ରାଜ୍ୟ

Flood Crisis : ପାଣି ଘେରରେ ୧୫୯୧ ଗାଁ, ୯୧ ହଜାର ଲୋକଙ୍କୁ ସ୍ଥାନାନ୍ତର, ତୁରନ୍ତ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

୫୪ ବ୍ଲକର ୧୫୯୧ ଗାଁରେ ଦାଉ ସାଧିଲା ବନ୍ୟା ପାଣି। ୫ ଜିଲ୍ଲାରେ ୫ ଲକ୍ଷ ପ୍ରଭାବିତ। ୯୧ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର। ତୁରନ୍ତ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଫୁଲୁଛି ବ୍ରାହ୍ମଣୀ, ସୁବର୍ଣ୍ଣରେଖା... ମହାନଦୀ ଉଚ୍ଛୁଳିବା ଆଶଙ୍କା

ଭୁବନେଶ୍ୱର, ୩୦/୦୭ : ଲଗାଣ ବର୍ଷା ଓ ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା । ପ୍ରଭାବିତ ହୋଇଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ । ୫୪ ବ୍ଲକର ୧୫୯୧ଟି ଗାଁ ଓ ୬ଟି ସହରାଞ୍ଚଳରେ ନାହିଁ ନଥିବା ସ୍ଥିତି ଉପୁଜିଛି । ପ୍ରଭାବିତ ହୋଇଛନ୍ତି ୫ ଲକ୍ଷ ୨୬ ହଜାରରୁ ଅଧିକ ଲୋକେ । ପ୍ରାୟ ୯୧ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ଓ ଲଗାଣ ବର୍ଷା ସ୍ଥିତିକୁ ଦେଖି ଗୁରୁବାର ବାଲେଶ୍ୱର, ଯାଜପୁର, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଆଶ୍ୱସ୍ତିର କଥା ହେଲା, ରାଜ୍ୟରେ ଗୁରୁବାରଠାରୁ ବର୍ଷା ପ୍ରକୋପ କ୍ରମଶଃ କମିବ । ଗଭୀର ଅବପାତ ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭ ଉପରେ ଥିଲା ଆଜି ସନ୍ଧ୍ୟାରେ । ଆସନ୍ତା ୨୪ ଘଣ୍ଟା ଭିତରେ ସାମାନ୍ୟ ଦୁର୍ବଳ ହୋଇ ଅବପାତ ରୂପ ନେବ ।

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା- ବୁଧବାର ରାତିରୁ ଗୁରୁବାର ସକାଳ ଭିତରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । କିନ୍ତୁ, ଗୁରୁବାର ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶୁକ୍ରବାରଠାରୁ ବର୍ଷା ପରିମାଣ ଆହୁରି କମିଯିବ । ତେବେ ଗୁରୁବାର ଛତିଶଗଡ଼ର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୩୧ରେ ସେଠାରେ ବର୍ଷା କମିବ । କିନ୍ତୁ, ଅଗଷ୍ଟ ୧ରୁ ୪ ପର୍ଯ୍ୟନ୍ତ ବର୍ଷା ବଢ଼ିପାରେ ଛତିଶଗଡ଼ରେ । ମହାନଦୀ ଫୁଲୁଛି । ଜଳସ୍ତର ଲଗାତାର ବଢ଼ିଚାଲିଛି । ତଳମୁଣ୍ଡରେ ବନ୍ୟା ସ୍ଥିତି ଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି । ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରକୁ ୩ ଲକ୍ଷ ୨୧ ହଜାର ୯୧୦ କ୍ୟୁସେକ୍‌ ଜଳ ପଶୁଛି । ମାତ୍ର ୬୪ ହଜାର ୪୯୫ କ୍ୟୁସେକ୍‌ ନିଷ୍କାସନ ହେଉଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ହୀରାକୁଦର ଜଳସ୍ତର ୬୨୨ ଫୁଟ୍‌ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଉଛି ।

