ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଶିଶୁ, କିଶୋରଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଛି ଗଭୀର ପ୍ରଭାବ!

ନୂଆଦିଲ୍ଲୀ,୧୧।୮(ପି.ଟି.): ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଏବଂ ଗ୍ରୀଷ୍ମ ପ୍ରବାହ ସାମାଜିକ ଜୀବନଚଳଣିକୁ ପ୍ରଭାବିତ କରିବା ସହିତ ସ୍ବାସ୍ଥ୍ୟଗତ ଦିଗକୁ ନେଇ ଅନେକ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ୫ରୁ ୧୮ ବର୍ଷ ବୟସର ଶିଶୁ ଏବଂ କିଶୋରଙ୍କ ମାନସିକ ସ୍ବାସ୍ଥ୍ୟ ସବୁଠାରୁ ଅଧିକ ବିପଦରେ ରହିଛି ବୋଲି ବିଶ୍ୱସ୍ତରରେ କରାଯାଇଥିବା ବିଭିିନ୍ନ ଅଧ୍ୟୟନଗୁଡ଼ିକୁ ସମୀକ୍ଷା କରାଯାଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରାଯାଇଛି। ‘ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ ଏପିଡେମିଓଲୋଜି’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ପ୍ରତି ୧ ଡିଗ୍ରୀ ତାପମାତ୍ରା ବୃଦ୍ଧିରେ ୧% ମାନସିକ ସମସ୍ୟା ବଢୁଛି। ଦୈନିକ ତାପମାତ୍ରାରେ ପ୍ରତି ୧ ଡିଗ୍ରୀ ସେଲସିୟସ ବୃଦ୍ଧି ସହିତ ଶିଶୁଙ୍କଠାରେ ମାନସିକ ସ୍ବାସ୍ଥ୍ୟଜନିତ ସମସ୍ୟା ପ୍ରାୟ ୧% ବଢ଼ିଯାଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ସେହିପରି ଗ୍ରୀଷ୍ମ ପ୍ରବାହ ସମୟରେ ମାନସିକ ସ୍ବାସ୍ଥ୍ୟ ଖରାପ ହେବାର ଆଶଙ୍କା ୨୫ ପ୍ରତିଶତ ଏବଂ ସାଧାରଣ ଉଚ୍ଚ ତାପମାତ୍ରାରେ ଏହା ୧.୫% ବୃଦ୍ଧି ପାଇଥାଏ ବୋଲି କୁହାଯାଇଛି।
ଅଷ୍ଟ୍ରେଲିଆର ଫ୍ଲିଣ୍ଡର୍ସ ୟୁନିଭରସିଟିର ଆସୋସିଏଟ ପ୍ରଫେସର ଜାକ୍ଲିନ ଷ୍ଟିଫେନ୍ସଙ୍କ କହିବା ଅନୁଯାୟୀ, ସ୍ବଳ୍ପ ବୟସରେ ଶିଶୁଙ୍କର ଶାରୀରିକ ଓ ମାନସିକ ବିକାଶ ହେଉଥିବାରୁ ସେମାନେ ଜଳବାୟୁ ପରିବର୍ତ୍ତନ ପ୍ରତି ଅଧିକ ସମ୍ବେଦନଶୀଳ। ପ୍ରବଳ ଗରମ ଯୋଗୁ ଖେଳକୁଦ ଏବଂ ଶିକ୍ଷା ଗ୍ରହଣ ପ୍ରଭାବିତ ହେଉଛି, ଯାହା ପିଲାଙ୍କ ମାନସିକ ଚାପ ବଢ଼ାଉଛି। ସେହିପରି ରାତିରେ ଅତ୍ୟଧିକ ଗରମ ଯୋଗୁ ପିଲାମାନେ ଠିକ ଭାବେ ଶୋଇପାରୁ ନାହାନ୍ତି, ଯାହା ସେମାନଙ୍କ ଆବେଗିକ ନିୟନ୍ତ୍ରଣକୁ ବିଗାଡ଼ି ଦେଉଛି। ଅତ୍ୟଧିକ ଗରମ ଯୋଗୁ ମାତାପିତାଙ୍କ ମାନସିକ ଚାପ ବଢିବା ସହିତ ପରିବାରରେ ଝଗଡ଼ା ବୃଦ୍ଧି ପାଉଛି, ଯାହାର ପରୋକ୍ଷ ପ୍ରଭାବ ପିଲାଙ୍କ ଉପରେ ପଡ଼ୁଛି। ପ୍ରଫେସର କୋରି ବ୍ରାଡସା କହିଛନ୍ତି ଯେ ବିକଶିତ ଦେଶଗୁଡ଼ିକରେ ଏହି ବିପଦ ଅଧିକ ଦେଖିବାକୁ ମିଳିଛି।
ସୌଜନ୍ୟ ଧରିତ୍ରୀ




