Dead: ଯୁକ୍ତ ଦୁଇ ପଢ଼ିବା ସ୍ୱପ୍ନ ଅଧାରେ, ମୁମ୍ବାଇରେ ଯୁବତୀଙ୍କ ମୃତ୍ୟୁ
ଯୁକ୍ତ ଦୁଇରେ ନାମ ଲେଖାଇ ପାଠ ପଢ଼ିବାର ସ୍ୱପ୍ନ ଥିଲା। ହେଲେ ପରିବାରର ଆର୍ଥିକ ଅନଟନ ସ୍ୱପ୍ନ ଆଗରେ ପ୍ରତିବନ୍ଧକ ସାଜିବାରୁ ରୋଜଗାର ପାଇଁ ମୁମ୍ବାଇ ଯାଇଥିଲେ ଯୁବତୀ। ପାଠପଢ଼ା ପାଇଁ ଟଙ୍କା ରୋଜଗାର କରି ଘରକୁ ଫେରିବେ...

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଯୁକ୍ତ ଦୁଇରେ ନାମ ଲେଖାଇ ପାଠ ପଢ଼ିବାର ସ୍ୱପ୍ନ ଥିଲା। ହେଲେ ପରିବାରର ଆର୍ଥିକ ଅନଟନ ସ୍ୱପ୍ନ ଆଗରେ ପ୍ରତିବନ୍ଧକ ସାଜିବାରୁ ରୋଜଗାର ପାଇଁ ମୁମ୍ବାଇ ଯାଇଥିଲେ ଯୁବତୀ। ପାଠପଢ଼ା ପାଇଁ ଟଙ୍କା ରୋଜଗାର କରି ଘରକୁ ଫେରିବେ ବୋଲି ଭାବିଥିବା ଯୁବତୀ ଦୁଇ ମାସ ପରେ ଶବ ହୋଇ ଫେରିଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଗଜପତିଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗାଁରେ ଘଟିଛି। ମୃତ ଯୁବତୀ ହେଉଛନ୍ତି ଆଲିନା ମଲ୍ଲିକ (୨୦)।
ଦଶମ ପରୀକ୍ଷା ପାସ୍ କରିବା ପରେ ଆଲିନା ଯୁକ୍ତ ଦୁଇରେ ନାମ ଲେଖାଇ ପାଠପଢ଼ା ଜାରି ରଖିବାକୁ ଚାହୁଁଥିଲେ। ମାତ୍ର ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ପାଠପଢ଼ା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାକୁ ଦୁଇ ମାସ ତଳେ ମୁମ୍ବାଇ ଯାଇଥିଲେ। ସେଠାରେ ଜଣକ ଘରେ କାମ କରୁଥିବା ବେଳେ ହଠାତ୍ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଲିନାଙ୍କ ମୃତ୍ୟୁ ହୋଇଥିଲା। ଯେଉଁ ଝିଅଟି ପାଠପଢ଼ାର ସ୍ୱପ୍ନ ପୂରଣ ପାଇଁ ରୋଜଗାର କରିବାକୁ ଘରୁ ବାହାରିଥିଲେ, ଶେଷରେ ତାଙ୍କ ମୃତଦେହ ଗାଁକୁ ଫେରିଥିଲା।
ଆଲିନାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ମୁମ୍ବାଇରୁ ମୃତଦେହ ଗାଁକୁ ଆଣିବା ମଧ୍ୟ ପରିବାର ପାଇଁ କଷ୍ଟକର ହୋଇଥିଲା। ଶେଷରେ ଗ୍ରାମବାସୀ ଚାନ୍ଦା ଆଦାୟ କରି ମୃତଦେହକୁ ଗାଁକୁ ଆଣିଥିବା ଜଣାପଡ଼ିଛି। ଆଲିନାଙ୍କ ମୃତ୍ୟୁ ପରେ ଦାଦନ ପ୍ରବଣ ଅଞ୍ଚଳର ଗରିବ ପରିବାରର ପିଲାଙ୍କ ଶିକ୍ଷା ଓ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ଆର୍ଥିକ ଅନଟନ ଯୋଗୁଁ ଅନେକ ପିଲା ପାଠପଢ଼ା ଛାଡ଼ି ଦାଦନ ଖଟିବାକୁ ବାଧ୍ୟ ହେଉଥିବା ବେଳେ ଆଲିନାଙ୍କ ଭଳି ଘଟଣା ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବଢ଼ାଇଛି। ଏବେ ମୃତ ଆଲିନାଙ୍କ ପରିବାର ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି।
ସୌଜନ୍ୟ ସମ୍ବାଦ




