ଖେଳ

ଏଫ୍‌‌ଆଇଏଚ୍‌‌ ହକି ବିଶ୍ବକପ୍‌ରେ ଭାରତ ; ୱେଲ୍‌ସ ବିପକ୍ଷରୁ ପୁରୁଷ, ଚୀନ୍‌‌ ବିପକ୍ଷରୁ ମହିଳାଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ : ନେଦରଲାଣ୍ଡ୍‌‌ସ ଓ ବେଲଜିୟମ ମିଳିତ ଭାବେ ୨୦୨୬ ଏଫ୍‌‌ଆଇଏଚ୍‌‌ ହକି ବିଶ୍ବକପ୍‌‌ ଆୟୋଜନ କରୁଛନ୍ତି। ଏକାସାଙ୍ଗରେ ପୁରୁଷ ଓ ମହିଳା ହକି ବିଶ୍ବକପ୍‌ ଖେଳାଯାଉଛି। ଅଗଷ୍ଟ ୧୫ରୁ ଏହି ପ୍ରତିଯୋଗିତା ଆରମ୍ଭ ହେଉଛି। ୨୯ରେ ମହିଳା ଓ ୩୦ରେ ପୁରୁଷ ବିଶ୍ବକପ୍‌ ଶେଷହେବ। ପ୍ରଥମଥର ଲାଗି ହକି ବିଶ୍ବକପ୍‌‌ ମିଳିତ ଭାବେ ଦୁଇଟି ଦେଶ ଆୟୋଜନ କରୁଛନ୍ତି। ନେଦରଲାଣ୍ଡ୍‌‌ସର ଆମଷ୍ଟଲଭିନ ଓ ବେଲଜିୟମ୍‌‌ର ୱାଭ୍‌ରେ ସହରରେ ସମସ୍ତ ମ୍ୟାଚ୍‌‌ ଖେଳାଯିବ। ଭୁବନେଶ୍ବରରେ ଆୟୋଜିତ ଗତ ଦୁଇଟି ବିଶ୍ବକପ୍‌‌ ଭଳି ଏଥର ମଧ୍ୟ ଉଭୟ ବିଭାଗରେ ୧୬ଟି ଲେଖାଏଁ ଦଳ ଖେଳୁଛନ୍ତି। ଏହି ୧୬ଟି ଦଳକୁ ୪ଟି ପୁଲ୍‌‌ରେ ରଖାଯାଇଛି। ପୁଲ୍‌‌ ପର୍ଯ୍ୟାୟରେ ରାଉଣ୍ଡ ରବିନ ଲିଗ୍‌‌ ଭିତ୍ତିରେ ମୁକାବିଲା ହେବ। ପରେ ଉଭୟ ପୁଲ୍‌‌ର ଦୁଇ ଶ୍ରେଷ୍ଠ ଦଳ କ୍ରସ୍‌‌ ଓଭରରେ ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ପ୍ରତ୍ୟେକ ପୁଲ୍‌‌ର ଦୁଇ ଶ୍ରେଷ୍ଠ ଦଳ ଟାଇଟଲ ଲାଗି ଲଢ଼େଇ କରିବେ। ଶେଷ ଦୁଇଟି ଦଳ କ୍ଲାସିଫିକେସନ ମ୍ୟାଚ୍‌ ଖେଳିବେ।
ଏହି ବିଶ୍ବକପ୍‌‌ରେ ଭାରତୀୟ ଉଭୟ ପୁରୁଷ ଓ ମହିଳା ଦଳ ପୁଲ୍‌‌ ‘ଡି’ରେ ସ୍ଥାନ ପାଇଛନ୍ତି। ଭାରତୀୟ ପୁରୁଷ ଦଳ ଥିବା ପୁଲ୍‌‌ରେ ୱେଲ୍‌ସ, ଇଂଲଣ୍ଡ ଓ ପାକିସ୍ତାନ ରହିଛନ୍ତି। ଅଗଷ୍ଟ ୧୫ରେ ୱେଲ୍‌ସ (ଭାରତୀୟ ସମୟ ଅପରାହ୍ଣ ୪.୩୦) ବିପକ୍ଷରେ ଭାରତୀୟ ପୁରୁଷ ଦଳ ଅଭିଯାନ ଆରମ୍ଭ କରିବ। ଅଗଷ୍ଟ ୧୭ରେ ଇଂଲଣ୍ଡ (ସନ୍ଧ୍ୟା ୬.୩୦) ଓ ୧୯ରେ ପାକିସ୍ତାନ (ସନ୍ଧ୍ୟା ୬.୩୦) ବିପକ୍ଷରେ ଭାରତର ଗୁରୁତ୍ବପୂର୍ଣ୍ଣ ମୁକାବିଲା ହେବ। ଭାରତୀୟ ମହିଳା ଦଳ ପୁଲ୍‌ ‘ଡି’ରେ ଚୀନ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ରହିଛନ୍ତି। ଭାରତୀୟ ମହିଳା ଦଳ ଅଗଷ୍ଟ ୧୬ରେ ଚୀନ୍‌‌ (ଅପରାହ୍ଣ ୪.୩୦)ସହ ଖେଳି ଅଭିଯାନ ଆରମ୍ଭ କରିବ। ପରେ ଅଗଷ୍ଟ ୧୮ରେ ଦକ୍ଷିଣ ଆଫ୍ରିକା (ସନ୍ଧ୍ୟା ୬.୩୦) ଓ ଅଗଷ୍ଟ ୨୦ରେ ଇଂଲଣ୍ଡ (ସନ୍ଧ୍ୟା ୬.୩୦) ବିପକ୍ଷରେ ଭାରତୀୟ ମହିଳା ଦଳ ଲିଗ୍‌ ମ୍ୟାଚ୍‌ ଖେଳିବ। ଅଗଷ୍ଟ ୨୧ରୁ କ୍ରସ୍‌ଓଭର ଓ ୩୦ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଭାରତୀୟ ପୁରୁଷ ଦଳ ୫୧ ବର୍ଷ ହେଲା ହକି ବିଶ୍ବକପ୍‌‌ ଚମ୍ପିଆନ୍‌ ହୋଇନାହିଁ। ୧୯୭୫ରେ ଭାରତ ଥରେ ମାତ୍ର ବିଶ୍ବକପ୍‌‌ ଜିତି ପାରିଥିଲା। ଏହା ପରେ ଭାରତକୁ କେବଳ ନିରାଶା ମିଳିଛି। ଭାରତୀୟ ମହିଳା ଦଳ ସେମିଫାଇନାଲରେ ପହଞ୍ଚିଲେ ଏହାକୁ ସଫଳତା ଭାବେ ଗଣନା କରାଯିବ। ହରମନପ୍ରୀତ ସିଂହ ଭାରତୀୟ ପୁରୁଷ ଓ ସଲିମା ଟେଟେ ଭାରତୀୟ ମହିଳା ଦଳର ନେତୃତ୍ବ ନେଉଛନ୍ତି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button