ମନୋରଞ୍ଜନ

Shakeela: ମୋବାଇଲ୍ ବ୍ୟବହାର ସାଜିଲା କାଳ! ଅଭିନେତ୍ରୀଙ୍କୁ କରିବାକୁ ପଡିଲା ୩ ଲକ୍ଷର ସର୍ଜରୀ

ନୂଆଦିଲ୍ଲୀ ୧୩।୦୮; ମୋବାଇଲ୍ ଫୋନ୍ ଆଜି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ସମୟ ଫୋନ୍ ବ୍ୟବହାର କରିବା ଯେ କେତେ ଭୟଙ୍କର ହୋଇପାରେ, ତାହାର ଏକ ବଡ଼ ଉଦାହରଣ ପାଲଟିଛନ୍ତି ଅଭିନେତ୍ରୀ ଶକିଲା । ଦୀର୍ଘ ସମୟ ଧରି ମୋବାଇଲ୍ରେ ଗେମ୍ ଖେଳିବା ଏବଂ ରିଲ୍ସ ଦେଖିବା ଅଭ୍ୟାସ ତାଙ୍କ ବେକରେ ଗୁରୁତର ସମସ୍ୟା ସୃଷ୍ଟି କରିଥିବା ସେ ନିଜେ ପ୍ରକାଶ କରିଛନ୍ତି । ଶକିଲା ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ଶେୟାର କରି ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ କହିଛନ୍ତି। ଅପରେସନ୍ ପରେ ସେ ବେକରେ କଲାର ପିନ୍ଧିଥିବାର ଦୃଶ୍ୟ ମଧ୍ୟ ଭିଡିଓରେ ଦେଖାଇଛନ୍ତି । ଏପରିକି ବିଛଣାରୁ ଉଠିବା ଏବଂ ଖାଇବା ଭଳି ସାଧାରଣ କାମ ପାଇଁ ମଧ୍ୟ ତାଙ୍କୁ ସହାୟତା ନେବାକୁ ପଡ଼ୁଥିବା ସେ କହିଛନ୍ତି ।

ଶକିଲାଙ୍କ କହିବା ଅନୁସାରେ, ସେ ବିଛଣାରେ କଡ଼େଇ ହୋଇ ଶୋଇ ଲଗାତାର ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ୍ରେ ଗେମ୍ ଖେଳୁଥିଲେ। ମଝିରେ କେବଳ ଚା’ କିମ୍ବା କଫି ପିଇବା ପାଇଁ ଉଠୁଥିଲେ। ପରେ ପୁଣି ଗେମ୍ ଖେଳୁଥିଲେ। ଏହାପରେ ୟୁଟ୍ୟୁବ୍ ଓ ଇନ୍ଷ୍ଟାଗ୍ରାମ୍ରେ ଘଣ୍ଟା ଘଣ୍ଟା ଧରି ରିଲ୍ସ ଦେଖୁଥିଲେ। ଏଭଳି ଭୁଲ୍ ପୋଷ୍ଚର୍ରେ ଦୀର୍ଘ ସମୟ ଫୋନ୍ ବ୍ୟବହାର କରିବା ତାଙ୍କ ବେକର ସମସ୍ୟାକୁ ଗୁରୁତର କରିଥିବା ସେ କହିଛନ୍ତି । ଏହି ସମସ୍ୟା ଏତେ ଗୁରୁତର ହେଲା ଯେ ଶେଷରେ ତାଙ୍କୁ ବେକରେ ସର୍ଜରୀ କରାଇବାକୁ ପଡ଼ିଲା। ଏହି ଅପରେସନ୍ରେ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଶକିଲା କହିଛନ୍ତି । ସର୍ଜରୀ ପରେ ନିଜ ଅନୁଭୂତିକୁ ନେଇ ଶକିଲା ଲୋକଙ୍କୁ ମୋବାଇଲ୍ ବ୍ୟବହାର କମାଇବାକୁ ଅପିଲ୍ କରିଛନ୍ତି। ତାଙ୍କ କହିବା କଥା ଫୋନ୍ ନିଶ୍ଚିତ ଭାବେ ଉପଯୋଗୀ, କିନ୍ତୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରିବା ଉଚିତ୍ ନୁହେଁ। ବିଶେଷକରି ଘଣ୍ଟା ଘଣ୍ଟା ଧରି ଗେମ୍ ଖେଳିବା କିମ୍ବା ଅନାବଶ୍ୟକ ଭିଡିଓ ଓ ରିଲ୍ସ ଦେଖିବା ଅଭ୍ୟାସରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button