ବୁଧବାର ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୪୫ ଫୁଟ ଥିଲା । ତେଲ ନଦୀର ପଥରଳାଠାରେ ୩ଲକ୍ଷ ୧୨ହଜାର ଘନଫୁଟ (କ୍ୟୁସେକ) ଜଳ ମହାନଦୀରେ ନିଷ୍କାଷିତ ହେଉଛି । ଖଇରମାଳରେ ୮.୪୦ ଲକ୍ଷ କ୍ୟୁସେକ୍‌, ବରମୂଳରେ ୬.୮୮ ଲକ୍ଷ କ୍ୟୁସେକ୍‌ ଏବଂ ମୁଣ୍ଡଳୀରେ ୬.୧୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ୨୪ରୁ ୩୦ ଘଣ୍ଟା ଭିତରେ ଖଇରମାଳ ଓ ବରମୂଳରୁ ପାଣି ଆସି ମୁଣ୍ଡଳୀରେ ପହଞ୍ଚିବ । ଜଳସ୍ତର ପାଖାପାଖି ୧୦ ଲକ୍ଷ ଘନଫୁଟ ଛୁଇଁପାରେ । ସେପଟେ ପୁର୍ଣମୀ ପାଇଁ ସମୁଦ୍ର ପାଣି ଟାଣୁ ନାହିଁ । ଏଣୁ ମହାନଦୀ ତଳମୁଣ୍ଡରେ ଶାଖା ନଦୀ ଉଛୁଳିବା ଆଶଙ୍କା ରହିଛି । ଏହା ବନ୍ୟା ସ୍ଥିତିକୁ ଆହୁରି ବିଗାଡ଼ିପାରେ । ହୀରାକୁଦରୁ ଅଧିକ ପାଣି ଆସିଲେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଆହୁରି ସଙ୍ଗୀନ ହେବାର ଆଶଙ୍କା ରହିଛି । ଗତ ୨୪ ଘଣ୍ଟାରେ ହୀରାକୁଦ ଅବବାହିକା ଅଞ୍ଚଳରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ବ୍ରାହ୍ମଣୀ ନଦୀ ଜଳସ୍ତର ବି ବଢୁଛି । ଜେନାପୁରଠାରେ ଜଳସ୍ତର ସତର୍କ ସଙ୍କେତ ପାର୍‌ କରିଛି । ଏଠାରେ ସତର୍କ ସଙ୍କେତ ସ୍ତର ୨୨ ମିଟର ଥିବାବେଳେ ୨୨.୧୫ ମିଟର ଜଳ ପ୍ରବାହିତ ହେଉଛି । ଇନ୍ଦୁପୁରଠାରେ ମଧ୍ୟ ଜଳସ୍ତର ଲଗାତର ବଢୁଛି ।  ବୈତରଣୀ ନଦୀରେ ଆଖୁଆପଦାଠାରେ ଜଳସ୍ତର ସତର୍କ ସଙ୍କେତ ଟପିଥିଲେ ବି କ୍ରମଶଃ କମୁଛି । ରାତି ୯ଟା ସୁଦ୍ଧା ଆଖୁଆପଦାରେ ଜଳସ୍ତର ୧୯.୪୯ ମିଟର ଥିଲା ।

ଏନଏଚ୫ ଗୋବିନ୍ଦପୁରଠାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ଚାଲିଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୮.୧୩ ଥିବାବେଳେ ୮.୧୬ ମିଟର ଜଳ ପ୍ରବାହିତ ହେଉଥିଲା । ସୁବର୍ଣ୍ଣରେଖା ନଦୀ ଜଳସ୍ତର ବଢୁଛି ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଏ ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଆଲୋଚନା କରିଛନ୍ତି । ସନ୍ଧ୍ୟାରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୃଷ୍ଣଚନ୍ଦ୍ର ମହାପାତ୍ର ଓ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସହ ଆଲୋଚନା କରି ସ୍ଥିତି ବାବଦରେ ପଚାରି