ଦେଶ ବିଦେଶ

‘El Nino’ ​​effect: ‘ଏଲ୍ ନିନୋ’ ପ୍ରଭାବ: ସମ୍ଭାବ୍ୟ ମରୁଡ଼ି ନେଇ ତନାଘନା, ସମୀକ୍ଷା କଲେ ଅମିତ ଶାହ

ଚଳିତ ବର୍ଷ ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ ଅତ୍ୟନ୍ତ କମ୍ ବର୍ଷା ରେକର୍ଡ ହେବା ଏବଂ ଜୁଲାଇରେ ମଧ୍ୟ ସ୍ୱଳ୍ପ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରିଛନ୍ତି।

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ ଅତ୍ୟନ୍ତ କମ୍ ବର୍ଷା ରେକର୍ଡ ହେବା ଏବଂ ଜୁଲାଇରେ ମଧ୍ୟ ସ୍ୱଳ୍ପ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ମରୁଡ଼ି ସ୍ଥିତି ଏବଂ ଏହାର ପ୍ରତିକାର ନେଇ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। କୃଷି, ଜଳସମ୍ପଦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ସମ୍ପୃକ୍ତ ମନ୍ତ୍ରାଳୟକୁ ରାଜ୍ୟ ସରକାରମାନଙ୍କ ସହ ସିଧାସଳଖ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶାହ ନିର୍ଦ୍ଦେଶ ଦେଇଛନ୍ତି।

ହାଇ-ଆଲର୍ଟରେ କୃଷି ମନ୍ତ୍ରାଳୟ, ସବୁ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଦେଶରେ ବର୍ଷାର ବ୍ୟାପକ ନିଅଣ୍ଟକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ କୃଷି ମନ୍ତ୍ରାଳୟ ସମେତ ସମସ୍ତ ସମ୍ପୃକ୍ତ ବିଭାଗକୁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ‘ଏଲ୍ ନିନୋ’ ପ୍ରଭାବ ଯୋଗୁଁ ସୃଷ୍ଟି ହୋଇଥିବା ଏହି ସଙ୍କଟଜନକ ସ୍ଥିତି ଉପରେ କେନ୍ଦ୍ର ସରକାର ନିରନ୍ତର ନଜର ରଖିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ ‘ଏଲ୍ ନିନୋ’ ଯୋଗୁଁ ଦେଶର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସ୍ୱଳ୍ପ ବର୍ଷା ଓ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ମୁକାବିଲା
ନିମନ୍ତେ ସବୁ ସ୍ତରରେ ଆଗୁଆ ପ୍ରୟାସ ହେବ। ଚାଷୀମାନଙ୍କ ଉପରେ ଯେପରି ଏହାର ପ୍ରଭାବ ସର୍ବନିମ୍ନ ରହିବ ଏବଂ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଯେପରି ବାଧାପ୍ରାପ୍ତ ନ ହେବ, ସେଥିପାଇଁ ରାଜ୍ୟଗୁଡ଼ିକ ସହ ମିଶି ଜରୁରିକାଳୀନ ଯୋଜନା ପ୍ରସ୍ତୁତ କରାଯାଉଛି।

ସୂଚନାଯୋଗ୍ୟ,  ଜୁନ୍‌ରେ ୪୦ ପ୍ରତିଶତ କମ୍‌ ବର୍ଷା ହୋଇଥିବାରୁ ଏହା ଦେଶର ପଞ୍ଚମ ସବୁଠାରୁ ଶୁଖିଲା ମାସ ଭାବେ ରେକର୍ଡ ହୋଇଛି। ଏହି ସ୍ଥିତି ଗ୍ରାମୀଣ ଅର୍ଥନୀତି ଏବଂ ଚାଷ କାର୍ଯ୍ୟ ପାଇଁ ଚିନ୍ତା ବଢ଼ାଇ ଦେଇଛି। ସ୍ଥିତିର ଗମ୍ଭୀରତାକୁ ଦେଖି କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା ନେଇ ବୈଠକ ପରେ ସୂଚନା ଦିଆଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button