Su-30MKI: ‘ଆତ୍ମନିର୍ଭର’ ଭାରତର ନୂଆ ଉଡ଼ାଣ ! ୫୦%ରୁ ଅଧିକ ସ୍ୱଦେଶୀ Su-30MKI ପ୍ରସ୍ତୁତ କରିବ HAL

ନୂଆଦିଲ୍ଲୀ, ୧୦।୮: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଏହାର ନାସିକ କାରଖାନାରେ Su-30MKI ଲଢ଼ୁଆ ବିମାନର ଉତ୍ପାଦନ ପୁଣି ଥରେ ଆରମ୍ଭ କରିବାକୁ ଯାଉଛି । ସରକାରୀ କମ୍ପାନୀର ଯୋଜନା ଅନୁଯାୟୀ, ଆଗାମୀ ଆର୍ଥିକ ବର୍ଷ ମଧ୍ୟରେ ଭାରତୀୟ ବାୟୁସେନାକୁ ପ୍ରଥମ ଫାଇଟର ଜେଟ୍ ହସ୍ତାନ୍ତର କରାଯିବ । ଏହାସହ ଭାରତୀୟ ବାୟୁସେନାରେ ଥିବା Su-30MKI ର ବର୍ତ୍ତମାନର ବେଢ଼ାକୁ ମଧ୍ୟ ବ୍ୟାପକ ସ୍ତରରେ ଅପଗ୍ରେଡ୍ କରାଯିବାର ପ୍ରସ୍ତୁତି ଚାଲିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, HAL ୨୦୨୯ ସୁଦ୍ଧା ନାସିକ ପ୍ଲାଣ୍ଟରେ ୧୨ଟି ନୂତନ ଲଢ଼ୁଆ ବିମାନ ପ୍ରସ୍ତୁତ କରି ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିବ । ପ୍ରଥମ ବିମାନଟି ୨୦୨୭-୨୮ ମସିହାରେ ମିଳିବାର ସମ୍ଭାବନା ରହିଛି ।
୧୨ଟି ନୂତନ ଫାଇଟର ଜେଟ୍ ହେବ ୫୦% ସ୍ୱଦେଶୀ:
HAL ପାରମ୍ପରିକ ଭାବରେ ଏହାର ନାସିକ ପ୍ଲାଣ୍ଟରେ ରୁଷୀୟ ମୂଳର ଲଢ଼ୁଆ ବିମାନ ନିର୍ମାଣ କରିଆସୁଛି । ଏହି ପ୍ଲାଣ୍ଟରେ HAL ସ୍ୱଦେଶୀ ହାଲୁକା ଲଢ଼ୁଆ ବିମାନ ‘ତେଜସ୍’ ମଧ୍ୟ ନିର୍ମାଣ କରେ । ରୁଷଠାରୁ ଲାଇସେନ୍ସ ନେଇ HAL ପୂର୍ବରୁ ମଧ୍ୟ ଭାରତୀୟ ବାୟୁସେନା ପାଇଁ ୨୨୨ଟି ଫାଇଟର ଜେଟ୍ ତିଆରି କରିସାରିଛି । ଦୁର୍ଘଟଣାରେ ବାୟୁସେନା ଯେଉଁ ୧୨ଟି Su-30MKI ହରାଇଛି, ସେଗୁଡ଼ିକର ଭରଣା ପାଇଁ ଗତ ଡିସେମ୍ବର ୨୦୨୪ରେ ନୂତନ ଫାଇଟର ଜେଟ୍ ନିର୍ମାଣ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି ୧୨ଟି Su-30MKI ଫାଇଟର ଜେଟ୍ ନିର୍ମାଣ ପାଇଁ ୧୧,୦୦୦ କୋଟି ଟଙ୍କାର ଅର୍ଡର ଦିଆଯାଇଛି ଏବଂ ଏଥିରେ ବ୍ୟବହୃତ ହେବାକୁ ଥିବା ପାର୍ଟସ୍ଗୁଡ଼ିକ ମଧ୍ୟରୁ ୫୦% ଭାରତରେ ହିଁ ନିର୍ମିତ ହେବ ।