ବୁଝିଛନ୍ତି । ସହାୟତା କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାରେ କ୍ଷତିଗ୍ରସ୍ତ ବାସଗୃହ, ଚାଷ ଜମି ପାଇଁ ପ୍ରଭାବିତ ଲୋକଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଫସଲ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବୁଧବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବନ୍ୟା ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା । ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭିନ୍ନ ବିଭାଗ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ଥିଲେ । ମନ୍ତ୍ରୀ କହିଥିଲେ, ଅପରାହ୍ନ ସୁଦ୍ଧା ୨୨୬ଟି ଗ୍ରାମ ଜଳବନ୍ଦୀ ଅବସ୍ଥାରେ ଥିଲା । ବାଲେଶ୍ୱର ଜିଲ୍ଲାରେ ଜଳସ୍ତର କମିବା ଆରମ୍ଭ କରିଥିବାରୁ ଅନେକ ଲୋକେ ରିଲିଫ କେନ୍ଦ୍ରରୁ ନିଜ ଘରକୁ ଫେରିଛନ୍ତି । ନଦୀ ବନ୍ଧ, ରିଲିଫ କେନ୍ଦ୍ର ଓ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ପାଟ୍ରୋଲିଂକୁ ବାଧ୍ୟତାମୂଳକ କରାଯାଇଛି । ନଦୀ ପରିସ୍ଥିତିର ସମୀକ୍ଷାବେଳେ ଜଣାପଡ଼ିଥିଲା, ଛତିଶଗଡ଼ର ଉପର ମୁଣ୍ଡ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲା ରହିଛି । ଜଳଭଣ୍ଡାରର ଜଳସ୍ତର ସୁରକ୍ଷିତ ସୀମା ମଧ୍ୟରେ ରହିଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ନିରନ୍ତର ଜଳପ୍ରବାହ ଓ ଜଳସ୍ତରର ତଦାରଖ କରାଯାଉଛି । ଆବଶ୍ୟକ ପଡ଼ିଲେ ବୈଷୟିକ ଆକଳନ ଆଧାରରେ ପର୍ଯ୍ୟାୟକ୍ରମେ ଜଳ ନିଷ୍କାସନ କରାଯିବ । ବର୍ତ୍ତମାନ ନଦୀ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ।  ମନ୍ତ୍ରୀ କହିଛନ୍ତି, କ୍ଷତିଗ୍ରସ୍ତ ଘରଗୁଡ଼ିକର ଆକଳନ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଭାବିତ ପରିବାରଙ୍କୁ ସରକାରୀ ନିୟମାବଳୀ ଅନୁଯାୟୀ ସହାୟତା ପ୍ରଦାନ ପ୍ରକ୍ରିୟା ଜାରି ରହିଛି ।  ଉଦ୍ଧାର କାର୍ଯ୍ୟ ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଜଣେ ଅଗ୍ନିଶମ ସେବା କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ତୁରନ୍ତ ସମସ୍ତ ସରକାରୀ ସହାୟତା ଓ ପ୍ରାପ୍ୟ ସୁବିଧା ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ପୃକ୍ତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିପର୍ଯ୍ୟୟ ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ୧୭ଟି ଏନଡିଆରଏଫ ଟିମ୍‌, ୧୫ଟି ଓଡ୍ରାଫ ଟିମ୍‌ ଏବଂ ପ୍ରାୟ ୬୦ଟି ଅଗ୍ନିଶମ ସେବା ଟିମ୍‌ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ରହିଛନ୍ତି ।  