଲା ସେତେବେଳେ ୬ ଟ୍ରିଲିଅନ୍‌ ଗଛ ରହିଥିବା ବେଳେ ଏବେ ଏହାର ଅଧାଠାରୁ କମ୍ ଗଛ ବି ନାହିଁ।

ନୟାଗଡ଼: ଜଣେ ସୁସ୍ଥ ମଣିଷ ପାଇଁ ପ୍ର‌ତ୍ୟେକ ଦିନ ୧୧ ହଜାର ଲିଟର ବାୟୁ ଆବଶ୍ୟକ। ସେଥି ମଧ୍ୟରୁ ୫୫୦ ଲିଟର ଶୁଦ୍ଧ ଅମ୍ଳଜାନ ଆବଶ୍ୟକ। ଯେତେବେଳେ ସଭ୍ୟତା ବଢ଼ି ନଥିଲା ସେତେବେଳେ ୬ ଟ୍ରିଲିଅନ୍‌ ଗଛ ରହିଥିବା ବେଳେ ଏବେ ଏହାର ଅଧାଠାରୁ କମ୍ ଗଛ ବି ନାହିଁ। ପ୍ରତି ବର୍ଷ ବିଭିନ୍ନ କାରଣରୁ ସାରା ବିଶ୍ବରେ ୧୫ ବିଲିଅନ୍ ଗଛ କଟାଯାଉଛି। ଏହାର ପ୍ରଭାବ ବାୟୁମଣ୍ଡଳ ଉପରେ ପଡ଼ୁଛି ଏବଂ ଏହାର ପରିଣାମ ଆମେ ସମସ୍ତେ ଭୋଗୁଛେ ବୋଲି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ।

ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ପ୍ରସ୍ତାବ ରଖି ସେ କହିଥିଲେ ଯେ, ପ୍ରତି ଜିଲ୍ଲାରେ ପ୍ରଶାସନର ଅନୁମତି ନିଆଯାଇ ‘ସମ୍ବାଦ’ ପକ୍ଷରୁ ଏକ ଜାଗା ଚିହ୍ନଟ କରାଯାଉ। ସଭାକୁ ଆସୁଥିବା ଲୋକମାନଙ୍କୁ ଗୋଟିଏ ‌ଗୋଟିଏ ଚାରା ପ୍ରଦାନ କରାଯାଇ, ସେଠାରେ ରୋପଣ କରିବା ସହ ଏହାକୁ ବଞ୍ଚାଇ ରଖିବା ପାଇଁ ଦାୟିତ୍ବ ଦିଆଯାଉ। ଏହା ସଫଳ ହୋଇପାରିଲେ ହିଁ ପରିବେଶ ପଞ୍ଚାୟତର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ଡ. ସାହୁ କହିଥିଲେ। ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ କହିଲେ ଯେ, ‘ପୁନଶ୍ଚ ପୃଥିବୀ’ର ପରିକଳ୍ପନା କେବଳ ସଭା ସମିତିରେ ସୀମିତ ନରହୁ। ପ୍ରକୃତିରୁ ଆମେ ଆବଶ୍ୟକ କରୁଥିବା ଅମ୍ଳଜାନ ମାଗଣା ପାଇଯାଉଛୁ। ସେଥିପାଇଁ ଏହାର ଗୁରୁତ୍ବ ବୁଝିପାରୁ ନାହୁଁ। ବର୍ତ୍ତମାନ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି, ଏହାର ମୁକାବିଲା କରିବା ସହ ପରପିଢ଼ିକୁ ସୁରକ୍ଷିତ ଭାବେ ରଖିବା ହିଁ ଆଜିର ସଭାର ପ୍ରକୃତ ଉଦ୍ଦେଶ୍ୟ। ଅତିଥି ଭାବେ ଯୋଗ ଦେଇ ପୌର ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା କହିଲେ ଯେ, ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଋତୁମାନଙ୍କ ମଧ୍ୟରେ ତାଳମେଳ ରହୁ ନାହିଁ।

ଛଅଟି ଋତୁକୁ ଖୋଜି ପାଇବା ଆଜି ସମ୍ଭବ ହେଉ ନାହିଁ। ପରିବେଶବିତ୍ ପ୍ର‌ମୋଦ ପଟ୍ଟନାୟକ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ କେବଳ ନିର୍ବାଚନମଣ୍ଡଳୀରେ ନୁହେଁ ବରଂ ଗାଁ ଗାଁରେ ଏହି କାର୍ଯ୍ୟକ୍ରମକୁ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ଏହାସହ ଜଙ୍ଗଲକୁ ସୁରକ୍ଷା ଦେଉଥିବା ବ୍ୟକ୍ତି ଓ ସଂଗଠନକୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ହେବ ବୋଲି କହିଥିଲେ। ‘କନକ ନ୍ୟୁଜ୍‌’ ଜିଲ୍ଲା ପ୍ରତିନିଧି ପ୍ରଦୀପ୍ତ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ସନ୍ଦୀପ କୁମାର ଲେଙ୍କା ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପରିବେଶବିତ୍, ବୁଦ୍ଧିଜୀବୀ, ଛାତ୍ର ଓ ଯୁବ ସଂଗଠକ ‌ଯୋଗ ଦେଇଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button