Su-30MKI ର ବର୍ତ୍ତମାନର ବେଢ଼ା ହେବ ଅପଗ୍ରେଡ୍:
HAL କେବଳ ନୂତନ Su-30MKI ତିଆରି କରିବ ନାହିଁ, ବରଂ ବାୟୁସେନାରେ ଥିବା ପୁରୁଣା ବିମାନଗୁଡ଼ିକୁ ମଧ୍ୟ ବଡ଼ ସ୍ତରରେ ଅପଗ୍ରେଡ୍ କରାଯିବ । ଏହି ଅପଗ୍ରେଡ୍ କାମ ପାଇଁ ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଅପଗ୍ରେଡ୍ ପ୍ରୋଗ୍ରାମରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ର ସହଯୋଗ ନିଆଯିବ ଏବଂ ଆବଶ୍ୟକୀୟ ଉପକରଣଗୁଡ଼ିକ ଭାରତୀୟ ବେସରକାରୀ କମ୍ପାନୀଗୁଡ଼ିକଠାରୁ କ୍ରୟ କରାଯିବ । ଏହି ଅପଗ୍ରେଡ୍ କାମ ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ବିମାନରେ ଅତ୍ୟାଧୁନିକ ଏଭିଓନିକ୍ସ ଏବଂ ରାଡାର ଲଗାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଅତ୍ୟାଧୁନିକ ଫ୍ଲାଇଟ୍ କଣ୍ଟ୍ରୋଲ୍ ସିଷ୍ଟମ ଫିଟ୍ କରାଯିବ ।
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ରାଡାରଗୁଡ଼ିକ ଦୂରରୁ ଶତ୍ରୁର ଠିକଣା ଜାଣି ତାକୁ ଧ୍ୱଂସ କରିବାରେ ସକ୍ଷମ ହେବ । ବିମାନଗୁଡ଼ିକରେ ନୂତନ ଇଲେକ୍ଟ୍ରୋନିକ୍ ୱାର୍ଫେୟାର ସିଷ୍ଟମ ଏବଂ ଇନଫ୍ରାରେଡ୍ ସର୍ଚ୍ଚ ଆଣ୍ଡ ଟ୍ରାକ୍ ସିଷ୍ଟମ ମଧ୍ୟ ଲଗାଯିବ, ଯାହା ଶତ୍ରୁର ଆକ୍ରମଣକୁ ତକ୍ଷଣାତ୍ ପ୍ରତିହତ କରିପାରିବ । Su-30MKI ଏକ ଶକ୍ତିଶାଳୀ ଭାରୀ ଲଢ଼ୁଆ ବିମାନ । ଏହାର ସର୍ବାଧିକ ଟେକ୍-ଅଫ୍ ଓଜନ ୩୮,୮୦୦ କିଲୋଗ୍ରାମ । ଏହାର ଏୟାରଫ୍ରେମରେ ୯,୬୪୦ କିଲୋ ଇନ୍ଧନ ଏବଂ ୮,୦୦୦ କିଲୋ ଓଜନର ହତିଆର ବହନ କରାଯାଇପାରିବ । ଅଧିକ ଓଜନର ମାରାତ୍ମକ ଅସ୍ତ୍ରଶସ୍ତ୍ର ବୋହିବାର କ୍ଷମତା ରଖିଥିବାରୁ ଏହା ବିଶାଳ ସୁପରସୋନିକ୍ ବ୍ରହ୍ମୋସ କ୍ରୁଜ୍ ମିସାଇଲ୍ ବ୍ୟବହାର ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଉପଯୁକ୍ତ ।
ସୌଜନ୍ୟ ପ୍ରମେୟ