ସରକାରୀ ରିପୋର୍ଟ ଅନୁସାରେ ବନ୍ୟା ଓ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ୧୨ଟି ବ୍ଲକ ଅନ୍ତର୍ଗତ ୧୫୧ ପଞ୍ଚାୟତର ୪୧୨ ଗାଁ ଏବଂ ୫ଟି ସହରାଞ୍ଚଳର ମୋଟ ୧ ଲକ୍ଷ ୪୫ ହଜାର ୮୬୬ ଲୋକେ ପ୍ରଭାବିତ ହୋଇଛନ୍ତି । ସନ୍ଧ୍ୟା ସୁଦ୍ଧା ୨୮ ହଜାର ୨୩୧ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାରେ ୬୫୪ ଘର ନଷ୍ଟ ହୋଇଛି ।  ସେହିପରି ମୟୂରଭଞ୍ଜର ୨୧ଟି ବ୍ଲକର ୩୮ଟି ପଞ୍ଚାୟତର ୪୬ଟି ଗାଁ ଏବଂ ଗୋଟିଏ ସହରାଞ୍ଚଳ ପ୍ରଭାବିତ ହୋଇଥିବାବେଳେ ୩୭୭୨ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ପଡ଼ିଛି । ଜିଲ୍ଲାରେ ୩୭୫୪ ହେକ୍ଟର ଚାଷ ଜମି ଓ ୧୯୭ ଘର କ୍ଷତିଗ୍ରସ୍ତ ହୋଇଛି । ଭଦ୍ରକ ଜିଲ୍ଲାର ୫ଟି ବ୍ଲକର ୭୨ଟି ପଞ୍ଚାୟତ ଅନ୍ତର୍ଗତ ୩୨୨ଟି ଗାଁରେ ୩ ଲକ୍ଷ ୩୯ ହଜାର ୭୭୦ ଲୋକେ ପ୍ରଭାବିତ ହୋଇଛନ୍ତି । ୫୪ ହଜାର ୧୮୪ଜଣଙ୍କୁ ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲାର ୩ଟି ବ୍ଲକର ୨୮ଟି ପଞ୍ଚାୟତ ଅନ୍ତର୍ଗତ ୮୪ଟି ଗାଁର ୨୫ ହଜାର ୧୯୬ ଲୋକେ ବନ୍ୟା ପ୍ରଭାବିତ ହୋଇଛନ୍ତି । ୩୮୦୭ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ସନ୍ଧ୍ୟା ଭିତରେ । କେନ୍ଦୁଝର ଜିଲ୍ଲାରେ ୧୩ଟି ବ୍ଲକର ୯୦ଟି ପଞ୍ଚାୟତ ଅନ୍ତର୍ଗତ ୭୨୭ ଗାଁକୁ ବନ୍ୟା ଓ ଲଗାଣ ବର୍ଷା ପ୍ରଭାବିତ କରିଛି । ୧୨ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ୪୦୧୩ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ୨୧୬ଟି ଘର କ୍ଷତିଗ୍ରସ୍ତ ହୋଇଛି ।  ଗତ ୨୪ ଘଣ୍ଟାରେ ବରଗଡ଼ ବିଜେପୁରରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ହୋଇଛି । ୯ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି । ୪୬ଟି ବ୍ଲକ, ୨ଟି ପାଣିପାଗ ଷ୍ଟେସନ ଏବଂ ଗୋଟିଏ ସହରାଞ୍ଚଳରେ ୧୦୦ ମିମିରୁ ୨୦୦ ମିମି ମଧ୍ୟରେ ବର୍ଷା ରେକର୍ଡ ହୋଇଛି । ଜୁଲାଇ ପହିଲାରୁ ୨୯ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୬୨୩.୭ ମିମି ବର୍ଷା ହୋଇଛି । ସ୍ୱାଭାବିକ ବର୍ଷା ପରିମାଣ ହେଉଛି ୩୧୬.୫ ମିମି । ଅର୍ଥାତ୍‌ ସ୍ୱାଭାବିକଠାରୁ ୯୭% ଅଧିକ ବର୍ଷା ହୋଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button