Fertilizer: ଆଗରେ ପାନ ବେପାର, ପଛରେ ଚୋରା ସାର: ପାନ ଦୋକାନୀଙ୍କ ଘରୁ ୧୯୦ ବସ୍ତା ଚୋରା ସାର ଉଦ୍ଧାର
ଚୋରା ସାର ମାଫିଆ କେତେ ପରିମାଣର ବିନା କୌଣସି ସରକାରୀ ସ୍ୱୀକୃତିରେ ଦୀର୍ଘ ବର୍ଷ ହେବ କିପରି ଚଲେଇ ଆସୁଥିଲା ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି। ଏହି ସାରର ମାନ କିପରି, ଏହା ବ୍ୟବହାର ଉପଯୋଗୀ କି ନୁହେଁ ବୋଲି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

ଗାରୋଇ: ଜଗତସିଂହପୁରଜିଲ୍ଲା ନାଉଗାଁ ବ୍ଲକ ଗାରୋଇ ଛକ ନିକଟରେ ଥିବା ଏକ ପାନ ଦୋକାନରୁ ଜିଲ୍ଲା କୃଷି ବିଭାଗ, ନାଉଗାଁ ତହସିଲଦାର, ବ୍ଲକ କୃଷି ବିଭାଗ ଓ ନାଉଗାଁ ଥାନା ଅଧିକାରୀଙ୍କ ମିଳିତ ଚଢ଼ାଉରେ ଦୀର୍ଘ ବର୍ଷ ଧରି ସାର କଳାବଜାରୀ ଚଳାଇ ଆସୁଥିବା ଗାରୋଇ ଫାଣ୍ଡି ଅନ୍ତର୍ଗତ ଡାହାଣୀଖିଆ ଗ୍ରାମର ତାରକ ସାହୁ ନାମକ ଜଣେ ବେପାରୀଙ୍କ ଦୋକାନ ଓ ଘରୁ ୧୯୦ ବସ୍ତାରୁ ଉର୍ଦ୍ଧ୍ୱ ରାସାୟନିକ ସାର ଜବତ ହୋଇଛି। ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି | ସୂଚନାଯୋଗ୍ୟ, ଏହି ଚୋରା ସାର ମାଫିଆ କେତେ ପରିମାଣର ବିନା କୌଣସି ସରକାରୀ ସ୍ୱୀକୃତିରେ ଦୀର୍ଘ ବର୍ଷ ହେବ କିପରି ଚଲେଇ ଆସୁଥିଲା ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି। ଏହି ସାରର ମାନ କିପରି, ଏହା ବ୍ୟବହାର ଉପଯୋଗୀ କି ନୁହେଁ ବୋଲି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ଏହି ସାର ବ୍ୟବସାୟୀ ଦୀର୍ଘ ବର୍ଷ ଧରି କାହା ଛତ୍ରଛାୟାରେ ଏତେ ପରିମାଣର ସାର ବିକ୍ରି କରୁଥିଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।
ଗାରୋଇ ଛକରେ ଏକ ଛୋଟ ପାନ ଦୋକାନ ନାମକୁ ମାତ୍ର କରି ଏହି ବ୍ୟକ୍ତି ରାସାୟନିକ ସାରର ସୋରୁମ ଖୋଲିଥିବାବେଳେ ଘରେ ସାରର ଗୋଦାମ ଖୋଲି ଥିଲେ। ଉଲ୍ଲେଖଯୋଗ୍ୟ ଚଳିତ ଖରିଫ୍ ଋତୁର ଧାନ ଚାଷ ଏକ ପ୍ରକାର ଶେଷ ହେବାକୁ ବସିଛି। ଚଳିତ ବର୍ଷ ବ୍ଲକ୍ରେ ଖରିଫ ଋତୁରେ ବ୍ଲକରେ ୭୫୪୫ ହେକ୍ଟର ଚାଷ ଜମିରେ ଚାଷୀ ଧାନ ଚାଷ କରିବ ବୋଲି ବ୍ଲକ୍ କୃଷି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟରେ ସରକାରୀ ସ୍ତରରେ ବ୍ଲକରେ ଥିବା ୬ଟି ପ୍ରାଥମିକ କୃଷି ସେବା ସମବାୟ ସମିତିକୁ ସରକାରଙ୍କ ପକ୍ଷରୁ ଯେତିକି ପରିମାଣର ସାର ମିଳିଛି ତାହା ସମୁଦ୍ରକୁ ଶଙ୍ଖେ। ଯାହାର ସୁଯୋଗ ନେଇ ନାଉଗାଁ ବ୍ଲକରେ ସାର କଳା ବଜାରୀ ବେଶ ସକ୍ରିୟ ହୋଇ ଉଠିଛନ୍ତି।
ଚଳିତ ମାସ ୨ ତାରିଖ ରବିବାର ଦିନ ଶିଖରଘାଟ ପଟୁ ନାଉଗାଁ ବଜାରକୁ ଆସୁଥିବା ଏକ ସାର ବୋଝେଇ ପିକଅପ ଭ୍ୟାନକୁ ନାଉଗାଁ ପୋଲିସ ଜବତ କରିଥିଲା। ଯେଉଁଥିରେ ବିଭିନ୍ନ ପ୍ରକାରର ୫୬ ବସ୍ତା ରାସାୟନିକ ସାର ରହିଥିଲା। କିନ୍ତୁ ସମସ୍ତ ସରକାରୀ ନିୟମ କୁ ଫୁ କରି ଚାଷୀଙ୍କ ମୁଣ୍ଡରେ ଅଠା ବୋଳି ସାର କଳାବଜାରୀ ଖସିଯିବାକୁ ପ୍ରୟାସ କରିଥିଲେ। ଜିଲ୍ଳା ବାହାରୁ ସାର୍ ଆଣିବାର ନିୟମକୁ ଫୁ କରି କୃଷି ବିଭାଗ ସାମ୍ପୂଲ୍ ସଂଗ୍ରହ କରି ଚାଷୀଙ୍କ ଆଧାରକାର୍ଡକୁ ନେଇ ଚୋରା ଚାଲାଣ ହେଉଥିବା ସାର ପ୍ରତି ଗୁରୁତ୍ୱ ଦେଉ ନଥିଲେ। କେବଳ ଏହି ଦୁଇଟି ଘଟଣା ନୁହେଁ ନାଉଗାଁ ବ୍ଲକରେ ଅଣ ସ୍ୱୀକୃତିପ୍ରାପ୍ତ ସାର ଦୋକାନ ଗଣ୍ଡା ଗଣ୍ଡା ହୋଇ ଖୋଲିଥିବାବେଳେ ଚୋରା ସାର ବିକ୍ରି ହେଉଥିବାବେଳେ କୃଷି ବିଭାଗ ଓ ଯୋଗାଣ ବିଭାଗ ନୀରବଦ୍ରଷ୍ଟା ସାଜିବାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।
ସୌଜନ୍ୟ ସମ୍ବାଦ




