ଜାତୀୟ

AI System For Drivers: ଛାତ୍ରୀଙ୍କ ଏଆଇ ସିଷ୍ଟମ, ନିଦ ଲାଗିବା ପୂର୍ବରୁ ଡ୍ରାଇଭରଙ୍କୁ କରିବ ସତର୍କ

ନୂଆଦିଲ୍ଲୀ ୧୦/୦୮: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଛାତ୍ରୀ ଶାରଭି ମହାଜନ(୧୪)ଙ୍କ ଦ୍ୱାରା ବିକଶିତ ଏଆଇ ଆଧାରିତ ସିଷ୍ଟମ ‘ନ୍ୟୁରୋଡ୍ରାଇଭ ଆଲର୍ଟ’ ଏବେ ଚର୍ଚ୍ଚାରେ ରହିଛି । ସେହି ସିଷ୍ଟମ ଡ୍ରାଇଭରଙ୍କୁ ନିଦ ଲାଗିବା ପୂର୍ବରୁ ସତର୍କ କରିବ । ଏହାଦ୍ୱାରା ସଡ଼କ ଦୁର୍ଘଟଣା ବହୁ ପରିମାଣରେ କମିଯିବ ବୋଲି ଶାରଭି ଦାବି କରିଛନ୍ତି ।

ଶାରଭି ଏବେ କାଲିଫର୍ଣ୍ଣିଆର ବର୍ନାଡୋ ହାଇଟ୍ସ ମିଡିଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି । ତାଙ୍କ ଅନୁସାରେ, ‘ନ୍ୟୁରୋଡ୍ରାଇଭ ଆଲର୍ଟ’ ଇଇଜି ଟେକନିକ୍ ଏବଂ ମେସିନ୍ ଲର୍ନିଂ ବ୍ୟବହାର କରି ଡ୍ରାଇଭରଙ୍କ ମସ୍ତିଷ୍କର ଗତିବିଧି ଉପରେ ନଜର ରଖିବ । ଇଇଜି ଡ୍ରାଇଭରଙ୍କ ମୁଣ୍ଡରେ ଲଗାଯାଇଥିବା ସେନ୍ସର ଦ୍ୱାରା ମସ୍ତିଷ୍କର ଇଲେକ୍ଟ୍ରିକ୍ ସିଗନାଲକୁ ରେକର୍ଡ କରିବ । ମେସିନ୍ ଲର୍ନିଂ ସେହି ସିଗ୍ନାଲକୁ ବିଶ୍ଳେଷଣ କରିବ । ପରବର୍ତ୍ତୀ ସମୟରେ ଡ୍ରାଇଭରଙ୍କୁ ନିଦ ଲାଗିବା ମାତ୍ରେ ସିଷ୍ଟମ ତୁରନ୍ତ ଆଲର୍ଟ କରିବ ।

ବିଶେଷକରି ‘ମାଇକ୍ରୋସ୍ଲିପ୍’କୁ ଚିହ୍ନଟ କରିବା ଲାଗି ଏହି ସିଷ୍ଟମକୁ ବିକଶିତ କରାଯାଇଛି । ଏହା ଏପରି ସ୍ଥିତି ଯେଉଁଥିରେ ବ୍ୟକ୍ତି ମାତ୍ର କିଛି ସେକେଣ୍ଡ ଲାଗି ଶୋଇଯାଇଥାନ୍ତି । ଏହି ଅବଧି ଅତି କମ୍ ହେଉଥିଲେ ମଧ୍ୟ ଡ୍ରାଇଭିଂ ସମୟରେ ଅତି ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ଏହାଯୋଗୁ ଭୟାବହ ସଡ଼କ ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ । ଏଭଳିକ୍ଷେତ୍ରରେ ନିଦ ଲାଗିବା ମାତ୍ରେ ଡ୍ରାଇଭରଙ୍କୁ ଆଲର୍ଟ କରି ‘ନ୍ୟୁରୋଡ୍ରାଇଭ୍ ଆଲର୍ଟ’ ସମ୍ଭାବିତ ସଡ଼କ ଦୁର୍ଘଟଣାକୁ ରୋକିପାରିବ ବୋଲି ସେ କହିଛନ୍ତି । ଏହି ପ୍ରୋଜେକ୍ଟ ଯୋଗୁ ଶାରଭି ଚଳିତବର୍ଷର ୩ଏମ୍ ୟଙ୍ଗ ସାଇଣ୍ଟିଷ୍ଟ ଚାଲେଞ୍ଜର ୧୦ ଜଣ ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ପ୍ରତିଯୋଗିତାର ବିଜେତାଙ୍କୁ ୨୫ ହଜାର ଡଲାର ପୁରସ୍କାର ମିଳିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button