ରାଜ୍ୟ

Public smoking : ସାର୍ବଜନୀନ ସ୍ଥାନରେ ଧୂମପାନ ରୋକିବାରେ ଓଡ଼ିଶା ପଛରେ, ଦିନକୁ ୩ ଜଣଙ୍କୁ ଜରିମନା

ଭୁବନେଶ୍ୱର, ୧୨/୮ : ସିଗାରେଟ୍‌ ଓ ତମାଖୁ ଉତ୍ପାଦ ଆଇନ (କୋଟପା) ଅଧୀନରେ କର୍ଣ୍ଣାଟକରେ ଦୈନିକ ହାରାହାରି ୪୩୫ ଜଣଙ୍କଠାରୁ ଜରିମନା ଆଦାୟ କରାଯାଇଛି। ରାଜସ୍ଥାନରେ ଦୈନିକ ୨୭୩, ଆନ୍ଧ୍ରପ୍ରଦେଶରେ ୧୫୩ ଓ ଉତ୍ତରାଖଣ୍ଡରେ ୧୧୧ ରହିଛି । ଓଡ଼ିଶାରେ କିନ୍ତୁ ଦୈନିକ ୩ ଜଣଙ୍କୁ ଜରିମନା କରାଯାଉଛି । ଆମ ରାଜ୍ୟରେ କୋଟପା ଆଇନ କେବଳ କାଗଜ କଲମରେ ସୀମିତ ରହିଛି । ଫଳରେ ସର୍ବସାଧାରଣରେ ସିଗାରେଟ୍‌ ଟାଣିବାରେ ଅଙ୍କୁଶ ଲାଗିପାରୁନି । ୨୦୨୫-୨୬ ବର୍ଷରେ ସାର୍ବଜନୀନ ସ୍ଥାନରେ ଧୂମପାନ କରିବା ଅପରାଧରେ ଦେଶରେ ୫ ଲକ୍ଷ ୭୦ ହଜାରରୁ ଅଧିକ ଲୋକଙ୍କୁ ଜରିମାନା କରାଯାଇଛି ।

ସିଗାରେଟ୍‌ ଓ ତମାଖୁ ଉତ୍ପାଦ ଆଇନ (କୋଟପା) ଅଧୀନରେ ୫ କୋଟି ୧୯ ଲକ୍ଷ ୨୬ ହଜାର ୭୫୦ ଟଙ୍କା ଜରିମାନା ଆଦାୟ ହୋଇଛି । ଓଡ଼ିଶାରେ ମାତ୍ର ୧,୧୦୮ ଜଣଙ୍କଠୁ ୧ ଲକ୍ଷ ୭୧ ହଜାର ୮୭୫ ଟଙ୍କା ଜରିମାନା ଆଦାୟ କରଯାଇଛି । ଏହା କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି । କର୍ଣ୍ଣାଟକ, ଆନ୍ଧ୍ର ଓ ରାଜସ୍ଥାନ ଭଳି ରାଜ୍ୟରେ କୋଟପା ଆଇନ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଅନ୍ୟ ରାଜ୍ୟ ତୁଳନାରେ ଜରିମନା ଆଦାୟରେ ଓଡ଼ିଶାରେ ସ୍ଥିତି ଭଲ ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, କୋଟପା ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍କ୍ୱାଡ୍‌ ଗଠନ କରାଯାଇଛି । ଏହି ସ୍କ୍ୱାଡ୍‌ରେ ପୁଲିସ ଅଧିକାରୀ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ନୋଡାଲ ଅଫିସର, ଅବକାରୀ ବିଭାଗ, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଡ୍ରଗ୍‌ସ ଇନ୍ସପେକ୍ଟରଙ୍କୁ ନେଇ ମିଳିତ ଟିମ୍‌ ରହିଛି । ହେଲେ ଅଧିକାଂଶ ସମୟରେ ପୁଲିସ୍‌ ଅଧିକାରୀଙ୍କ ଅସହଯୋଗ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ସହିତ ଜରିମାନା ଆଦାୟ ସମ୍ଭବ ହେଉନି । ଅନ୍ୟପଟରେ ରାଜ୍ୟରେ ଦୈନିକ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ଗଳିକନ୍ଦି ଚାରିଆଡ଼େ ସିଗାରେଟ୍‌ ଓ ତମାଖୁ ସେବନ ନିର୍ଭୟରେ ଚାଲିଛି । ଗତ ବର୍ଷ ସ୍ୱାସ୍ଥ୍ୟ ବିଭାଗ ତମାଖୁ ଭଳି ପଦାର୍ଥ ଉପରେ କୋଟପା ଆଇନ ବଳରେ ନିକୋଟିନ୍‌ ବ୍ୟବହାର ନିଷେଧ କରିଥିଲା । ହେଲେ ବର୍ଷେ ହେଲାଣି ଏହି ଆଇନ୍‌ ନେଇ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇପାରିନି ।

କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକ ସର୍ବାଧିକ ୧ ଲକ୍ଷ ୫୯ ହଜାର ୪୧ଟି ଚାଲାଣ କାଟି ପ୍ରଥମ ସ୍ଥାନରେ ରହିଛି । ସେଠାରେ ୧ କୋଟି ୪୦ ଲକ୍ଷ ୭୪ ହଜାର ୭୪୬ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହା ପଛକୁ ରାଜସ୍ଥାନରେ ୯୯ ହଜାର ୭୮୯ ଜଣଙ୍କଠାରୁ ୩୨ଲକ୍ଷ ୬୧ ହଜାର ୬୮୯ ଟଙ୍କା ଆଦାୟ କରାଯାଇଛି । ଆନ୍ଧ୍ର ପ୍ରଦେଶରେ ୫୫ ହଜାର ୮୫୦ ଜଣଙ୍କଠାରୁ ୬୫ ଲକ୍ଷ ୯୫ ହଜାର ୩୬୪ ଟଙ୍କା ଆଦାୟ କରାଯାଇଥିବା ବେଳେ ତାମିଲନାଡୁରେ ୪୭ ହଜାର ୯୪୧ ଜଣଙ୍କଠାରୁ ୬୯ ଲକ୍ଷ ୫୭ ହଜାର ୫୦୦ ଟଙ୍କା ଆଦାୟ ହୋଇଛି । ଉତ୍ତରାଖଣ୍ଡରେ ୪୦ ହଜାର ୫୪୫ ଜଣଙ୍କଠାରୁ ୨୨ଲକ୍ଷ ୧୩ ହଜାର ୮୭୩ ଟଙ୍କା ଜରିମାନା ଆଦାୟ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଆସାମ, ଚଣ୍ଡିଗଡ଼, ମଣିପୁର, ପୁଡ଼ୁଚେରି ଓ ତେଲେଙ୍ଗନା ରାଜ୍ୟରେ କୌଣସି ଜରିମାନା ଆଦାୟ କରାଯାଇନି । କେନ୍ଦ୍ର ସରକାର ତାଙ୍କ ରିପୋର୍ଟରେ କହିଛନ୍ତି, ସାର୍ବଜନୀନ ସ୍ଥାନରେ ଧୂମପାନ ନିଷେଧ ଆଇନକୁ କାର୍ଯ୍ୟକାରୀ କରିବା ମୁଖ୍ୟତଃ ରାଜ୍ୟ ସରକାରଙ୍କ ଦାୟିତ୍ୱ । କେନ୍ଦ୍ର ସରକାର କେବଳ ପରାମର୍ଶ ଏବଂ କାର୍ଯ୍ୟକାରୀ କରିବାର ଦିଗଦର୍ଶନ ଜାରି କରନ୍ତି । ଏହା ୨୦୨୪ରେ ଆଇନ ପ୍ରବର୍ତ୍ତନକାରୀଙ୍କ ପାଇଁ ଜାରି କରାଯାଇଛି । କୋଟପା ଧାରା ୪ ଅନୁଯାୟୀ ସାର୍ବଜନୀନ ସ୍ଥାନରେ ଧୂମପାନ ନିଷେଧ ଏବଂ ଏହି ନିୟମ ଉଲ୍ଲଂଘନ କଲେ ଧାରା ୨୧ ଅଧୀନରେ ୨୦୦ ଟଙ୍କା ପର୍ଯ୍ୟନ୍ତ ଜରିମନାର ପ୍ରାବଧାନ ରହିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button