ରାଜ୍ୟ

Bodies stolen : ମଣିନାଥପୁର ମଶାଣିରୁ ପୁଣି ଶବ ଚୋରି, ଗୁଣିଗାରେଡ଼ି ପାଇଁ ଦୁଇଟି ମୃତଦେହ ଖୋଳିନେଲେ ଦୁର୍ବୃତ୍ତ !

ଭଣ୍ଡାରିପୋଖରୀ, ୧୨/୮ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ କୂଳରେ ଥିବା ଶ୍ମଶାନରୁ ସୋମବାର ରାତିରେ ଦୁଇଟି ଶବ ଚୋରି ହୋଇଛି । ଗ୍ରାମର ଗେହ୍ଲା ଦାସ ଓ ଶରତ ନାଥଙ୍କ ଶବ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟ ଏକ ଶବ ଚୋରି ଉଦ୍ୟମ ବିଫଳ ହୋଇଛି । ଏହି ଶ୍ମଶାନରୁ ଶବ ଚୋରି ଘଟଣା ଏହା ଷଷ୍ଠ ଥର । ଗତ ଫେବ୍ରୁଆରୀରେ ଶ୍ମଶାନରୁ ଏକକାଳୀନ ୫ଟି ଶବ ଚୋରି ହୋଇଥିଲା । ଗୁଣିଗାରେଡ଼ି ପାଇଁ ଶବ ଚୋରି କରାଯାଉଥିବା ସନ୍ଦେହ କରିଛନ୍ତି ଗ୍ରାମବାସୀ।

୨୦୧୬ରେ ଏହି ଶ୍ମଶାନରୁ ଶବ ଗାଏବ ହେଉଥିବା ସମ୍ପର୍କରେ ଗ୍ରାମବାସୀ ପ୍ରଥମେ ଅବଗତ ହୋଇଥିଲେ । ଏକ ଶିଶୁର ଶବ ପୋତା ଯିବାର ଦୁଇମାସ ପରେ ଖୋଳି ନିଆଯାଇଥିଲା । ସେହିବର୍ଷ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ଶବ ମଧ୍ୟ ଖୋଳି ନିଆଯାଇଥିଲା । ୨୦୧୭ରେ ଦୁଇଟି ଶବକୁ ମଧ୍ୟ ଖୋଳି ନିଆଯାଇଥିବା ଅଭିଯୋଗ ହୋଇଥିଲା । ୨୦୨୩ ଜୁନ ୨୩ ରାତିରେ ଏକକାଳୀନ ୩ ଶବ ଗାଏବ ହୋଇଯାଇଥିବା ନେଇ ଗ୍ରାମବାସୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା । ୨୦୨୫ ଏପ୍ରିଲ୍‌ ୧ରେ ଜଣେ ମହିଳାଙ୍କ ଶବ ଚୋରି ହୋଇଥିଲା । ସେଠାରେ ମଦ ବୋତଲ ପଡ଼ିଥିବା ବେଳେ ପ୍ରାୟ ୨ଶହ ମିଟର ଘୋଷରା ଯାଇଥିବା ସ୍ଥାନରେ ପଚାମାଂସ ପଡ଼ିଥିବା ପରିବାର ଲୋକ ଦେଖିଥିଲେ । ଏନେଇ ଥାନାରେ ଅଭିଯୋଗ କରିଥିଲେ ।

ଗ୍ରାମର କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ବୈତରଣୀ ନଦୀ ପଠାରେ ଥିବା ଏହି ଶ୍ମଶାନରେ ସଂସ୍କାର କରାଯାଇ ପୋତି ଦିଆଯାଇଥାଏ । ବାରମ୍ବାର ମଶାଣିରୁ ଶବ ଚୋରି ଗାଏବ ହେଉଥିବା ନେଇ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି । ପୁଲିସ୍‌ରେ ଅଭିଯୋଗ ହେଉଥିଲେ ମଧ୍ୟ ସୁଫଳ ମିଳିନି। ଗୁଣିଗାରେଡ଼ି ପାଇଁ ଏମିତି କରାଯାଉଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ସ୍ଥାନୀୟ ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ଥିବା ମଧ୍ୟ ସନ୍ଦେହ କରାଯାଉଛି । ଏହାକୁ ରୋକିବାକୁ ପୁଲିସ୍‌ ପଦକ୍ଷେପ ନେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button